ନୂଆପଡ଼ା : ଶୁକ୍ରବାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣା ପରେ ଶନିବାର ଏକ ମାଓ କ୍ୟାମ୍ପ ଠାବ କରାଯାଇଥିବା ଏସ୍ପି ପ୍ରତ୍ୟୁଷ ଦିବାକର ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାହାରୁ କ୍ୟାଡର ମାଓବାଦୀମାନେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ ପହଞ୍ଚି ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ହୋଇଥିବା ଗୁଳି ବିନିମୟରେ ୮ ଜଣ କ୍ୟାଡର ମାଓବାଦୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଏସ୍ପି ଶ୍ରୀ ଦିବାକାର କହିଛନ୍ତି ଯେ, ଛତିଶଗଡ଼ ସରକାର ପକ୍ଷରୁ ମାଓ ଦମନ ପାଇଁ ଅପରେସନ ବନ୍ଦ ରହିଛି। ସୁନାବେଡ଼ା ଅଭୟାରଣ୍ୟ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ କ୍ୟାଡରମାନେ କ୍ୟାମ୍ପ କରି ରହୁଥିବା ଗୋଇନ୍ଦା ସୂଚନା ପରେ ଗତ ୬ ତାରିଖ ମାଓ ଦମନ ପାଇଁ ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ୮ ତାରିଖ ଦିନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷଣ ଜଙ୍ଗଲରେ ୬୦ରୁ ୮୦ ଜଣ ମାଓବାଦୀ ରହିଥିବା ଯବାନମାନେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଦିନ ୧୦ଟାରେ ସୀମାନ୍ତରେ ମାଓବାଦୀମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ଯବାନମାନେ ୨୪୮ରାଉଣ୍ଡ ଗୁଳି ଚାଳନା କରିବା ସହ ୨୦ ୟୁପିଜିଏଲ ମାଡ଼ କରିଥିଲେ। ଏହାପରେ ମାଓ କ୍ୟାମ୍ପରେ ଥିବା ୮ଜଣ କ୍ୟାଡର ମାଓବାଦୀ ମୁଲୀ, ଦେବଜୀ, ଜୟରାମ, ଗୁଡୁ, ଅଞ୍ଜୁ, ସଙ୍ଗୀତା, ଜନିଲା, କର୍ତ୍ତି ଛତ୍ରଭଙ୍ଗ ହୋଇ ଫେରାର୍ ମାରିଥିଲେ। ଶନିବାର ସେଠାରୁ ଏକ ବଡ଼ ଧରଣର କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ଗୋଟିଏ ବନ୍ଧୁକ, ମହିଳାମାନଙ୍କ ଗର୍ଭପାତ କିଟ୍, କଣ୍ଡୋମ୍, ମାଓବାଦୀଙ୍କ ଫଟୋ, ମାଓ ପୋଷାକ, ପୁସ୍ତକ, ୫ଟି ବ୍ୟାଟେରି, ରନ୍ଧାଖାଦ୍ୟ ସାମଗ୍ରୀ ସହ ୩୭ ଜଣ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ଅଭୟାରଣ୍ୟରେ ଯବାନଙ୍କ ପକ୍ଷରୁ ଚର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍ପି ଶ୍ରୀ ଦିବାକର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ୨୧୬ ସିଆର୍ପିଏଫ୍ କମାଣ୍ଡେଣ୍ଟ ରାଜେଶ ବତ୍ସ ଉପସ୍ଥିତ ଥିଲେ।
ସୂଚନାଥାଉକି ଗତ ମାସ ୨୨ ତାରିଖ ମାଓବାଦୀମାନେ ପାଟଦରା ରାସ୍ତାରେ ୩ ଜଣ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ସୁନାବେଡ଼ା ଅଭୟାରଣ୍ୟରୁ ମାଓ ଦମନ ପାଇଁ ଲାଗି ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/malkanagiri-naxal-camp.jpg)