ମାଲକାନଗିରି/ ପଟ୍ଟାଙ୍ଗୀ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ବିରୋଧୀ ଦଳ ଗୁଡିକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ଏହାକୁ କୋରାପୁଟ-ଶ୍ରୀକାକୁଲମ ମାଓ ଡିଭିଜନ ସମର୍ଥନ କରୁଥିବା କୁହାଯାଇଛି। ଏ ନେଇ ମାଓ ସଂଗଠନର ଏକ ଅଡିଓ ଟେପ୍ ହସ୍ତଗତ ହୋଇଛି।
ମାଓନେତ୍ରୀ ଅରୁଣା ଏନେଇ ସ୍ପଷ୍ଟ କରିଛନ୍ତି ଯେ ଦୁଷ୍କର୍ମ ଘଟଣାକୁ ୧୦୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ପୀଡିତାକୁ ନ୍ୟାୟ ଦେଇପାରିଲା ନାହିଁ। ପୀଡିତା ବାରମ୍ବାର ୪ଜଣ ଯବାନଙ୍କ ବିରୋଧରେ କହୁଥିଲେ ମଧ୍ୟ ସରକାର ଜାଣିଶୁଣି ଚୁପ ରହିଲା। ସେ ଆତ୍ମହତ୍ୟା କରିନାହିଁ ବରଂ ସରକାର ଏବଂ ପୋଲିସ ପ୍ରଶାସନ ତାକୁ ହତ୍ୟା କରିଛନ୍ତି। ତେଣୁ ସଂଗଠନ ଏସପି, ଜିଲ୍ଲାପାଳ ଓ ଡିଆଇଜିଙ୍କ ବରଖାସ୍ତ ଚାହୁଁଛି। ଏଥିସହ ସରକାର ମଧ୍ୟ ଦାୟୀ ରହିଛନ୍ତି। ବିରୋଧୀ ଦଳ ଆଜି ଯେଉଁ ୧୨ଘଣ୍ଟିଆ ବନ୍ଦ ପାଳନ କଲେ ତାକୁ ଆମେ ସମର୍ଥନ କରୁଥିବା କଥା କହିଛନ୍ତି।
ଏଥିସହ ଆସନ୍ତା ୨୫ ଏବଂ ୨୬ ତାରିଖରେ ମଧ୍ୟ ବନ୍ଦ ପାଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି ଅରୁଣା। ଜାନୁଆରି ୨୬କୁ ଗଣତନ୍ତ୍ର ଦିବସ ରୂପେ ସରକାର ମନାଇବାକୁ ଯାଉଥିବା ବେଳେ ଏହାକୁ କଳା ଦିବସ ରୂପେ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତା ୪୮ ଘଣ୍ଟା ବନ୍ଦ ପାଳନ କରିବା ସହ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ସେ ଆହ୍ଵାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/barang-band-.jpg)