ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ-ପୁଲିସ ଗୁଳିବିନିମୟ : ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସ୍ବାଭିମାନ ଅଞ୍ଚଳରେ ମାଓ କ୍ୟାମ୍ପ ରହିଥିବା ଖବର ପାଇ ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ଡିଭିଏଫ୍ ଏବଂ ଏସଓଜି ବାହିନୀ ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଅଞ୍ଚଳକୁ କମ୍ବିଂ ପାଇଁ ଯାଇଥିଲେ। ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଏହି ଅଞ୍ଚଳରେ ନକ୍ସଲ ଏକଜୁଟ ହୋଇଥିବା ଖବରକୁ ଆଧାର କରି ଚଢ଼ଉ କରାଯିବା ପରେ ସେଠାରେ ମାଓବାଦୀ କ୍ୟାମ୍ପ କରି ରହିଥିବା ଜଣା ପଡ଼ିଥିଲା। ଆଜି ମଧ୍ୟାହ୍ନରେ ପୁଲିସଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲା। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଉଭୟ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ଖବର ଲେଖାଯିବା ବେଳକୁ ସେଠାରେ କମ୍ବିଂ ଜୋରଦାର ଚାଲିଥିଲା। ଆନ୍ଧ୍ର ଯବାନ ମଧ୍ୟ ଆନ୍ଧ୍ର ପଟୁ ଚଢ଼ଉ କରିଥିଲେ। ମାଓବାଦୀ ଯବାନଙ୍କର ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଏ ନେଇ ଏସ୍‌ପି ଶ୍ରୀ ଖିଲାରୀଙ୍କୁ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବାରୁ ସଂପୂର୍ଣ୍ଣ ବିବରଣୀ ଏଠାରେ ପ୍ରଦାନ କରା ଯାଇପାରୁନାହିଁ।

ପ୍ରକାଶ ଥାଉକି ଗତ ରବିବାର ଦିନ ଦୁଇ ଜଣ ହାର୍ଡକୋର ମାଓବାଦୀ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଫଳରେ ପୁଲିସକୁ ସ୍ବାଭିମାନ ଅଞ୍ଚଳରେ ଚଢ଼ଉ କରିବା ପାଇଁ ସହଜ ହୋଇଥିଲା। ଆତ୍ମସମର୍ପଣ କରିଥିବା କାନ୍ନା ଓ ଲାକ୍କେ ପୁଲିସ ନିକଟରେ ସ୍ବାଭିମାନ ଅଞ୍ଚଳର ସମସ୍ତ ମାନଚିତ୍ର ପ୍ରଦାନ କରିଛନ୍ତି। କେବଳ ଦୁଇଟି ଦଳ ହିଁ ସେଠାରେ କାମ କରୁଥିବା ଏମାନେ କହିଥିଲେ। ସୁରେଶ ଏବଂ କ୍ରିଷ୍ଣାକୁ ନେଇ ଦୁଇଟି ଦଳ ଗଠିତ ହୋଇଛି। ଏମାନେ ଦଶ ଜଣ ଲେଖାଏଁ ସଦସ୍ୟ ଧରି ଏହି ଅଞ୍ଚଳରେ ବୁଲୁଥିବା ସେମାନେ କହିଥିଲେ। ଆଜିର ଗୁଳିବିନିମୟ କାହା ସହ ହୋଇଥିଲା ଏବଂ ଏହି ଗୁଳିବିନିମୟରେ ମାଓବାଦୀଙ୍କର କେତେ କ୍ଷତି ହୋଇଛି ତାହା ଜଣା ପଡିନାହିଁ। ପୁଲିସ ମାଲକାନଗିରି ପହଞ୍ଚିବା ପରେ ହିଁ ସଂପୂର୍ଣ୍ଣ ବିବରଣୀ ମିଳିବ ବୋଲି କୁହାଯାଇଛି। ମାଲକାନଗିରି ପୁଲିସକୁ ମାଓ ଦମନରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳକୁ ସଂପୂର୍ଣ୍ଣ ମାଓ ମୁକ୍ତ କରାଯିବ ବୋଲି ସରକାର ଘୋଷଣା କରାଯିବା ପରେ ପୁଲିସ ତରଫରୁ ଘନ ଘନ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର