ନକ୍ସଲଙ୍କ ସହିଦ ସପ୍ତାହ : ସୀମାନ୍ତରେ କଡ଼ା ସୁରକ୍ଷା, କମ୍ବିଂ ଅପରେସନ ଜୋର୍‌ଦାର୍‌

୭ ନକ୍ସଲ ନିହତ ଘଟଣାର ପ୍ରତିଶୋଧ ପାଇଁ ଯୋଜନା, ଉଦ୍ଧାର ହେଲା ୨ ଆଇଇଡି ବୋମା, ଡେଟୋନେଟର

ରାଉରକେଲା : ଛତିଶଗଡ଼ରେ ଗତାକାଲି ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ୭ ନକ୍ସଲ ନିହତ ହେବାପରେ ନକ୍ସଲଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଇଛି। ଆଜିଠାରୁ ଏହି ସହିଦ ସପ୍ତାହ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୪ ତାରିଖ ଯାଏଁ ପାଳନ କରାଯିବ। ଏହାସହ ଅଗଷ୍ଟ ୩ ଓ ୪ ତାରିଖ ଦୁଇଦିନ ଧରି ବନ୍ଦ ଡାକରା ଦିଆଯାଇଛି। ଉକ୍ତ ଦୁଇ ଦିନ ସମସ୍ତ ଗାଡ଼ି ଚଳାଚଳ, ଦୋକାନବଜାର, ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ଆହ୍ବାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସୀମାନ୍ତ ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ଜରୈକେଲା, ରାଏବଗା, ନୂଆଗାଁ, ଚାନ୍ଦିପୋଷ, ଗୁରୁଣ୍ଡିଆ ଅଂଚଳରେ ସୁରକ୍ଷା ବ୍ୟବସ୍ଥା‌ କଡ଼ା କରାଯାଇଛି। ଏସବୁ ଅଞ୍ଚଳରେ ଡଗ୍‌ ସ୍କ୍ବାଡ୍‌ ସହ ସିଆର୍‌ପିଏଫ୍‌, ସ୍ଥାନୀୟ ପୁଲିସ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିଛନ୍ତି। ଏହାସହ ଓଡ଼ିଶା ସୀମାରେ କମ୍ବି ଅପରେସନକୁ ଜୋରଦାର କରାଯାଇଛି।ରେଳ ବିଭାଗ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଗ୍ୟାଙ୍ଗମ୍ୟାନ, ଟ୍ରାକ୍‌ମ୍ୟାନମାନଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆର୍‌ପିଏଫ୍‌ ସଂଖ୍ୟାରେ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଧିକସଂଖ୍ୟକ ଆରପିଏଫ୍‌ ରାଉରକେଲାରେ ମୁତୟନ କରାଯିବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ହୋଇଛି। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାରରେ ମଧ୍ୟ ଅନୁରୂପଭାବେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ ଏନକାଉଣ୍ଟରରେ ୭ ନକ୍ସଲ ନିହତ ହେବାପରେ ତେଲେଙ୍ଗାନାର ନକ୍ସଲଙ୍କ ଶୀର୍ଷ ନେତୃତ୍ବ ବର୍ତ୍ତମାନ ଛତିଶଗଡ଼ରେ ଡେରା ପକାଇଛନ୍ତି। ‌ଯେ କୌଣସି ସମୟରେ ବଡ଼ଧଣରଣର ହମ୍‌ଲା ପାଇଁ ନକ୍ସଲଙ୍କ ଯୋଜନା ରହିଥିବା ଛତିଶଗଡ଼ ପୁଲିସକୁ ଗୁପ୍ତ ସୂଚନା ମିଳିବାପରେ ଏନେଇ ଓଡ଼ିଶାକୁ ମଧ୍ୟ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ଓଡ଼ିଶା ସୀମାନ୍ତର ପ୍ରତ୍ୟେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା, ଯାଞ୍ଚ, କମ୍ବିଂ ଅପରେସନକୁ ତୀବ୍ର କରାଯାଇଛି। ଅପରପକ୍ଷରେ ଆଜି ଝାଡ଼ଖଣ୍ଡ ପୁଲିସ୍‌ ବନିଆବନ୍ଧ ଜଙ୍ଗଲରୁ ୨ଟି ଆଇଇଡି ବୋମା ଓ ୨୦ଟି ଜେଲୋଟିନ ଉଦ୍ଧାର କରାଯାଇଛି। ବଡ଼ଧରଣର ଅଘଟଣ ପାଇଁ ନକ୍ସଲ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର