୮ବର୍ଷ ଜେଲ୍‌ରେ ମାଓନେତା ସବ୍ୟସାଚୀ: ୧୩୦ ମାମଲା; ଗୋଟିଏରେ ଆଜୀବନ, ୬୦ରେ ନିର୍ଦୋଷ

ବ୍ରହ୍ମପୁର : ୨୦୧୪ ଜୁଲାଇ ୧୭ତାରିଖ। ସେ ଦିନ ଓଡ଼ିଶା ମାଓବାଦୀ ପାର୍ଟିକୁ ଏକ ବଡ଼ ଝଟ୍‌କା ମିଳିଥିଲା, ଆଉ ଓଡ଼ିଶା ପୁଲିସକୁ ବିରାଟ ସଫଳତା। ବହୁବର୍ଷ ଧରି ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ରହିଥିବା ମାଓନେତା ତଥା ଓଡ଼ିଶା ମାଓବାଦୀ ପାର୍ଟିର ମୁଖିଆ ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍‌ପେଟା ସାହିର ଏକ ଭଡ଼ାଘରୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହା ପରଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସବ୍ୟସାଚୀଙ୍କ ନାଁରେ ମୋଟ ମୋଟ ୧୩୦ଟି ମାମଲା ଲଗାଇଥିଲା ପୁଲିସ। ତନ୍ମଧ୍ୟରୁ ୬୦ ମାମଲାରେ ସେ ନିର୍ଦ୍ଦୋଷ ହୋଇ ସାରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ସୂଚନା ଦେଇଛନ୍ତି। ସବ୍ୟସାଚୀ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ମାମଲାରେ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଏହି ରାୟକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ଅପିଲ୍‌ କରା ଯାଇଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଇତି ମଧ୍ୟରେ ସବ୍ୟସାଚୀ ବ୍ରହ୍ମପୁର ଜେଲ୍‌ରେ ୮ବର୍ଷ ବିତାଇ ସାରିଲେଣି।

ବିଶେଷ କରି ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାରେ ଓଡ଼ିଶା ମାଓବାଦୀ ପାର୍ଟି ଅପରେଟ୍‌ କରୁଥିଲା। ପରେ ପଶ୍ଚିମ ଓଡ଼ିଶାର ବୌଦ୍ଧ, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏମାନଙ୍କ କାର୍‌ନାମା ଦେଖିବାକୁ ମିଳିଥିଲା। ଗତ ୨୦୧୪ ଜୁଲାଇ ମାସରେ ପାର୍ଟିର ମୁଖିଆ ସବ୍ୟସାଚୀ ଗିରଫ ହେବା ପରେ ଲାଲ୍‌ ଦୁର୍ଗ ଏକ ପ୍ରକାର ଦୁର୍ବଳ ପଡ଼ି ଯାଇଥିଲା। ସବ୍ୟସାଚୀ ଗିରଫ ହେବା ପରେ ଜଣେ ପରେ ଜଣେ ଦୁର୍ଦ୍ଦାନ୍ତ ମାଓ ଅଭିଯୁକ୍ତ ଧରା ପଡ଼ିଥିଲେ। ଆଉ କେତେଜଣ ଆତ୍ମସମର୍ପଣ କରିଥିଲେ। ସବ୍ୟସାଚୀଙ୍କ ଗିରଫ ଘଟଣାକୁ ଏବେ ୮ବର୍ଷ ପୂରିଛି। ତାଙ୍କ ନାଁରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ରାୟଗଡ଼ା ଜିଲ୍ଲାରେ ମାମଲା ରହିଛି। ଅଧିକାଂଶ ମାମଲାରେ ସାକ୍ଷୀ ବିଚାରଣା ସମାପ୍ତ ହୋଇ ସାରିଥିବା ସବ୍ୟସାଚୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। କେବଳ ରାୟଗଡ଼ାର ସମସ୍ତ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏବେ ପାରଳାଖେମୁଣ୍ଡି, ବାଲିଗୁଡ଼ା, ଗୁଣପୁର, ଭଞ୍ଜନଗର, ନୟାଗଡ଼ କୋର୍ଟରେ ମାମଲା ବିଚାରାଧୀନ ରହିଛି। ସବ୍ୟସାଚୀ ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ପୁଲିସ ତାଙ୍କ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରିଥିଲା। ପୁଲିସ କୋର୍ଟରେ ଆବଶ୍ୟକ ପ୍ରମାଣ ଦାଖଲ କରିପାରି ନଥିବାରୁ ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ ହେଉଥିବା ତାଙ୍କର ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଗକୁ ତାଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡ଼ିକରେ ମଧ୍ୟ ଉପଯୁକ୍ତ ତଥ୍ୟ, ପ୍ରମାଣ ନଥିବାରୁ ସେ ଦୋଷମୁକ୍ତ ହେବେ ବୋଲି ଆଇନଜୀବୀ ଶ୍ରୀ ପଟ୍ଟନାୟକ ଆଶା ରଖିଛନ୍ତି।

ବଡ଼ବଜାର ଥାନା ମଙ୍ଗଳବାରମ୍‌ପେଟା ସାହିରୁ ଗିରଫ ମାମଲାରେ ଆଇପିସିର ଦଫା ୧୨୧(କ)/୧୨୪ରେ ଦେଶଦ୍ରୋହ କାର୍ଯ୍ୟକଳାପ ପାଇଁ ତାଙ୍କୁ ବ୍ରହ୍ମପୁର ଏଡିଜେ ୨୦୧୯ ମେ ମାସରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେ ସମୟରେ ସେହି ଭଡ଼ାଘରୁ ପୁଲିସ ଲାପ୍‌ଟପ୍‌, ପେନ୍‌ଡ୍ରାଇଭ୍‌ ଓ ହାର୍ଡ଼ଡିସ୍କ୍‌ ଜବତ ହୋଇଥିଲା। ସେଗୁଡ଼ିକରୁ ଦେଶ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କିତ ସେମିତି କୌଣସି ବଳିଷ୍ଠ ପ୍ରମାଣ ମିଳି ନାହିଁ। ଏଣୁ ଏହି ରାୟକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ଅପିଲ୍‌ କରାଯାଇଛି ବୋଲି ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ବ୍ରହ୍ମପୁରରେ ସବ୍ୟସାଚୀଙ୍କ ନାମରେ ମୋଟ ୩ଟି ମାମଲା ରହିଥିବା ବେଳେ ଅନ୍ୟ ଦୁଇଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର