ମାଓବାଦୀ ଲାଗି ମିଳୁନି ମୁଠାଏ ଦାନା, ଶିବିର ନା ସମାଜ, କୋଉ କୂଳକୁ ନୁହଁ

କାଳିଆପାଣି : କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଗୋଖତ ହୁଡ଼ିସାହିର ନିରକ୍ଷର ଯୁବକ ପଞ୍ଚୁ ସୋରେନ (୩୪)। ୧୫ ବର୍ଷ ତଳେ ନକ୍ସଲ ଶିବିରରେ ସାମିଲ ହୋଇଯାଇଥିଲେ। ପରିସ୍ଥିତି ଚାପରେ ଦଳରୁ ଅଲଗା ହୋଇ ଆତ୍ମସମର୍ପଣ କରିଥିଲେ। ମାତ୍ର ପଞ୍ଚୁଙ୍କୁ କୌଣସି ସୁବିଧା ମିଳିନାହିଁ। ସେଦିନର ମାଓବାଦୀ ଆଜି ଦୟନୀୟ ଜୀବନଯାପନ କରୁଛନ୍ତି। ନା ମିଳିଛି ସରକାରୀ ସହାୟତା, ନା ବିକାଶର ମୁଖ୍ୟ‌ସ୍ରୋତରେ ସାମିଲ ହୋଇପାରିଛନ୍ତି। ଏବେ ୬ ପ୍ରାଣୀ କୁଟୁମ୍ବର ବୋଝ। ରୋଗିଣା ପତ୍ନୀ ଓ ୪ ପିଲାଙ୍କ ପେଟକୁ ମୁଠେ ଦାନା ଦେବା ତାଙ୍କ ପାଇଁ କାଠିକର ପାଠ ହୋଇଛି। ପରଘର ପୁରୁଣା ଲୁଗା ପିନ୍ଧୁଛନ୍ତି।

୨୦୦୭ ମସିହାରେ ଟପ୍‌ ମାଓନେତା ସୁଶୀଲ ଆହ୍ବାନରେ ପଞ୍ଚୁ ମାଓ ଶିବିରରେ ଯୋଗ ଦେଇଥିଲେ। ୬ ମାସ ଧରି ନୟ‌ାଗଡ଼ ଜିଲ୍ଲା ଅନ୍ତର୍ଗତ ଗସ୍‌ମା, ଦଶପଲ୍ଲା ଓ ନୂଆଗାଁର ବିଭିନ୍ନ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ତେବେ ପ୍ରାୟ ବର୍ଷକ ପରେ ପଞ୍ଚୁ ପରିସ୍ଥିତିରେ ପଡ଼ି କାଳିଆପାଣି ପୁଲିସ ନିକଟରେ ଜଣେ ମାଓବାଦୀ ଭାବେ ଆତ୍ମସମର୍ପଣ କରିଥିଲେ। ଏହା ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଏଯାବତ୍ ପୁଲିସ ପ୍ୟାକେଜ୍ ଓ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷରେ ମାଓବାଦୀର ଅପବାଦ ପାଇଁ ସେ ଗ୍ରାମବାସୀ, ଅଞ୍ଚଳବାସୀ ଓ ସ୍ଥାନୀୟ ନେତୃତ୍ବଙ୍କ ପାଖେ ଗ୍ରହଣୀୟ ହୋଇନପାରି ସମାଜର ମୁଖ୍ୟସ୍ରୋତ‌ରେ ବି ସାମିଲ ‌ହୋଇପାରିନାହାନ୍ତି।

ପଡ଼ୋଶୀ କୁମୁଡ଼ିବାହାଳି ଗାଁର ଯୁବତୀ ସନାଙ୍କୁ ସେ ବିବାହ କରିଛନ୍ତି। ସେମାନଙ୍କ ୪ ସନ୍ତାନ ଅଛନ୍ତି। ୨ ପୁଅ ପୂର୍ଣ୍ଣ(୧୧) ଓ ନାଗା(୧୦) ଏବଂ ୨ ଝିଅ ସୀତା(୪) ଓ ଜବା(୨)ଙ୍କୁ ନେଇ ତାଙ୍କ ପରିବାର। ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ମିଳୁଥିବା ୨୫ କିଲୋ ଚାଉଳ ପରିବାର ପାଇଁ ଏକମାତ୍ର ସାହାରା। ସାନଝିଅ ଜବା ନାଁ ଏଥିରେ ସାମିଲ ନାହିଁ। ଏତିକି ଚାଉଳରେ ଦିନକୁ ଥରେ ଭାତ ଖାଇବାକୁ ଅଣ୍ଟୁନି ବୋଲି ସନା କହନ୍ତି। ଗାଁ ପାଖରେ ମୂଲ୍ୟବାନ କ୍ରୋମାଇଟ୍‌ ଖଣି ଥିଲେ ବି ପଞ୍ଚୁ ସଂପୂର୍ଣ୍ଣ ବେକାର। ଜଙ୍ଗଲରୁ କାଠ କାଟି ବିକିଲେ ବି ତେଲଲୁଣ ଯୋଗାଡ଼ କରିବା କଷ୍ଟକର ହେଉଛି। ବର୍ଷାଦିନେ ଜଙ୍ଗଲ ଯାଇ ଶୁଖିଲା କାଠ ସଂଗ୍ରହ ସହଜ ନ ଥିବାରୁ ଅଧାଦିନ ପେଟରେ ଓଦାକନା ଦେଇ ଶୋଇବାକୁ ପଡ଼ୁଛି। ଏମିତିରେ ଏହି ଗରିବ ଦମ୍ପତିଙ୍କ ପାଖେ ଜବ୍‌କାର୍ଡ ନାହିଁ। ସନା ଜନନୀ ସୁରକ୍ଷା ଯୋଜନା ତଥା ସରକାରଙ୍କ ‘ମମତା’ରୁ ଦୂରେଇ ରହିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଗାଁଠୁ ଦେଢ଼ କିଲୋମିଟର ଦୂରରେ ଥିବାରୁ ମାଆ ଓ ଶିଶୁ କେହି ଏଥିରୁ ଉପକୃତ ହେଉନଥିବା ଅଭିଯୋଗ ହୋଇଛି। ଆଦିବାସୀ ହୋଇ ଦୁଇପୁରୁଷ ଧରି ଜଙ୍ଗଲ ଜମିରେ ଘର କରି ରହୁଥିଲେ ମଧ୍ୟ ପଞ୍ଚୁ ଭୂମିହୀନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରୁ ସେ ବାଦ୍‌ ପଡ଼ିଛନ୍ତି। ମରାମତି ଅଭାବରୁ ସେ ରହୁଥିବା ଘର ବିପଦସଂକୁଳ ଅବସ୍ଥାରେ ଅଛି। ରୋଜଗାର ଓ ଖାଦ୍ୟାଭାବରେ ଜର୍ଜରିତ ଏହି ଦମ୍ପତି ଦିନକୁ ଦିନ ଶାରୀରିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ହୋଇପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ସରକାରୀ ସହାୟତା ବିନା ଏହି ପରିବାର ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂପର୍କରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତିଙ୍କୁ ଯୋଗାଯୋଗ କରିବାରେ ଏହି ଅବହେଳିତ ଆଦିବାସୀ ପରିବାରର ସହାୟତା ପାଇଁ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର