ଛତିଶଗଡ଼ର କୁଖ୍ୟାତ ମାଓନେତ୍ରୀ ସୁମିତ୍ରାଙ୍କୁ କ‌ରୋନା!

ଛୁଟିରେ ଘରକୁ ପଠାଇ ଦେଇଥିଲା ସଂଗଠନ, ଜଙ୍ଗଲରୁ ଗିରଫ କଲେ ଡିଆରଜି ଯବାନ

ମାଲକାନଗିରି : ଛତିଶଗଡ଼ର କୁଖ୍ୟାତ ମାଓନେତ୍ରୀ ସୁମିତ୍ରା କରୋନାରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରିଛି ନକ୍ସଲ ସଂଗଠନ। ତେଣୁ ତାଙ୍କୁ ଛୁଟି ଦିଆଯାଇଥିବା ବେଳେ ସୁସ୍ଥ ହେଲେ ପୁଣି ସଂଗଠନକୁ ଫେରିବାକୁ କୁହାଯାଇଥିଲା। ଘରକୁ ଫେରି ଜଙ୍ଗଲରେ ଲୁଚି ରହିଥିଲେ ସୁମିତ୍ରା କିନ୍ତୁ ପୁଲିସ ହାବୁଡ଼ରେ ପଡ଼ିବାରୁ ତାଙ୍କୁ ଗିରଫ କରାଯାଇଛି। କୋର୍ଟ ଚାଲାଣ କରିବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ପୁଲିସ। ଏହି ଘଟଣା ପରେ ନକ୍ସଲ ସଂଗଠନରେ ମଧ୍ୟ କରୋନାକୁ ନେଇ ପ୍ରବଳ ଭୟ ରହିଥିବା ସ୍ପଷ୍ଟ ହୋଇଯାଇଛି। ସେହିପରି ସଂଗଠନ କେତେ ସତର୍କ ତାହା ମଧ୍ୟ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ମୋଦକପାଲ ଥାନା ଅଞ୍ଚଳରେ ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ମହିଳା ଜଣକ ଅଧିକାଂଶ ସମୟ ପେଦକାବାଲୀ ଗାଁ ନିକଟସ୍ଥ ଜଙ୍ଗଲରେ ହିଁ ରହୁଥିବା ବି ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହାପରେ ଡିଆର୍‌ଜି ଯବାନ ଏହି ଅଞ୍ଚଳରେ ସନ୍ଦିଗ୍ଧ ମହିଳାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ସେହି ମହିଳା ଠାବ ହେବାରୁ ଯବାନମାନେ ତାଙ୍କୁ ଧରିବା ପରେ ପଚରାଉଚୁରା ଆରମ୍ଭ କରିଥିଲେ। ଯେଉଁ ତଥ୍ୟ ମହିଳାଙ୍କୁଠାରୁ ମିଳିଲା ତାହା ପୁଲିସକୁ ଚକିତ କରିଥିଲା। ମହିଳା ଜଣକ ସଂଗଠନର ଏକ ନମ୍ବର ବାଟାଲିୟନର ପ୍ଲାଟୁନ ନମ୍ବର ୩ରେ ସକ୍ରିୟ ଥିବା ମାଓନେତ୍ରୀ ସୁମିତ୍ରା ଚେବା ବୋଲି ଜଣାପଡ଼ିଥିଲା। ମୋଦପାଲ ଗାଁର ଚିନ୍ନା ଚେବାଙ୍କ ଝିଅ ସୁମିତ୍ରା ୨୦୧୦ ମସିହାରୁ ସଂଗଠନରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିଥିଲେ। ଥଣ୍ଡା ଜ୍ବର ସହ ବାରମ୍ବାର କାଶ ହେବାରୁ ସଂଗଠନ ତାଙ୍କୁ କିଛି ଦିନ ତଳେ ଛୁଟି ଦେଇଥିଲା। ତେଣୁ ସେ ନିଜ ଗାଁକୁ ଫେରି ଜଙ୍ଗଲରେ ରହିଥିଲେ।

କେବଳ ସୁମିତ୍ରା ନୁହଁନ୍ତି; ତାଙ୍କ ଭଳି ବହୁ ମାଓବାଦୀ ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ। ଯାହାକି ଏବେ ସଂଗଠନକୁ ଏକପ୍ରକାର ଦୁର୍ବଳ କରିଥିବା ବେଳେ ସମସ୍ତେ ଚିନ୍ତାରେ ରହିଥିବା ଜଣାପଡ଼ିଛି। କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ସଂଗଠନ ଛୁଟିରେ ପଠାଇ ଦେଉଥିବା ସୁମିତ୍ରା ସ୍ବୀକାର କରିଛନ୍ତି। ମାଓ କମାଣ୍ଡର ହିଡ଼ମା ହିଁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିବା ସୁମିତ୍ରା ପୁଲିସକୁ କହିଛନ୍ତି। ବର୍ତ୍ତମାନ ସଙ୍ଗରୋଧରେ ସୁମିତ୍ରା ରହିଥିବା ବେଳେ ସ୍ବାବ୍ ସଂଗ୍ରହ କରାଯାଇଛି। ୨୮ଦିନ ଧରି ତାଙ୍କୁ ସଙ୍ଗରୋଧରେ ରଖିବା ପରେ ପଚରାଉଚୁରା କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ଆଇଜି ସୁନ୍ଦରରାଜ ବି. ପ୍ରକାଶ କରିଛନ୍ତି। ଏହାପରେ ମାଓବାଦୀ ମଧ୍ୟ କରୋନାରେ ସଂକ୍ରମିତ ହେଉଥିବା ନେଇ ପୁଲିସ ଅନୁମାନ କରୁଛି। ଏଥିପାଇଁ ସୀମାନ୍ତ ଏବଂ ଦୁର୍ଗମ ଗ୍ରାମ ଗୁଡ଼ିକରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି। ମାଓବାଦୀଙ୍କୁ ସହଯୋଗ ନ କରିବା ଏବଂ କୌଣସି ଅଜଣା ଲୋକଙ୍କୁ ଗାଁରେ ନ ପଶାଇବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର