ପୁଣି ପ୍ରଦର୍ଶିତ ହେଲା ମାଓ ଅପରେସନର ଡକ୍ୟୁମେଣ୍ଟାରି ଭିଡିଓ

ଭୁବନେଶ୍ୱର : ସୁରକ୍ଷାକର୍ମୀଙ୍କ ବାରମ୍ବାର ଅପରେସନ ଓ ଏନ୍‌କାଉଣ୍ଟର ଯୋଗୁଁ ଦିନକୁ ଦିନ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଏବେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ମାଓବାଦୀମାନେ ଜୋରଦାର୍‌ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଦୁର୍ଗମ ଅଞ୍ଚଳରେ ପ୍ରଜାମେଳି କରି ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଥିବା ବେଳେ ବୁର୍କାପାଲ୍‌ ଅପରେସନର ଭିଡିଓ ଦେଖାଇ ମାଓ ସମର୍ଥକଙ୍କୁ ସଂଗଠନ ସହ ଯୋଡ଼ିବାକୁ ଉଦ୍ୟମ କରୁଛି ଲାଲବାହିନୀ।

ମାଓବାଦୀଙ୍କ ଶକ୍ତି ପ୍ରଦର୍ଶନକୁ ପ୍ରମାଣିକ ଚଳଚ୍ଚିତ୍ର ଜରିଆରେ ମାଓ ବର୍ବରତାର ଚିତ୍ର ରଖି, ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛି ଲାଲବାହିନୀ। ଆଉ ଏଥିପାଇଁ ବ୍ୟବହାର ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ। ଏପଟେ କିନ୍ତୁ ମାଓବାଦୀଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ।

ସୁରକ୍ଷାକର୍ମୀଙ୍କ ଉପରେ ପିଏଲଜିଏ କ୍ୟାଡର୍‌ କରିଥିବା ଆକ୍ରମଣ ଏବଂ ମାଓଗଡ଼ରେ ପ୍ରଶାସନକୁ ଚ୍ୟାଲେଂଜ୍‌ ଦେଲା ଭଳି ଭିଡିଓ ସବୁ ସାମ୍ନାକୁ ଅଣାଯାଉଛି। ଆଉ ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି। ଏମିତିକି ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ବାର୍ତ୍ତା ପହଂଚାଇବାକୁ ପ୍ରୟାସ କରାଯାଉଛି। ୱାର୍ଡସ୍‌ ଅଫ ଭଳି ସୋସିଆଲ ମିଡ଼ିଆକୁ ମାଧ୍ୟମ ଭାବେ ବାଛି ନେଇଛନ୍ତି ମାଓବାଦୀ।

 

photo by : Naidunia

ଗ୍ରେନେଡ୍‌, ଏକେ-୪୭ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଦର୍ଶିତ ହେଉଛି-ଥ୍ରୀଡି ଭର୍ସନରେ। ତା’ସହ ହଲିଉଡ୍‌ ଫିଲ୍ମ ଶୈଳୀରେ ଦେଖାଯାଉଛି, ମାଓବାଦୀଙ୍କ ବର୍ବରତାର କାହାଣୀ। ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ସ୍ଥାନ ପାଇଥିବା ଖବରକୁ ମଧ୍ୟ ସ୍ଥାନ ଦିଆଯାଇଛି ମାଓବାଦୀଙ୍କ ଡକ୍ୟୁମେଣ୍ଟାରିରେ। ବୁର୍କାପାଲ ଅପରେସନର ଚିତ୍ର ଜରିଆରେ ମାଓବାଦୀ ଏବଂ ମାଓ ସମର୍ଥକଙ୍କ ମନୋବଳକୁ ମଜବୁତ କରିବାକୁ ହୋଇଛି ଉଦ୍ୟମ। ଡକ୍ୟୁମେଣ୍ଟାରି ଜରିଆରେ ଏସବୁ ଚିତ୍ର ରଖିବା ପଛରେ ମାଓବାଦୀଙ୍କ ଗୋଟିଏ ଉଦ୍ଦେଶ୍ୟ-ପୁରୁଣା ଆତ୍ମବିଶ୍ୱାସ ଫେରି ପାଇବା । ମାଓବାଦୀଙ୍କ ମନୋବଳକୁ ମଜଭୁତ କରିବା ସହ ମାଓବାଦରେ ବିଶ୍ୱାସ କରୁଥିବା ଲୋକଙ୍କୁ ଲାଲ୍‌ ସଂଗଠନ ପ୍ରତି ଆକର୍ଷିତ କରିବା ।

ଗରିଲା ଯୁଦ୍ଧରେ ମାହିର ପିଏଲଜିଏ କ୍ୟାଡେରମାନେ କେମିତି ଘଂଚ ଜଙ୍ଗଲରେ ଅପରେସନ୍‌ କରନ୍ତି, କେମିତି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରନ୍ତି, ସେଇ ସବୁ ଚିତ୍ର ରଖାଯାଇଛି-ମାଓବାଦୀ ଜାରି କରିଥିବା ଡକ୍ୟୁମେଣ୍ଟାରିରେ। ହେଲେ ଏପଟେ କିନ୍ତୁ ମାଓବାଦୀଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ମାଓ ବର୍ବରକାଣ୍ଡକୁ ସମୂଳେ ଧ୍ୱଂସ କରିଦେବାକୁ ଆହ୍ଵାନ ଦେଇଛନ୍ତି ରାଜନାଥ ସିଂ। ସୁକମା ଆକ୍ରମଣ ଘଟଣାକୁ ମନେ ପକାଇ କହିଛନ୍ତି-ମାଓବାଦ ବର୍ତ୍ତମାନ ଦେଶ ପାଇଁ ବଡ ବିପଦ। ଲୋକମାନେ ବୁଝିଲେଣି-ମାଓବାଦୀ ହେଉଛନ୍ତି-ଗରିବ ବିରୋଧୀ, ଆଦିବାସୀ ବିରୋଧୀ ଏବଂ ବିକାଶ ବିରୋଧୀ।

ସମ୍ବନ୍ଧିତ ଖବର