ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟରେ ୨ବର୍ଷ ହେବ ମାଓବାଦୀଙ୍କ ସଂଗଠନ ଦୁର୍ବଳ ହେଉଥିବାରୁ ମାଓ ଉପସ୍ଥିତି ଜଣାପଡୁନଥିଲା। ହେଲେ ବର୍ତ୍ତମାନ ଅଭୟାରଣ୍ୟରେ ପୁଣି ମାଓବାଦୀମାନେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକଜୁଟ ହେଉଥିବା ସୂଚନା ମିଳିଛି। ସୁନାବେଡ଼ା ଅଭୟାରଣ୍ୟକୁ ହାତକୁ ନେବା ପାଇଁ ବର୍ତ୍ତମାନ ଛତିଶଗଡ଼–ଆନ୍ଧ୍ର ମାଓବାଦୀ ସଂଗଠନ ଏକଜୁଟ ହୋଇ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗାଁଗୁଡ଼ିକରେ ଗୁପ୍ତରେ ବୈଠକ କରି ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା, ସିନାପାଲି ଓ ବୋଡ଼େନ ବ୍ଲକ୍ର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଏକତ୍ର ହୋଇ ଗାଁର କିଛି ଲୋକଙ୍କୁ ନେଇ ବର୍ତ୍ତମାନ ଗୁପ୍ତ ଭାବେ ବୈଠକ କରିବା ସହ ସେମାନଙ୍କୁ ମାଓ ସଂଗଠନକୁ ସହଯୋଗ କରିବାକୁ ଅନୁରୋଧ କରୁଥିବା ଜଣାପଡ଼ିଛି।
ଏନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆନଗଲେ ଜିଲ୍ଲାରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହେବେ ବୋଲି ଆଲୋଚନା ହେଉଛି। ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀଙ୍କ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଏହି ସ୍ଥାନରେ ମାଓବାଦୀମାନେ ଏକାଠି ହୋଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥାନ୍ତି। ପୁଲିସ୍ ପକ୍ଷରୁ ବାରମ୍ବାର ଅଭୟାରଣ୍ୟରେ କମ୍ବିଂ କରାଯାଉଥିବା ବେଳେ ଛୋଟ ମାଓ କ୍ୟାମ୍ପ ଠାବ କରି ମାଓବାଦୀମାନେ ଛତ୍ରଭଙ୍ଗ ଦେଉଥିବା ସୂଚନା ଦିଆଯାଉଛି। ହେଲେ ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀଙ୍କ ଚରାଭୂମି ହୋଇଥିବା ବେଳେ ଏଠାରେ ରହି ଛତିଶଗଡ଼ ସହ ଓଡ଼ିଶାର ଅନ୍ୟ ଜିଲ୍ଲାରେ ସେମାନେ ବିଭିନ୍ନ ଅଘଟଣ ଘଟାଉଥିବା ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ କଳାହାଣ୍ଡିରେ ମାଓବାଦୀମାନେ ଜଣେ ଠିକାଦାରଙ୍କ କ୍ୟାମ୍ପରେ ପହଞ୍ଚି ୪ଟି ଗାଡ଼ି ପୋଡ଼ି ଦେବା ସହ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼କୁ ଚାଲିଯାଇଥିବା ଜଣାପଡ଼ିଥିଲା। ହେଲେ ଜିଲ୍ଲା ପୁଲିସ୍ ଏ ସମ୍ପର୍କରେ ନଜାଣିବାରୁ ମାଓବାଦୀମାନେ ଏହାର ସୁଯୋଗ ନେଉଥିବା କହାଯାଉଛି।
ପ୍ରକାଶ ଯେ, ଗତ ୨୦ ତାରିଖ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ସିନାପାଲି ନିକଟରେ ମାଓବାଦୀମାନେ ପୋଷ୍ଟର, ବ୍ୟାନର ମାରି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଧୋବଘାଟ, ଖଡୁପାନି, ଭଇଁଷାଦାନୀ ଗାଁରେ ନିର୍ମାଣାଧୀନ ନୂତନ ଓ ପୁରୁଣା ପୁଲିସ୍ କ୍ୟାମ୍ପ ହଟାଇବାକୁ ଅନୁରୋଧ କରିଥିଲେ। ପୁଣି ଏ ଅଞ୍ଚଳରେ ନିର୍ମାଣାଧିନ ପୋଲ, ମୋବାଇଲ ଟାୱାର, ପର୍ଯ୍ୟଟନସ୍ଥଳ, ପୁଲିସ୍ କ୍ୟାମ୍ପ ନିର୍ମାଣ ବନ୍ଦ କରିବାକୁ ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ ସୁନାବେଡ଼ା ଅଭୟାରଣ୍ୟର ୫୦ ପ୍ରତିଶତ ଅଞ୍ଚଳ ଓଡ଼ିଶାରେ ଥିବା ବେଳେ ଅନ୍ୟ ୫୦ ପ୍ରତିଶତ ଛତିଶଗଡ଼ ରାଜ୍ୟର ରହିଛି। ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଅଞ୍ଚଳ ସୁନାବେଡ଼ା-ମେନପୁର ଡିଭିଜନର ମୁଖ୍ୟ ଗଡ଼ ରହିଥିଲା। ଅଭୟାରଣ୍ୟଟି ୨ଟି ରାଜ୍ୟକୁ ସଂଯୋଗ କରିଥିବା ସହ ଘଞ୍ଚ ଜଙ୍ଗଲ ହୋଇଥିବାରୁ ମାଓବାଦୀମାନେ ଏହାକୁ ଏକ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି।
ଏହି ଅଭୟାରଣ୍ୟ ମାଓବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଛତିଶଗଡ଼, ଆନ୍ଧ୍ରପ୍ରଦେଶର ମାଓବାଦୀ ସଂଗଠନ ଠୁଳ ହୋଇ ଓଡ଼ିଶାକୁ ପ୍ରବେଶ କରିଥାନ୍ତି। ଅଭୟାରଣ୍ୟଟି ଓଡ଼ିଶାର କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଲାଗି ରହିଥିବାରୁ ମାଓବାଦୀମାନେ ଅନାୟସରେ ପ୍ରବେଶ କରିଥାନ୍ତି। ବର୍ତ୍ତମାନ ମାଓବାଦୀ ପୁଣି ସଂଗଠନକୁ ମଜଭୁତ କରୁଥିବା କହାଯାଉଥିବାରୁ ଜିଲ୍ଲା ପୁଲିସ୍ ଓ ସିଆର୍ଫିଏଫ୍ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଏ ସମ୍ପର୍କରେ ନୂଆପଡ଼ା ଏସ୍ପି ପ୍ରତ୍ୟୁଷ ଦିବାକରଙ୍କୁ ଫୋନ କରାଯାଇଥିଲେ ମଧ୍ୟ ଫୋନ୍ ଉଠାଇ ନଥିବାରୁ ମତାମତ ମିଳିପାରି ନାହିଁ।