ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ!

ଛତିଶଗଡ଼, ଆନ୍ଧ୍ର କ୍ୟାଡରଙ୍କ ଦ୍ବାରା ଚାଲିଛି ଜନସମ୍ପର୍କ ଅଭିଯାନ

ନୂଆପଡ଼ା : ମାଓ ସହିଦ ସପ୍ତାହ ପୂର୍ବରୁ ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି। ଏଠାରେ ଉଭୟ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର୍‌ ସକ୍ରିୟ ରହିଥିବା ଅନୁମାନ କରାଯାଉଛି।

ବୁଧବାର ଅଭୟାରଣ୍ୟର ବୋଡ଼େନ ପାଟଦରା ଓ କୁନ୍ଦେନଝରିଆ ସଂରକ୍ଷିତ ଜଙ୍ଗଲରେ ଯବାନମାନେ ମାଓବାଦୀଙ୍କ ବଡ଼ ଧରଣର ଯୋଜନାକୁ ପଣ୍ଡ କରି ମାଓକ୍ୟାମ୍ପ ଠାବ କରିଥିଲେ। ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ବହୁ ହିନ୍ଦୀ ଓ ତେଲୁଗୁ ପୁସ୍ତକ ରହିଥିଲା। ଏଥିରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ମାଓ କ୍ୟାଡରଙ୍କ ନାମ ରହିଥିଲା। ଏହି ସୂଚନାରୁ ଜଣାପଡ଼ୁଛି ଯେ, ସୁନାବେଡ଼ା ଅଭୟାରଣ୍ୟରେ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ସକ୍ରିୟ ଅଛନ୍ତି। ଅଭୟାରଣ୍ୟର ଗଙ୍ଗାଦେଇଗଡ଼, ନଙ୍ଗଲବୋଡ଼, ପାଟଦରା ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ପୁଣି ଆରମ୍ଭ ହୋଇଛି। ନିଜ ସଙ୍ଗଠନକୁ ଆଗେଇ ନେବାପାଇଁ ମାଓବାଦୀମାନେ ପାହାଡ଼ର ତଳି ଅଞ୍ଚଳରେ ଥିବା ବିଭିନ୍ନ ଗାଁରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ କ୍ୟାଡରର ମାଓବାଦୀ ମାନେ ଏକତ୍ର ହୋଇଥିବା ଚର୍ଚ୍ଚା ହେଉଛି। ପୁଲିସ ପକ୍ଷରୁ କମ୍ବିଂ ହେଉଥିବାରୁ ମାଓବାଦୀ ମାନେ ଗାଁର ମୁଖିଆଙ୍କୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରି ଜିଲ୍ଲାରେ ସ୍ଥିତି ଜାହିର ପାଇଁ ଚେଷ୍ଟା କରୁଛନ୍ତି। ୪୦ ରୁ ୫୦ ଜଣ ମାଓବାଦୀ ଦଳବଦ୍ଧ ହୋଇ ଗ୍ରାମବାସୀଙ୍କୁ ନେଇ ଏହି ଅଭିଯାନ ଜାରି ରଖିଥିବା ବିଶେଷ ସୂତ୍ରରୁ ପ୍ରକାଶ। ନୂଆପଡ଼ା ଜିଲ୍ଲାରେ ମାଓ ସଙ୍ଗଠନ ନିଜର ସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ସମୟରେ ହିଂସାକାଣ୍ତ ଘଟାଇଛନ୍ତି। ଆଗାମୀ ଦିନରେ ମଧ୍ୟ ବଡ଼ ଧରଣର ହିଂସାକାଣ୍ଡକୁ ଏଡ଼ାଇ ଦିଆଯାଇ ନପାରେ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୬ ମସିହାରୁ ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା। ୨୦୦୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେମାନେ ୩ଜଣ ପୁଲିସ କର୍ମଚାରୀଙ୍କ ସହ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେହିପରି ସୁନାବେଡ଼ାରେ ଛତିଶଗଡ଼ ପୁଲିସର ୯ଜଣ ଯବାନଙ୍କୁ ଏକା ସାଙ୍ଗରେ ମାଓବାଦୀ ମାନେ ହତ୍ୟା କରିଥିଲେ। ପରେ ମାଓ ଦମନ ପାଇଁ ସରକାର ଏଠାରେ ସିଆର୍‌ପିଏଫ, ଏସ୍‌ଓଜି, କୋବ୍ରା ବାହିନୀଙ୍କୁ ମୁତୟନ କରିଥିଲେ। ଏହି ଫୋର୍ସ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ କମ୍ବିଂ କରାଯାଉଥିଲେ ମଧ୍ୟ ମାଓ କ୍ୟାମ୍ପ ଠାବ ହୋଇପାରୁନଥିଲା। ୨୦୧୩ ମସିହାରେ ସୁନାବେଡ଼ା ଗ୍ରାମବାସୀ ମାଓବାଦୀଙ୍କ ବିରୋଧରେ ସ୍ବର ଉଠାଇଥିଲେ। ସୁନାବେଡ଼ା ପଞ୍ଚାୟତରେ ମାଓବାଦୀଙ୍କୁ ପୂରାଇ ନଦେବାକୁ ଗ୍ରାମବାସୀ ଅସ୍ତ୍ରଶସ୍ତ୍ର ଧରି ଜଗି ରହିଥିଲେ। ଜିଲ୍ଲା ପ୍ରଶାସନ ଏହି ଖବର ପାଇ ସୁନାବେଡ଼ାରେ ଏକ କ୍ୟାମ୍ପ ସ୍ଥାପନ କରିଥିଲା। ଏଥିପାଇଁ ମାଓ ସଙ୍ଗଠନକୁ ଶକ୍ତଧକ୍କା ଲାଗିଥିଲା, ଜିଲ୍ଲା ପୁଲିସ ଜଣେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରିପାରିଥିଲା। ପରେ ପରେ ଜିଲ୍ଲାରେ ମାଓ ଗତିବିଧି ହ୍ରାସ ପାଇଥିଲା। କିନ୍ତୁ ଗତ କିଛି ମାସ ହେଲା ସୁନାବେଡ଼ା ଅଭୟାରଣ୍ୟ ପୁଣି ମାଓବାଦୀମାନଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି। ନିଜକୁ ସୁରକ୍ଷିତ ରଖିବା ପାଇଁ ସୁନାବେଡ଼ା ଅଭୟାରଣ୍ୟର ଗଙ୍ଗାଦେଇଗଡ଼, ନଙ୍ଗଳବୋଡ଼, କେନ୍ଦୁଝରଣ, ପାଟଦରା, ସିରିଗିଡ଼ି ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନ ବାଛି ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ମାଓ ଦମନରେ ପୁଲିସ କେତେ ସକ୍ଷମ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର