ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୁଣି ମାଓବାଦୀମାନେ ଉପସ୍ଥିତି ଜାହିର କରିଛନ୍ତି। ଶୁକ୍ରବାର ଉଭୟ ରାଜ୍ୟ ସୀମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ପୁଲିସ୍ ଓ ସିଆରପିଏଫ୍ ଯବାନ କମ୍ବିଂ ଅପରେସନ୍ ଜାରି ରଖିଥିବା ବେଳେ ସୀମାନ୍ତ ଛତିଶଗଡ଼ ଆମ୍ମାମଲା ଗାଁରେ ମାଓବାଦୀମାନେ ଯବାନଙ୍କୁ ଉପରକୁ ଗୁଳିଚାଳନ କରିଥିଲେ। ଓଡ଼ିଶାର ଡିଭିଏଫ୍, ଏସ୍ଓଜି, ସିଆରପିଏଫ ପାଲଟା ଗୁଳିଚାଳନା କରିବାରୁ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ହୋଇ ଫେରାର୍ ମାରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି।
ସୂଚନାମତେ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରା ରାସ୍ତାରେ ଗତ ଜୁନ ୨୨ ତାରିଖ ମାଓବାଦୀମାନେ ୩ ଜଣ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ସିଆର୍ପିଏଫ୍ ଓ ରାଜ୍ୟ ପୁଲିସ୍ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେବେ ରାଜ୍ୟ ପୁଲିସ୍, ସିଆର୍ପିଏଫ୍, ଏସ୍ଓଜି ସହ ଜିଲ୍ଲା ପୁଲିସ୍ ମିଳିତ ଭାବେ ମାଓ ଦମନ ଅଭିଯାନ ଚଳାଇଛନ୍ତି। ଯବାନମାନେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ କମ୍ବିଂ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ପକ୍ଷରୁ ବର୍ତ୍ତମାନ କମ୍ବିଂ ଅପରେସନ ବନ୍ଦ ଥିବାରୁ ଓଡ଼ିଶା ପୁଲିସକୁ ମାଓଦମନ ପାଇଁ ବହୁ କଷ୍ଟ ଭୋଗିବାକୁ ପଡ଼ୁଛି। ଏତେ ବଡ଼ ଅଭୟାରଣ୍ୟରେ ଯବାନଙ୍କ କମ୍ବିଂ ଅପରେସନ୍ କରିବା ସହଜ ନୁହେଁ। ଯାହାଫଳରେ ମାଓବାଦୀମାନେ ବାରମ୍ବାର ଅଘଟଣ ଘଟାଉଥିବା ଦେଖିବାକୁ ମିଳୁଛି। ତେବେ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରିବାର ୧୭ ଦିନ ପରେ ପୁଣି ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/21-6.jpg)