ଦେଶ ବିରୋଧୀ ମାମଲା : ସବ୍ୟସାଚୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ ପେଟା ସାହିରୁ ମାଓନେତା ସବ୍ୟସାଚୀ ପଣ୍ଡା ଓରଫ୍‌ ସୁନୀଲଙ୍କୁ ଗିରଫ ମାମଲା(ଏସ୍‌ଟି-୩୩/୧୫)ର ଆଜି ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୧ (ଏଡିଜେ) ସଂଜୟ କୁମାର ସାହୁ ସବ୍ୟସାଚୀଙ୍କ ବିରୋଧରେ ପୁଲିସ ଲଗାଇଥିବା ଦଫା ଓ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌, ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ନେଇ ବଳିଷ୍ଠ ପ୍ରମାଣ ଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୫ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି।

ସବ୍ୟସାଚୀଙ୍କୁ ଗତ ୨୦୧୪ ଜୁଲାଇ ୧୭ତାରିଖ ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ ପେଟା ସାହି ସ୍ଥିତ ଏ. ଚନ୍ଦ୍ରା ରାଓଙ୍କ ଭଡ଼ା ଘରୁ ପୁଲିସ ଗିରଫ କରିଥିଲା। ଯାହାକି ସେ ସମୟରେ ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ସଫଳତା ଥିଲା। ସବ୍ୟସାଚୀଙ୍କୁ ଗିରଫ ସମୟରେ ପୁଲିସ ସେହି ଭଡ଼ା ଘରୁ ଗୋଟିଏ ବନ୍ଧୁକ, କିଛି ପ୍ରଚାର ପତ୍ର, ୧୦ଟି ମୋବାଇଲ, ଲାପ୍‌ଟପ୍‌ ୨ଲକ୍ଷ ୧୧ହଜାର ଟଙ୍କା, ୮ଶହ ଗ୍ରାମ ସୁନା, ପେନ୍‌ଡ୍ରାଇଭ୍‌ ପ୍ରଭୃତି ଜବତ କରିଥିଲା। ବଡ଼ ବଜାର ଥାନା ପୁଲିସ କେସ୍ ନମ୍ବର ୧୨୭/୧୪ରେ ସବ୍ୟସାଚୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସବ୍ୟସାଚୀଙ୍କ ବିରୋଧରେ ପୁଲିସ ବେଆଇନ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ସହିତ ୟୁଏପି ଆକ୍ଟ ଓ ଦେଶ ବିରୋଧୀ କାର୍ଯ୍ୟକଳାପ ମାମଲା ଲଗାଇଥିଲା। ଏହି ମାମଲାରେ ପର୍ଯ୍ୟାୟ କ୍ରମେ ମୋଟ ୧୬ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ଼ ହୋଇଥିଲା। ବିଚାରଣା ବେଳେ ସବ୍ୟସାଚୀ ନିଜକୁ ଜଣେ ଚାଉଳ ବ୍ୟବସାୟୀ ବୋଲି କୋର୍ଟରେ ବୟାନ୍ ଦେଇଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଆଜି କଡ଼ା ସୁରକ୍ଷା ବଳୟରେ ମାଓନେତା ସବ୍ୟସାଚୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆଣି ଏଡିଜେ-୧ଙ୍କ କୋର୍ଟରେ ହାଜର କରା ଯାଇଥିଲା। ସରକାରୀ ଓକିଲ ଏବଂ ପ୍ରତିପକ୍ଷଙ୍କ ଓକିଲ ତାଙ୍କର ଅନ୍ତିମ ଯୁକ୍ତି ରଖିବା ପରେ କୋର୍ଟ ରାୟ ଶୁଣାଇଥିଲେ। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ କୋର୍ଟ ସବ୍ୟସାଚୀଙ୍କୁ ବିଭିନ୍ନ ଦଫାରେ ଦଣ୍ଡିତ କରିବା ସହ ଦଫା-୧୨୧ରେ‌ ଦେଶ ବିରୋଧୀ କାର୍ଯ୍ୟକଳାପ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସବ୍ୟସାଚୀଙ୍କ ନାଁରେ ମୋଟ ୧୩୪ଟି ମାମଲା ରହିଛି। ତନ୍ମଧ୍ୟରୁ ୫୧ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଛନ୍ତି। ସେ ମଧ୍ୟରୁ ବ୍ରହ୍ମପୁରରେ ୩ଟି ମାମଲାର ବିଚାର ଶେଷ ହୋଇଛି। ପୂର୍ବରୁ ୨ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଥିଲେ। ତୃତୀୟ ମାମଲାରେ ଆଜି ସବ୍ୟସାଚୀଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି। ସବ୍ୟସାଚୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛନ୍ତି। ନ୍ୟାୟ ପାଇଁ ସେ ଉପର କୋର୍ଟରେ ଆଶ୍ରୟ ନେବେ‌ ବୋଲି କହିଛନ୍ତି। ସରକାରଙ୍କ ତରଫରୁ ଏପିପି ଜ୍ଞାନେନ୍ଦ୍ରନାଥ ଜେନା, ଅନୀଲ ସାହୁ ଏବଂ ସବ୍ୟସାଚୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର