ଫୁଲବାଣୀ : କନ୍ଧମାଳରେ କେକେବିଏନ ମାଓବାଦୀ ସକ୍ରିୟ ଥିବା ବେଳେ ସେମାନଙ୍କ ସହ ସାମିଲ ହୋଇଛନ୍ତି ବିଜିଏନ ମାଓବାଦୀ ସଂଗଠନର ସଦସ୍ୟ। କନ୍ଧମାଳରେ ବଡଧରଣର ଅଘଟଣା ଘଟାଇବାକୁ ମାଓବାଦୀ ବ୍ଲୁପ୍ରିଣ୍ଟ ଚଳାଇଥିଲେ। ହେଲେ ଯବାନମାନେ ସେମାନଙ୍କ ବ୍ଲୁପ୍ରିଣ୍ଟଙ୍କୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି। ଆଖିବୁଜା ଗୁଳିମାଡରେ ଜୀବନ ଭୟରେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇ ମାଓବାଦୀ ପଳାଇ ଯାଇଛନ୍ତି। କ୍ୟାମ୍ପରୁ ୯ଏମଏମ ଗୁଳିଭର୍ତ୍ତି ପିସ୍ତଲ,୩ ରାଉଣ୍ଡ ଜୀବନ୍ତ ଗୁଳି, ୩ହଳ ପୋଷାକ, ୨ଟି ରେଡିଓ, ବିଦ୍ୟୁତ ତାର, ଟର୍ଚ୍ଚ, ମେଡିସିନ, ଖବର କାଗଜ, ବିଭିନ୍ନ ପୁସ୍ତକ ସହ ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷ ସାମଗ୍ରୀ ଠାବ କରାଯାଇଥିବା କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ ଏକ ଗଣମାଧ୍ୟମକୁ କହିଛନ୍ତି।
/sambad/media/post_attachments/wp-content/uploads/2020/01/plbjan19-kandhamal-sp-f-300x228.jpg)
ସଂପୃକ୍ତ ଅଞ୍ଚଳରେ ଯବାନମାନେ ଗତ ୧୭ ତାରିଖ ସକାଳେ ସର୍ଚ୍ଚ ଅପରେସନ କରୁଥିବା ବେଳେ ହଠାତ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଯବାନମାନେ ପାଲଟା ଗୁଳିମାଡ କରିଥିଲେ। ଗୁଳିବିନିମୟ ଘଣ୍ଟାଏ ଧରି ଚାଲିଥିଲା। ତାପରେ ମାଓବାଦୀ କ୍ୟାମ୍ପ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ। ସଂଧ୍ୟାରେ ପୁଣି ମାଓବାଦୀ ଯବାନଙ୍କ ଉପରକୁ ଗୁଳିମାଡ କରିବାରୁ ଉଭୟଙ୍କ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଯବାନମାନେ ସକାଳେ ୧୬୯ ଓ ସଂଧ୍ୟାରେ ୮୨ ରାଉଣ୍ଡ ଗୁଳିଚାଳନା କରିଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ ୧୦୦ରୁ ଉର୍ଦ୍ଧ୍ବ ରାଉଣ୍ଡ ଗୁଳିମାଡ ହୋଇଥିଲା। ଏଥିରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ପାରିପାର୍ଶ୍ବକ ସ୍ଥିତିରୁ କିଛି ମାଓବାଦୀ ଆହତ ହୋଇଥାଇ ପାରନ୍ତି ବୋଲି ଏସପି କହିଛନ୍ତି। ସଂପୃକ୍ତ ଅଞ୍ଚଳରେ କେକେବିଏନ ସହ ବିଜିଏନ ମାଓ ସଂଗଠନର ୨୫ରୁ ୩୦ ସଦସ୍ୟ ଥିଲେ। ସେଥି ମଧ୍ୟରୁ ୧୦ ଜଣ କ୍ୟାଡର ଥିଲେ। ୮ରୁ ୧୦ ଜଣ ମହିଳା ମାଓବାଦୀ ମଧ୍ୟ ରହିଥିଲେ। ଅଘଟଣା ଘଟାଇବାକୁ ଯୋଜନା ଚଳାଇଥିଲେ। କ୍ୟାଡର ବଣ୍ଟି,ସୁକ୍ର ଓ ମହିଳା କ୍ୟାଡର ମମତା ଏହାର ନେତୃତ୍ବ ନେଉଥିଲେ ବୋଲି ଏସପି କହିଛନ୍ତି। ସେମାନେ ଏକେ ୪୭ ରାଇଫଲ ବ୍ୟବହାର କରୁଥିବା ଏବଂ କୌଣସି ପୁଲିସ କ୍ୟାମ୍ପରୁ ଚୋରି କରି ଆଣିଥିବା କଥା ସେ କହିଛନ୍ତି। ଘଟଣା ପରେ କନ୍ଧମାଳରେ ମାଓବାଦୀ ଯେ ବେଶ ସକ୍ରିୟ ହୋଇ ପଡିଛନ୍ତି ତାହା ନିସନ୍ଦେହରେ କୁହାଯାଇ ପାରେ। ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି। ଯେ କୌଣସି ପରିସ୍ଥିତିର ସାମ୍ମା କରିବାକୁ ପୁଲିସ ପ୍ରସ୍ତୁତ ଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ଏସପି ଶ୍ରୀସିଂ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/plbjan19-mao-camp-1.jpg)