ରାୟଗଡ଼ା: ଦିନେ ଡଙ୍ଗରିଆଙ୍କୁ ଢ଼ାଲ କରି ସଂଗଠନକୁ ମଜଭୂତ କରିଥିଲେ। ନିୟମଗିରି ଇଲାକାକୁ କବଜାକୁ ନେଇଥିଲେ। ନୀରିହ, ନିଷ୍କପଟ ଆଦିବାସୀଙ୍କୁ ସରକାରଙ୍କ ବିରୁଦ୍ଧରେ ମିଛ କଥା କହି ସଂଗଠନରେ ସାମିଲ୍ କରିଥିଲେ। ଏବେ କିନ୍ତୁ ବଦଳି ଯାଇଛି ସମୟ। ଦୁଇ ଦଶନ୍ଧି ଧରି ମାଓବାଦୀଙ୍କୁ ସମର୍ଥନ କରି ଆସୁଥିବା ଡଙ୍ଗରିଆ ତୀବ୍ର ବିରୋଧ କରିବା ସହ ମାଓବାଦୀ ତଥା ଧଳାହାତୀଙ୍କୁ ନିୟମଗିରି ମନା ବୋଲି ଘୋଷଣା କରିଛନ୍ତି। ଯାହା ମାଓ ସଂଗଠନ ପାଇଁ ବୁମେରାଂ ସଦୃଶ୍ୟ ହୋଇଛି।
ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ପାଇଁ ଟ୍ରାନଜିଟ୍ ପଏଣ୍ଟ ପାଲଟିଛି ନିୟମଗିରି ଅଞ୍ଚଳ। ପୂର୍ବଘାଟ ପର୍ବତମାଳାର କଲ୍ୟାଣସିଂହପୁରଠୁ ଆରମ୍ଭ କରି ବିଷମକଟକ, ମୁନିଗୁଡ଼ା, କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁର ଦେଇ କନ୍ଧମାଳ ସୀମାନ୍ତ ପର୍ଯ୍ୟନ୍ତ ଲମ୍ବିଛି ଏହି ପାହାଡ଼। ଅତ୍ୟନ୍ତ ଘଞ୍ଚ ଓ ଦୁର୍ଗମ ଇଲାକା ଯୋଗୁ ତିନି ଜିଲ୍ଲାରେ ମାଓବାଦୀ କୌଣସି ଅଘଟଣ ଘଟାଇବା ପରେ ପୁଲିସ୍, ଯବାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ନିୟମଗିରିକୁ ଚାଲି ଆସିଥାନ୍ତି। କମ୍ବିଂ ଓ ସର୍ଚ୍ଚ ଅପରେସନ୍ ସତ୍ତ୍ବେ ନିୟମଗିରିରେ ଲୁଚିଥିବା ମାଓବାଦୀଙ୍କୁ ଠାବ କରିବା ସୁରକ୍ଷାବାହିନୀ ପାଇଁ ସହଜ ହୋଇନଥାଏ।
ନିୟମଗିରିରେ ପ୍ରଚୁର ପରିମାଣର କଦଳୀ, ସପୁରି, ପଣସ, ଆମ୍ବ ଭଳି ଅନେକ ପ୍ରକାର ଫଳ ଗଛ ରହିଥିବାରୁ ଖାଦ୍ୟ ଅନୁସନ୍ଧାନରେ ମାଓବାଦୀଙ୍କୁ କୌଣସି ଅସୁବିଧା ହୋଇନଥାଏ। ଏଥି ସହିତ ଗୁଇନ୍ଦା ସୂଚନା ଅନୁଯାୟୀ, ତତକ୍ଷଣାତ୍ ମାଓବାଦୀ ଟ୍ରାନଜିଟ୍ ପଏଣ୍ଟରୁ ଅନ୍ୟତ୍ର ଚାଲିଯିବା ପାଇଁ ବହୁ ପାଦଚଲା ରାସ୍ତା ରହିଥିବାରୁ ବର୍ଷର ଅଧିକରୁ ଅଧିକ ଦିନ ମାଓବାଦୀ ନିୟମଗିରିରେ କଟାଇଥାନ୍ତି। ୨୦୦୨ ମସିହାରୁ ରାୟଗଡ଼ା ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଇବା ଆରମ୍ଭ କରିଥିଲା। କାଶୀପୁରରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ ସହ କଲ୍ୟାଣସିଂହପୁର, ମୁନିଗୁଡ଼ା, ବିଷମକଟକ ବ୍ଲକରେ ବିକାଶମୂଳକ କାର୍ଯ୍ୟକୁ ମାଓ ସଂଗଠନ ବିରୋଧ କରି ଆସୁଥିଲା। ବିଶେଷ କରି ନିୟମଗିରି ଦୁର୍ଗମ ଇଲାକାକୁ ସଂଯୋଗ ପାଇଁ ନିର୍ମାଣଧୀନ ରାସ୍ତା କାମକୁ ବିରୋଧ କରି ଜେସିବି ମେସିନ୍ ଓ ଠିକାକ୍ୟାମ୍ପରେ ପୋଡାଜଳା କରିଛନ୍ତି ମାଓବାଦୀ।
କଲ୍ୟାଣସିଂହପୁର ବ୍ଲକର ପାର୍ସାଲି-ଗୁମ୍ମାକୁ ସଂଯୋଗ ହେଉଥିବା ରାସ୍ତାକାମକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାର ୨ଟି ଜେସିବି, ଭାଇବ୍ରାଟର ମେସିନ୍, ପାଣି ଟ୍ୟାଙ୍କରକୁ ପୋଡ଼ି ଦେଇଥିଲେ। ସେହିପରି କହଁରଗୁଡ଼ା-ଲାଖପଦର ରାସ୍ତା କାମ କରୁଥିବା ଠିକା ସଂସ୍ଥାର କ୍ୟାମ୍ପ ଉପରେ ହାମଲା କରି ମାଓବାଦୀ ପୋଡାଜଳା କରିଥିଲେ। ବିଷମକଟକ ବ୍ଲକର ଡାଲିଆକୁଜିରେ ମାଓବାଦୀ ଜେସିବି ମେସିନ୍ ପୋଡ଼ିଥିଲେ। ମୁନିଗୁଡ଼ା ବ୍ଲକ୍ ଜଗଦଲପୁର ପଞ୍ଚାୟତର ଶ୍ରଦ୍ଧାପୁର ପଞ୍ଚାୟତରୁ କନ୍ଧମାଳ ଜିଲ୍ଲା ବେଲଘରକୁ ସଂଯୋଗ ପାଇଁ ଚାଲିଥିବା ଟିକରପଡ଼ା-ଆମିରିଖୋଲା ରାସ୍ତା କାମକୁ ମଧ୍ୟ ମାଓବାଦୀ ବିରୋଧ କରିଥିଲେ। ଦୁଇ ଥର ମାଓବାଦୀ ଜେସିବି ମେସିନ୍, ଟ୍ରାକ୍ଟର ମେସିନ୍ ସହ ଠିକା ସଂସ୍ଥାର ବହୁ ସାମଗ୍ରୀ ପୋଡ଼ି ଦେଇଥିଲେ। କେବଳ ଏତିକି ନୁହେଁ, ପୁଲିସ୍ ଇନଫର୍ମର ସନ୍ଦେହରେ ଏହି ୩ ବ୍ଲକର ଅନେକ ନୀରିହ ଲୋକଙ୍କୁ ମାଓବାଦୀ ହତ୍ୟା କରି ଦବଦବା ଜାହିର୍ କରିଥିଲେ।
ମାଓ ନେତା ନିଖିଲ୍, ବଣ୍ଟି ନେତୃତ୍ବରେ ନିୟମଗିରି ଇଲାକାରେ ମାଓ ସଂଗଠନ ସୁଦୃଢ଼ ହେବା ପରେ ମାଓ ଦମନ ଅଭିଯାନ ଜୋର୍ ଧରିଥିଲା। ଏସଓଜି, ଡିଭିଏଫ୍ ପରେ ମାଓ ମୁକାବିଲାରେ ସାମିଲ୍ ହୋଇଥିଲା ସିଆରପିଏଫ୍। ରାୟଗଡ଼ା, ମୁନିଗୁଡ଼ାରେ ଦୁଇ ବାଟାଲିୟନ୍ ମୁତୟନ ପରେ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର, ଗୁଡ଼ାରିରେ ପ୍ରତିଷ୍ଠା ହୋଇଥିଲା କ୍ୟାମ୍ପ। ଦେଢ଼ ବର୍ଷ ତଳେ କଳାହାଣ୍ଡି ସୀମାନ୍ତ ତ୍ରିଲୋଚନପୁରରେ ଏବଂ ୨୦୨୨ ଜୁଲାଇରେ କନ୍ଧମାଳ ସୀମାନ୍ତ ଡିମିରିଗୁଡାରେ ପ୍ରତିଷ୍ଠା ହୋଇଛି ନୂଆ କ୍ୟାମ୍ପ। ଯାହା ମାଓ ଦମନକୁ ଅଧିକ ଫଳପ୍ରଦ କରିଛି। ଏପଟେ ବିଳମ୍ବରେ ହେଲେ ମଧ୍ୟ ଡଙ୍ଗରିଆ ମାଓ ସଂଗଠନକୁ ବିରୋଧ କରିଛନ୍ତି। ମାଓ ସଂଗଠନରେ ସାମିଲ୍ ହୋଇଥିବା ଡଙ୍ଗରିଆ ଝିଅକୁ ମାଓବାଦୀ ପ୍ରତାରଣା କରୁଥିବା ଅଭିଯୋଗରେ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି।