ଉପସ୍ଥିତି ଜାହିର କଲା ଲାଲବାହିନୀ: ଘୁନସର ବଜାରରେ ଲାଗିଲା ମାଓ ବ୍ୟାନର

ପାଟଣାଗଡ଼/ଧଣ୍ଡାମୁଣ୍ଡା: ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା ଖପ୍ରାଖୋଲ ବ୍ଲକରେ କିଛି ଦିନର ନିରବତା ପରେ ପୁଣି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ୩ଗୋଟି ବେନର ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ବଜାର ଠାରେ ଲାଗିଥିବା ବେଳେ ବ୍ୟାନର ଗୁଡିକ ଉଭୟ ଓଡ଼ିଆ ଏବଂ ହିନ୍ଦିରେ ଲେଖାଥିବା ଜଣାପଡିଛି। ସୂଚନା ପାଇ ବେନର ଗୁଡିକୁ ଲାଠୋର ପୁଲିସ ଜବତ୍ କରିଥିବା ଜଣାପଡିଛି। ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରା ଯାଉଥିବା ସୂଚନା ମିଳିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଘୁନସର ବଜାରରେ ମାଓ ବେନର ଲାଗିଥିବା ସ୍ଥାନୀୟ ଲୋକେ ସକାଳୁ ଦେଖିଥିଲେ। ବ୍ୟାନର ଲାଗିଥିବା ସୂଚନା ପାଇ ଲାଠୋର ପୁଲିସ ଏହାକୁ ଜବତ୍ କରିଥିବା ଜଣାପଡିଛି। ଘୁନସର ବଜାର ଠାରେ ୩ ଗୋଟି ବେନର ଲାଗିଥିଲା। ଉଭୟ। ହିନ୍ଦି ଓ ଓଡିଆରେ ଲେଖାଥିବା ବ୍ୟାନର ଗୁଡିକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ଙ୍କ ୧୯ ତମ ପ୍ରତିଷ୍ଠା ଦିବସକୁ ମହା ସମାରୋହରେ ପାଳନ କରିବା, ଶତ୍ରୁର ‘ସମାଧାନ ପ୍ରହାର’ ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବା, ପୁଲିସ ଖବର ଦେଉଥିବା ଖବରିି ମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରିବା, ଉତ୍ପିଡିତ ଲୋକଙ୍କ ମୁକ୍ତି ପାଇଁ ପାର୍ଟି ସଂଘର୍ଷ କରୁଛି, ଏହା ଲୋକ ମାନଙ୍କ ଦାୟିତ୍ବ ପୁଲିସକୁ ଖବର ଦେଉଥିବା ବ୍ଯକ୍ତିକୁ ଗାଁରୁ ତଡି ଦେବା, ପୁଲିସ, ଅର୍ଧସୈନିକ ବଳ, ପୁଞ୍ଜିବାଦୀ, ସାମନ୍ତ ବାଦୀ, ଜମିଦାରମାନେ ଲୋକଙ୍କୁ ଲୁଣ୍ଠନ, ଅନ୍ୟାୟ ଓ ଅତ୍ୟାଚାର କରି ଚାଲିଛନ୍ତି, ଏଥିରୁ ପାର୍ଟି ସେମାନଙ୍କୁ ରକ୍ଷା କରୁଛି, ଓଡିଶା ଜେଲରେ ଥିବା ସମସ୍ତ ରାଜନୈତିକ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡିଦେବା, ଗିରଫ ହୋଇଥିବା ଆରୋପିଙ୍କ କେସ ଏକା ଥରକେ ଦର୍ଜ କରି ସଜା ମଧ୍ୟ ଏକା ଭଳି ଗଣିବା, ସମ୍ବଲପୁର, ପାଟଣାଗଡ଼ ଓ ବଲାଙ୍ଗୀର ଜେଲରେ ବନ୍ଦ ଥିବା ମାଓବାଦୀମାନଙ୍କୁ ବିନା ସର୍ତ୍ତରେ ଛାଡିଦେବା ଆଦି ଲେଖାଥିବା ଜଣାପଡିଛି।

ତେବେ ଓଡ଼ିଆରେ ଲେଖାଥିବା ବ୍ୟାନରରେ ଶେଷରେ ବିବିଏମ ଡିଭିଜନା କମିଟି ୨୧ ସେପ୍ଚେମ୍ବର ୨୦୨୨ ଲେଖାଥିବା ବେଳେ ହିନ୍ଦିରେ ଲେଖାଥିବା ବେନରରେ ବିବିଏମ ଡିଭିଜନାଲ କମିଟି  ୧୩ସେପ୍ଚେମ୍ବର ୨୦୨୨ ଲେଖାଥିବା ଦେଖିବାକୁ ମିଳିଛି। ପୁଲିସ ବ୍ୟାନର ଗୁଡିକୁ ଜବତ୍ କରି ତଦନ୍ତ କରୁଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ମାସେ ଦି ମାସ ପୂର୍ବରୁ ଏହି ବଜାର ଠାରେ ମାଓ ବ୍ୟାନର ଲାଗିଥିଲା। ରବିବାର ବିଳମ୍ବିତ ରାତିରେ ପୁଣି ଘୁନସର ବଜାର ଠାରେ ମାଓ ବେନର ଲାଗିଥିବା ଜଣାପଡିଛି। ଅପର ପକ୍ଷରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ସେହି ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର