ଫୁଲବାଣୀ :ସିପିଆଇ ମାଓ ସଂଗଠନ ପକ୍ଷରୁ ଆଜିଠାରୁ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ମାଓବାଦୀଙ୍କ ସହିଦ ସପ୍ତାହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଯଦିଓ କନ୍ଧମାଳରେ ମାଓବାଦୀ ଏ ନେଇ କୌଣସି ପୋଷ୍ଟର ମାରି ନାହାନ୍ତି। ତା ସତ୍ତ୍ବେ ଅନ୍ୟ ଜିଲ୍ଲାରେ ମାଓବାଦୀ ଦେଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କନ୍ଧମାଳରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଗାଡିମଟର ଯାଞ୍ଚ ସହ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି।

Advertisment

ସବୁ ଥାନାକୁ ନିଜ ନିଜ ଅଞ୍ଚଳରେ ସଜାଗ ରହିବା ସହ ଗାଡି ଯାଞ୍ଚ କଡାକଡି କରିବାକୁ କୁହାଯାଇଛି। ଅଜଣା ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛ। ବିଶେଷତଃ ଜିଲ୍ଲାର ମାଓ ଉପଦ୍ରବ ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଛାପଡା, କୋଟଗଡ,ବାଲିଗୁଡା ଏବଂ କେ.ନୂଆଗାଁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଥିବା ନେଇ ପୁଲିସ ସୁତ୍ରରୁ ଜଣା ପଡିଛି। ମାଓବାଦୀ ବନ୍ଦ ଡାକରା ଦେଇଥିବାରୁ ଆଜିଠାରୁ କନ୍ଧମାଳରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି।