ରାଇଘର/ଫୁଲବାଣୀ : ସହିଦ ସପ୍ତାହର ପ୍ରଥମ ଦିନରେ ନବରଙ୍ଗପୁର ଓ ଫୁଲବାଣୀ ଜିଲ୍ଲାରେ ମାଓବାଦୀ ବ୍ୟାନର୍ ଲଗାଇଛନ୍ତି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ମାଓବାଦୀ ନିଜ ସ୍ଥିତି ଜାହିର କରିଛନ୍ତି। ସହିଦ ସପ୍ତାହ ପାଳନ ଆହ୍ବାନ ଦେଇ ମୈନପୁର-ନୂଆପଡ଼ା ଡିଭିଜନାଲ୍ କମିଟି ପକ୍ଷରୁ ରାଇଘର-କୁସୁମପୁର ରାସ୍ତାରେ ବ୍ୟାନର ଲଗାଯାଇଛି। ସେହିପରି ରାଇଘର ବ୍ଲକ୍ କୁନ୍ଦେଇ ଥାନା ଦେଓଭରଣ୍ଡି, ଯୋଡ଼ିଙ୍ଗା, ନୂଆଗାଁ ମୁଖ୍ୟ ରାସ୍ତା ଏବଂ ଗଞ୍ଜାପାରା ଓ ମାଡ଼ଗାଁ ରାସ୍ତା ମଝିରେ ମାଓ ପୋଷ୍ଟର ଓ ବ୍ୟାନର୍ ଦେଖିବାକୁ ମିଳିଛି।
ରାଇଘର-କୁସୁମପୁର ରାସ୍ତା ମଝିରେ ବ୍ୟାନର ଲାଗିଥିବାରୁ କିଛି ଘଣ୍ଟା ପାଇଁ ଯାତାୟାତ ବନ୍ଦ ରହିଥିଲା। ରାଇଘର ପୁଲିସ୍ ବ୍ୟାନର ଜବତ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସଂଗଠନ ପକ୍ଷରୁ ଲାଗିଥିବା ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ପ୍ରତି ଜନ ସମର୍ଥନ ବୃଦ୍ଧି ପାଇଁ ବିଭିନ୍ନ ଗାଁରେ ସଭା ସମିତି କରିବାକୁ ସଂଗଠନ ବ୍ୟାନରରେ ଉଲ୍ଲେଖ କରିଛି। ଶୁକ୍ରବାର ସକାଳୁ ପୋଷ୍ଟର ଓ ବ୍ୟାନର୍ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ରାଇଘର ପୁଲିସ୍ ଓ ସୁରକ୍ଷାକର୍ମୀ ରାସ୍ତାରୁ ବ୍ୟାନର ହଟାଇବା ସହ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛନ୍ତି।
ସେହି ଭଳି ମାଓ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଡେରାକୁମ୍ପା ଗାଁ ନିକଟରେ ଏହି ବ୍ୟାନର ଲାଗିଛି। ଏହାସହ କୁଏରମାଣ୍ଡୁ, ପାହିରେଜୁ ଓ ବାଲାନ୍ଦାପଡ଼ା ଅଞ୍ଚଳର ବିଭିନ୍ନ ଜାଗାରେ ଏହି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/mao-bannar.jpg)