ମାଓବାଦୀଙ୍କ ତାଣ୍ଡବ ଲୀଳା,ପୋଡିଦେଲେ ପ୍ରାୟ ୨ କୋଟି ଟଙ୍କାର କେନ୍ଦୁପତ୍ର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦେବନ୍ଧରେ ଏକ କେନ୍ଦୁପତ୍ର ଗୋଦାମରେ ମାଓବାଦୀମାନେ ନିଆଁ ଲଗାଇଦେଇଛନ୍ତି | ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ନିଆଁ ଲଗାଇଦେଇଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ୩୦ରୁ ଉର୍ଦ୍ଧ୍ୱ ମାଓବାଦୀ ଆସିଥିଲେ | ୨୦ ଜଣ ମାଓବାଦୀ ଗୋଦାମ ବାହାରେ ଜଗିଥିବାବେଳେ ୧୦ ଜଣ ମାଓବାଦୀ ଗୋଦାମ ଭିତରେ ପଶି ବସ୍ତାବସ୍ତା କେନ୍ଦୁପତ୍ରରେ ନିଆଁ ଲଗାଇଦେଇଥିଲେ |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ମାଓବାଦୀମାନେ ଗାର୍ଡ,ଫରେଷ୍ଟର ଓ ରାତ୍ର ଜଗୁଆଳଙ୍କୁ ଦୁରକୁ ଡ଼ାକିନେଇ ଠିକାଦାର କିଏ ବୋଲି ପଚାରିଥିଲେ | ମାଓବାଦୀମାନେ ଗୋଦାମର ତାଲା ଭାଙ୍ଗି ନିଆଁ ଲଗାଇଦେଇଥିଲେ | ଏନେଇ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ | ପରେ ରେଞ୍ଜର ପୋଲିସ ଓ ବିଏସଏଫକୁ ଜଣାଇବା ପରେ ଦମକଳ ବିଭାଗ ରାତିରେ ନିଆଁ ଲିଭାଇଥିଲା |

ମାଓବାଦୀଙ୍କ ଏହି ତାଣ୍ଡବଲୀଳାରେ ପ୍ରାୟ ଏକ କୋଟି ୧୯ ଲକ୍ଷ ଟଙ୍କାର କେନ୍ଦୁପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଖବର ପାଇ ପୋଲିସ ପହଂଚି ତଦନ୍ତ କରୁଛି | ତେବେ ଚନ୍ଦାହାଣ୍ଡି ଅଞ୍ଚଳରେ ଏହା ପ୍ରଥମ ଥର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି |

ସମ୍ବନ୍ଧିତ ଖବର