ସମ୍ବଲପୁର/ରେଢ଼ାଖୋଲ: ୭ ବର୍ଷ ପରେ ସମ୍ବଲପୁର ଜିଲ୍ଲାରେ ପୁଣି ମାଓବାଦୀ ଗତିବିଧି ଆରମ୍ଭ ହୋଇଛି। ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ପ୍ରଚଣ୍ଡ ଆକ୍ରମଣ ପରେ ମାଓବାଦୀମାନେ ପଶ୍ଚିମ ଓଡ଼ିଶା ମୁହାଁ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବେଶ କରି ପୁରୁଣା ସଂଗଠନକୁ ସକ୍ରିୟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏପଟେ ମାଓବାଦୀଙ୍କ ଗତିବିଧି ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଓ ଏସ୍ଓଜିର ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଛି। କମ୍ବିଂ ଅପରେସନରେ ୪ ପ୍ଲାଟୁନ ଏସ୍‌ଓଜି ଯବାନ ନିୟୋଜିତ ଥିବା ସୂଚନା ମିଳିଛି। 

Advertisment

ଗତ ୨୮ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଠେ‌ଙ୍ଗୋ ଡ୍ୟାମ୍ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ ଗୁଜାସୁଲିଆ ଗାଁ ଓ ମେଘନାଦ ରାସ୍ତାରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଜଙ୍ଗଲରୁ ୮ ଜଣ ଲୋକ ଆଗପଛ ହୋଇ ଫେରୁଥିବା ସମୟରେ ଗୁଜାସୁଲିଆ ଗାଁ ନିକଟରେ ଶିବିର କରିଥିବା ପୁଲିସ ସେମାନଙ୍କୁ ଅଟକାଇଥିଲା। ୨ ଜଣ ବ୍ୟକ୍ତି ପୁଲିସକୁ ଚକ୍‌ମା ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଅନ୍ୟ ୬ ଜଣଙ୍କୁ ପୁଲିସ ରାତିସାରା ଜେରା କରିଥିଲା। ତେବେ ମାଓବାଦୀଙ୍କ ସହିତ ସେମାନଙ୍କ କୌଣସି ସଂପର୍କ ନଥିବା ଜଣାପଡ଼ିବା ପରେ ଛାଡ଼ି ଦେଇଥିଲା। ଉଲୁଣ୍ଡା ଅଞ୍ଚଳରେ ପୁଲିସ ଯାଞ୍ଚ ପରେ 
ମାଓବାଦୀମାନେ ସମ୍ବଲପୁର ପଟକୁ ଚାଲିଆସିଥିବା ‌ସନ୍ଦେହ କରାଯାଉଛି। ଶୁକ୍ରବାର ରାତିରୁ ରେଢ଼ାଖୋଲ ଉପଖଣ୍ଡର ଚାରମାଳ ଥାନା ସୁନାମୁଦି ଗାଁ ନିକଟ ଚାରଗଡ଼ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ୍‌ ଚାଲିଥିବା ଜଣାପଡ଼ିଛି। ମାଓବାଦୀଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଉଛି। ମାଓବାଦୀଙ୍କ ଉପସ୍ଥିତି ଜାଣିବା ପାଇଁ ପୁଲିସ୍ ଆଧୁନିକ ଜ୍ଞାନକୌଶଳର ସହାୟତା ନେଉଛି। 

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୦୨୦ରେ ଓଡ଼ିଶା ସରକାର ସମ୍ବଲପୁର ସମେତ ଅନୁଗୁଳ, ବୌଦ୍ଧ, ଦେବଗଡ଼ ଓ ନୟାଗଡ଼କୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ। ସେହି ସମୟରେ କୁହାଯାଇଥିଲା ଯେ ଗତ ୨ ବର୍ଷରୁ ଅଧିକ ସମୟ ହେଲା ଉପରୋକ୍ତ ୫ ଜିଲ୍ଲାରେ ମାଓବାଦୀଙ୍କ ଦ୍ବାରା କୌଣସି ହିଂସା ଘଟିନାହିଁ। ତେଣୁ କେନ୍ଦ୍ର ସରକାରଙ୍କ ସହାୟତାରେ ପରିଚାଳିତ ନିରାପତ୍ତା ସଂପର୍କିତ ଖର୍ଚ୍ଚ (ଏସ୍ଆର୍‌ଇ) ଯୋଜନାକୁ ପ୍ରତ୍ୟାହାର ପାଇଁ ଓଡ଼ିଶା ପୁଲିସର ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁର କରିଥିବା ତତ୍କାଳୀନ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ୨୦୦୩ ମସିହାରେ ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ମେଘପାଳ ପଞ୍ଚାୟତ ସରପଞ୍ଚ କାଦର ସିଂହଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟାକରି ସମ୍ବଲପୁର ଜିଲ୍ଲାରେ ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ। ଏହା ପରେ ଜମନକିରା, ଯୁଯୁମୁରା ଓ ଏହା ସଂଲଗ୍ନ ରେଢ଼ାଖୋଲ ଉପଖଣ୍ତର କିସିଣ୍ତା ଥାନା ଅଞ୍ଚଳରେ ମାଓବାଦୀମାନେ ବେଶ୍‌ ସକ୍ରିୟ ରହି ଅନେକ ହିଂସାକଣ୍ଡ ଭିଆଇଥିଲେ। ସେହି ସମୟରେ ମ‌ାଓବାଦୀମାନେ ପାଣିମରା, ତାଲବ, ବାଲିକିଆରୀ ଗ୍ରାମ ପାଖ ଖୋଲଗଡ଼, ଲଣ୍ତାକୋଟ ସଂରକ୍ଷିତ ଜଙ୍ଗଲରେ ଅବସ୍ଥାନ କରୁଥିଲେ। ସେମାନେ ଠିକାଦାର ଓ ସରକାରୀ ଅଧିକାରୀମାନଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଘଟଣା ସାମନାକୁ ଆସିଥିଲା। ଜଣେ କେନ୍ଦୁପତ୍ର ବିଭାଗର ଡିଏଫ୍‌ଓଙ୍କୁ ମଧ୍ୟ ଅପହରଣ କରି ପରବର୍ତ୍ତୀ ସମୟରେ ଛାଡ଼ି ‌ଦେଇଥିଲେ। ଆଜି ପୁଣି ମାଓବାଦୀଙ୍କ ଉପସ୍ଥିତ ସଂପର୍କିତ ଖବର ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଛି।