ବିଶ୍ରା/ରାଉରକେଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ତଲାସି ଅଭିଯାନ ଜୋରଦାର ହେବା ପରେ ମାଓବାଦୀମାନେ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିଛନ୍ତି। ଆଜି ସିଆର୍ପିଏଫ୍ କୋବ୍ରା ବାଟାଲିୟନ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ଆଇଇଡି ବିସ୍ଫୋରଣ କରିଛନ୍ତି ମାଓବାଦୀ। ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲାରୁ ମାତ୍ର ୧୮ କିମି ଦୂର ଦୀଘା ନିକଟ ହିନ୍ଦୁକୁଲିରେ ହୋଇଥିବା ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ହେଡ୍ କନେଷ୍ଟବଳ ରାମପ୍ରବେଶ ସିଂ ଓ କନେଷ୍ଟବଳ ଛୋଟୁ କଚ୍ଛପଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୪୦ ମିନିଟ୍ରେ ସିଆର୍ପିଏଫ୍ କୋବ୍ରାବାହିନୀ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚଳାଇଥିବାବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରିଉଠିବା ସହ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଯବାନ ରାମପ୍ରବେଶ ଓ ଛୋଟୁ ବିସ୍ଫୋରଣ ସଂସ୍ପର୍ଶରେ ଆସିଥିବାବେଳେ ଅନ୍ୟମାନେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯିବା ସହ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସିପିଆଇ ମାଓବାଦୀ ସଂଗଠନର ଶୀର୍ଷନେତା ମିସିର ବେସରା, ଅନ୍ମୋଲ ସମେତ ଅନେକ ଦୁର୍ଦ୍ଦାନ୍ତ ମାଓବାଦୀ ସରଣ୍ଡା ଜଙ୍ଗଲରେ ସକ୍ରିୟ ଅଛନ୍ତି। ପୂର୍ବରୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଅନେକ ଯବାନ ସହିଦ ହୋଇଛନ୍ତି। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ନିରନ୍ତର ଅଭିଯାନ ଚଳାଇ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ମାଓବାଦୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/09/fhfhhfbvbv-2025-08-09-00-54-35.jpg)