ନୂଆପଡ଼ାରେ ମାଓବାଦୀଙ୍କ ଆକ୍ରମଣ: ୩ ଯବାନ ସହିଦ, ୫ ଗୁରୁତର

ନୂଆପଡ଼ା/କରଙ୍ଗାମାଳ/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାବେଡ଼ା ଅଭୟାରଣ୍ୟ ପାଟଦରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀ ରକ୍ତର ହୋଲି ଖେଳିଛନ୍ତି। ଦୀର୍ଘଦିନର ବ୍ୟବଧାନ ପରେ ମାଓବାଦୀମାନେ ନୂଆପଡ଼ାରେ ପୁଣି ତାଙ୍କ ଉପସ୍ଥିତ ଜାହିର କରି ଆଜି ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ମାଓବାଦୀମାନେ ଆମ୍ବୁସ ଲଗାଇ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ମୃତ ଯବାନମାନେ ହେଲେ; କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ଫୋର୍ସ ରାଉରକେଲା୧୯ ବାଟାଲିଆନର ଉତ୍ତରପ୍ରଦେଶ ରାଜ୍ୟ ଆଲିଗଡ଼ ଜିଲ୍ଲା ସିକନ୍ଦରାଉ ଥାନା ଅନ୍ତର୍ଗତ ଲାଲଗିରି ଗ୍ରାମର ଏଏସ୍‌ଆଇ ଶିଶୁପାଳ ସିଂ, ହରିୟାଣା ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ଗ୍ରାମର ଏଏସ୍‌ଆଇ ଶିବଲାଲ, ବିହାର ରୋହତାସ ଜିଲ୍ଲା ଦନୱର ଥାନା ଅନ୍ତର୍ଗତ ସରଭା ଗାଁର କନ୍‌ଷ୍ଟେବଲ ଧର୍ମେନ୍ଦ୍ର କୁମାର ସିଂ।

ବୋଡ଼େନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଳରେ ମାଓବାଦୀ ଦମନ ପାଇଁ  ଏକ ନୂଆ କ୍ୟାମ୍ପ ଆରମ୍ଭ ହେଉଥିଲା। ପୂର୍ବରୁ ମାଓବାଦୀମାନେ ବିଭିନ୍ନ ସମୟରେ ଏହି କ୍ୟାମ୍ପ ସ୍ଥାପନକୁ ବିରୋଧ କରିଆସୁଥିଲେ। ମଙ୍ଗଳବାର ମାଓବାଦୀମାନେ ଚଳପ୍ରଚଳ ହେଉଥିବା ସିଆର୍‌ପିଏଫ୍‌ ଯବାନମାନେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ମାଓ ଦମନ ପାଇଁ ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଅନ୍ୟପକ୍ଷରେ ପ୍ରାୟ ୧୧ଟା ସମୟରେ ଆମ୍ବୁସ ଲଗାଇ ମାଓବାଦୀମାନେ କ୍ୟାମ୍ପ ଉପରକୁ ଆକ୍ରମଣ କରିବାର ଯୋଜନା କରୁଥିଲେ। ଏହିସମୟରେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ଅତର୍କିତଭାବେ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଉଭୟପଟରୁ ବହୁ ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ପରେ ୩ ଜଣ ଯବାନ କ୍ୟାମ୍ପର ରୋଡ୍ ଓପନିଂ ପାର୍ଟି (ଆଓପି, ରୋଡ଼ କ୍ଲିୟରାନ୍ସ) ଭାବେ କାର୍ଯ୍ୟ କରିଥିଲେ। ମାଓବାଦୀମାନେ ଆମ୍ବୁସ ଲଗାଇ ଆଖୁବୁଜା ଗୁଳି ଚଲାଇବା ସହ କ୍ୟାମ୍ପ ଉପରକୁ ରକେଟ୍‌ ଲଞ୍ଜରରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସଂପୃକ୍ତ ୩ ଜଣ ଯବାନ ଘଟଣାସ୍ଥଳରେ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପରେ ଅନ୍ୟ ଯବାନମାନେ ହେଡ୍ କ୍ବାର୍ଟରକୁ ତୁରନ୍ତ ଘଟଣା ସମ୍ପର୍କରେ ଜଣାଇବା ପରେ ଆମ୍ବୁଲାନ୍ସ ସହ ଫୋର୍ସ ପହଞ୍ଚିଥିଲେ। ଘଟଣାସ୍ଥଳରୁ ୩ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ୫ ଜଣ ଯବାନଙ୍କୁ ବୋଡ଼େନ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ଛତିଶଗଡ଼ ପୁଲିସ୍‌ ସର୍ଚ୍ଚ ଅପରେସନ ଜାରି ରଖିଛି। ଖବରପାଇ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଜି ରାଜେଶ ପଣ୍ଡି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ ୨୦ ମଇରେ ମାଓବାବାଦୀମାନେ ଓଡ଼ିଶା-ଛତିଶଗଡ଼ ରାଜ୍ୟର ସୀମାର ଦେଓଭୋଗ-ଗରିଆବନ୍ଧ ରାଜ୍ୟ ରାଜପଥର ବୁଢଗେଲଟପ୍ପା ଗାଁ ନିକଟରେ ଗଛ କାଟି ରାସ୍ତା ଅବରୋଧ କରି ବେନର ପୋଷ୍ଟର ଲଗାଇ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦରା, ଧୋବଘାଟ, ଖଡୁପାନି, ଭଇଁଷାଦାନି ଗାଁରେ ନିର୍ମାଣାଧୀନ ନୂତନ ଓ ପୁରୁଣା ପୁଲିସ୍ କ୍ୟାମ୍ପକୁ ହଟାଇବାକୁ ଅନୁରୋଧ କରିଥିଲେ। ପୁଣି ଏ ଅଞ୍ଚଳରେ ନିର୍ମାଣାଧୀନ ପୋଲ, ମୋବାଇଲ ଟାୱାର, ପର୍ଯ୍ୟଟନସ୍ଥଳ, ପୁଲିସ୍ କ୍ୟାମ୍ପ ସ୍ଥାପନକୁ ବନ୍ଦ କରିବାକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର