ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ ସକ୍ରିୟ: କନ୍ଧମାଳ ପୁଲିସ ଟାର୍ଗେଟ‌ରେ ମାଓ ନେତା ମୁରଲୀ

ଫୁଲବାଣୀ : କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ‌ଏବେ ମାଓବାଦୀମାନେ ଖୁବ୍‌ ସକ୍ରିୟ ହୋଇପଡ଼ିଛନ୍ତି, ଯାହାକି ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଗୋଟିଏପଟେ କନ୍ଧମାଳ-କଳାହାଣ୍ଡି ସୀମା ବେଲଘର, ଗୁମା, ଝିରିପାଣି, ଲଙ୍କାଗଡ଼ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀମାନେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଅନ୍ୟପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତବର୍ତ୍ତୀ ଗୋଛାପଡ଼ା, କଣ୍ଟାମାଳ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏସବୁ ଇଲାକାରେ ବିଶେଷକରି କେକେବିଏନ୍‌ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନ ବେଶ ସକ୍ରିୟ ରହିଛି। ଏହାର ନେତା ମୁରଲୀ ମଧ୍ୟ ଏସବୁ ଜଙ୍ଗଲରେ ରହି ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ବଡ଼ଧରଣର ଅଘଟଣ ଘଟାଇବା ପାଇଁ ମାଓନେତା ମୁରଲୀ ଯୋଜନା ଚଳାଇଛି ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଗୋଛାପଡ଼ା, କଣ୍ଟାମାଳ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। କନ୍ଧମାଳ ପୁଲିସ ପାଇଁ ଏବେ ମାଓନେତା ମୁରଲୀ ପୁଲିସର ମୋଷ୍ଟ ୱ‌ାଣ୍ଟେଡ଼।

ପୁଲିସ୍‌ ମୁରଲୀ ଏବେ ଫିରିଙ୍ଗିଆର ସୁମେରୁବନ୍ଧ ଜଙ୍ଗଲ, ଗୋଚ୍ଛାପଡ଼ା ଏବଂ ବାଲିଗୁଡ଼ାର ଖମନଖୋଲ ଜଙ୍ଗଲ ଅଞ୍ଚଳରେ ଘୂରି ବୁଲୁ ଥିବା ପୁଲିସ ଜାଣିବାକୁ ପାଇଛି। ତାକୁ ଧରିବା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଯାଇଛି। ସେହିଭଳି ମାଓବାଦୀ ସଂଗଠନ ବିଜିଏନ୍‌ (ବଂଶଧାରା-ଘୁମୁସର-ନାଗାବଳୀ) ଡିଭିଜନ୍‌ ମଧ୍ୟ କନ୍ଧମାଳ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଅପରପକ୍ଷେ, ଜିଲ୍ଲାର ଫିରିଙ୍ଗିଆ, ଗୋଚ୍ଛାପଡ଼ା, ବାଲିଗୁଡ଼ାର ଖମନଖୋଲ, ବେଲଘର ଆଦି ଅଞ୍ଚଳରେ କୁମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି ବୋଲି ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷକ ମଧ୍ୟରେ ପୁଲିସ ଗୁଳିରେ କନ୍ଧମାଳ ଜିଲ୍ଲାରେ ୧୩ ଜଣ ମାଓ ନେତା ନିହତ ହୋଇଛନ୍ତି। ଏବେ ବି ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି। ଫଳରେ ଗତ କିଛିଦିନ ଧରି ଉଭୟ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଶାନ୍ତ ହୋଇଉଠିଛି।

ଅନ୍ୟପକ୍ଷରେ, ନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ସିଆରପିଏଫ କ୍ୟାମ୍ପ ଏବେ ଚଳଚଞ୍ଚଳ ହୋଇ ଉଠିଛି। କନ୍ଧମାଳ ଜିଲ୍ଲାରେ ମୋଟ ୧୨ଟି ସିଆର୍‌ପିଏଫ୍‌ କ୍ୟାମ୍ପ ରହିଛି। ଜିଲ୍ଲାର ‌କୋଟଗଡ଼ ବ୍ଲକ୍‌ର କୋଟଗଡ଼, ଶ୍ରୀରାମପୁର, ସୁବର୍ଣ୍ଣଗିରି, ତୁମୁଡ଼ିବନ୍ଧ ବ୍ଲକ୍‌ର ତୁମୁଡ଼ିବନ୍ଧ, ବେଲଘର, ବାଲିଗୁଡ଼ା ବ୍ଲକ୍‌ର ବାଲିଗୁଡ଼ା, ସାଡ଼ିଙ୍ଗିଆ, ଖମନଖୋଲ, ବାରଖମା ଏବଂ ଫିରିଙ୍ଗିଆ ବ୍ଲକ୍‌ର ଗୋଛାପଡ଼ା ଓ ବାଲନ୍ଦାପଡ଼ାରେ ସିଆରପିଏଫ୍‌ କ୍ୟାମ୍ପମାନ ରହିଛି। ଗତ ୬ ମାସ ମଧ୍ୟରେ ୧୦ରୁ ଊର୍ଦ୍ଧ୍ବ ଥର ପୁଲିସ ଓ ମାଓବାଦୀମାନେ ମୁହାଁମୁହିଁ ହୋଇ ସାରିଲେଣି। କିନ୍ତୁ ଗତ ୯ ତାରିଖ ମାଓ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀମାନେ ଆଦୌ ପଛଘୁଞ୍ଚା ଦେଉ ନଥିବାରୁ ପୁଲିସ ମଧ୍ୟ ପଛକୁ ହଟୁନାହିଁ। ଫଳରେ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି। ଏବେ ମାଓବାଦୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଜଙ୍ଗଲରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି।

ସମ୍ବନ୍ଧିତ ଖବର