ଦକ୍ଷିଣରେ ପୁଣି ମାଓ ଉତ୍ପାତ

ବିଜେଡି ନେତାଙ୍କ ଫାର୍ମ ହାଉସରେ ପଶିଲେ

କୋରାପୁଟ : ପଡୋଶୀ ଆନ୍ଧ୍ରପ୍ରଦେଶରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଆଦିବାସୀ ଲୋକଙ୍କୁ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲା ଜିମାଣ୍ଡୁଗୁଲୁ ବ୍ଲକର ମାଡିଗାରୁଭୁ ଗ୍ରାମରେ ଆଜି ସକାଳୁ ସଶସ୍ତ୍ର ମାଓବାଦୀ ପହଞ୍ଚି ଗ୍ରାମର କେ.କିଶୋର ଓ କେ. ସୁରିଆଙ୍କୁ ଘରୁ ଡାକିଥିଲେ। ପରେ ଗ୍ରାମ ନିକଟରେ ଥିବା ଏକ ପୋଲ ପାଖକୁ ନେଇ ଗୁଳି କରି ଦେଇଥିଲେ। ପରେ ଜଣଙ୍କ ଗଳା ମଧ୍ୟ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଗଲାବେଳେ ମାଓବାଦୀମାନେ କିଛି ପୋଷ୍ଟର ଛାଡି ଯାଇଥିଲେ।

ଅନ୍ୟପଟରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତୁସୁବା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପୁଟ ଗ୍ରାମରେ ଥିବା ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କର ଫାର୍ମ ହାଉସରେ ସଶସ୍ତ୍ର ମାଓବାଦୀ ପ୍ରବେଶ କରି ଧମକ ଦେଇଛନ୍ତି। ଏହି ଫାର୍ମ ହାଉସରେ ସ୍ଥାନୀୟ ଲୋକଙ୍କୁ କାମ ଦେବା ସହ ଦିନକୁ ୨ଶହ ଟଙ୍କା ମଜୁରି ଦେବାକୁ ମାଓବାଦୀ ଚେତାବନୀପୂର୍ଣ୍ଣ ପୋଷ୍ଟର ଓ ବ୍ୟାନର ମାରିଛନ୍ତି। ଏଥିରେ ଜିଲ୍ଲାରେ ଖଣି ଖନନକୁ ବିରୋଧ କରାଯାଇଛି। ମାଓବାଦୀମାନେ ଫାର୍ମ ହାଉସର ସୁପରଭାଇଜରଙ୍କୁ ବିିଭନ୍ନ ଧମକ ଚମକ ଦେବା ସହ ମାଡ ବି ମାରିଛନ୍ତି। ଗଲାବେଳେ ଫାର୍ମ ହାଉସରେ ଲାଗିଥିବା ସିସିଟିଭିକୁ କାଢି ନେଇଛନ୍ତି।

ବିଜେଡି ରାଜ୍ୟ ସଂପାଦକ ତଥା ବରିଷ୍ଠ ନେତା ଈଶ୍ୱର ପାଣିଗ୍ରାହୀଙ୍କର କୁମ୍ଭାରୀପୁଟ ଗ୍ରାମରେ ଏକ ଫାର୍ମ ହାଉସ ରହିଛି। ଏଠାରେ କଫି, ଗୋଲମରିଚ ସହ ଅନ୍ୟାନ୍ୟ ଚାଷ ହେଉଛି। ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପାଖାପାଖି ୩୦ଜଣ ସଶସ୍ତ୍ର ମାଓବାଦୀ ଏହି ଫାର୍ମ ହାଉସରେ ପଶିଥିଲେ। ସେତେବେଳେ ଫାର୍ମ ହାଉସରେ ବହୁ କର୍ମଚାରୀଙ୍କ ସମେତ ଇଶ୍ୱର ପାଣିଗ୍ରାହୀଙ୍କ ଭାଇ ଶିବ ପାଣିଗ୍ରାହୀ, ସୁପରଭାଇଜର ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ମାଓବାଦୀମାନେ ସେମାନଙ୍କୁ ପଚରାଉଚରା କରିଥିଲେ ଓ ସୁପରଭାଇଜର ବାହାର ଅଂଚଳରୁ ଆସିଥିବାରୁ ତାଙ୍କୁ ମାଡ଼ ମାରିଥିଲେ।

ସିପିଆଇ(ମାଓବାଦୀ)ର କୋରାପୁଟ-ଶ୍ରୀକାକୁଲାମ ଡିଭିଜନାଲ କମିଟି ନାମରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଦେଇଛନ୍ତି। ଏଥିରେ ସଂପାଦକ ଅଜୟର ନାମ ଉଲ୍ଲେଖ ରହିଛି। କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ଯବାନଙ୍କୁ ତୁରନ୍ତ ଗିରଫ କରିବା ସହ ଡିଆଇଜି ଓ ଏସପିଙ୍କ ବଦଳି କରିବାକୁ ସେମାନେ ଦାବି କରିଛନ୍ତି। ପଟାଙ୍ଗୀ ଥାନା ଅଧିକାରୀଙ୍କୁ ନିଲମ୍ବନ, ଅପରେସନ ଗ୍ରୀନହଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି। ଆସିଥିବା ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୦ଜଣ ମହିଳା ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଉଭୟ ତେଲଗୁ ଓ ଓଡ଼ିଆ ଭାଷାଭାଷୀ ମାଓବାଦୀ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର