ମାଟିଖାଲ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ 

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା। ଜାନୁଆରି ୨୬କୁ ଆଖି ଆଗରେ ରଖି ପୁଲିସ ଓ ବିଏସଏଫ ତରଫରୁ ସ୍ୱାଭିମାନ ଅଞ୍ଚଳରେ କମ୍ବିଂ ଅପରେସନକୁ  ଜୋରଦାର କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ୍ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ମାଟିଖାଲ ଜଙ୍ଗଲରେ ସ୍ଥାନୀୟ ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲା ବେଳେ ମାଓବାଦୀଙ୍କ ଦ୍ବାରା ଜଙ୍ଗଲରେ ଲୁଚାଇ ରଖାଯାଇଥିବା ମାଓ ପୁସ୍ତିକା, ମାଓ ପୋଷାକ ସହ ବିପୁଳ ପରିମାଣର ବୋମା ତିଆରି କରିବା ସାମଗ୍ରୀ ଓ ତାର ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଗୋରାସେତୁ ଠାରେ ମୁତୟନ ହୋଇଥିବା ନବମ ବାଟାଲିୟନର ବିଏସଏଫ ଯବାନ ବିଶେଷ ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ମାଟିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏହି ସମୟରେ ଜଙ୍ଗଲ ମଧ୍ୟରେ ଏକ ଡ୍ରମରେ ପୋତା ହୋଇ ରଖାଯାଇଥିବା ବହୁ ପରିମାଣର ବୋମା ତିଆରି ସାମଗ୍ରୀକୁ ଜବତ କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ବିଏସଏଫ ତରଫରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଥିବାରୁ ପୂର୍ବଭଳି ସେଠାରେ ଆଉ ମାଓବାଦୀ ଚଳପ୍ରଚଳ କରିପାରୁନାହାନ୍ତି କି ଗ୍ରାମବାସୀ ମଧ୍ୟ ମାଓବାଦୀଙ୍କୁ ସମର୍ଥନ ଦେଉନାହାନ୍ତି। ଫଳରେ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର, ବୋମା, ବୋମା ତିଆରି ସାମଗ୍ରୀ ସବୁ ଜଙ୍ଗଲରେ ଲୁଚାଇ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି। ନିକଟରେ ପଣସପୁଟ ପଞ୍ଚାୟତର ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସଏଫ ଏକ ଅଫୁଟା ବୋମା ସହିତ ବହୁ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ। କିଛି ଦିନ ପରେ ପୁଣି ଆଜି ବିଏସଏଫକୁ ମାଓ ସାମଗ୍ରୀ ଜବତ କରିବାରେ ଆଉ ଏକ ସଫଳତା ମିଳିଛି।

ସମ୍ବନ୍ଧିତ ଖବର