ନୂଆପଡ଼ା : ଗତ ୨ ବର୍ଷ ହେଲା ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓ ସଂଗଠନର ସ୍ଥିତି ଦୁର୍ବଳ ଥିଲା। ପୁଣିଥରେ ସେମାନେ ନିଜ ସଂଗଠନ ସୁଦୃଢ଼ କରିବା ପାଇଁ ଏକଜୁଟ୍ ହେଉଥିବା ସୂଚନା ମିଳିଛି। ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ମାଓ କ୍ୟାମ୍ପ୍ ଠାବ ହେବାପରେ ଏକଥା ସ୍ପଷ଼୍ଟ ହୋଇଛି। କ୍ୟାମ୍ପରୁ ବିପୁଳ ସାମଗ୍ରୀ ଏପରିକି ୨ଟି ଟିଫିନ୍ ବୋମା ବି ଜବତ ହୋଇଛି। କିଛି ଦିନ ତଳେ ଅଭୟାରଣ୍ୟର ଝୋଲପଡ଼ା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୫୦ ରାଉଣ୍ଡ୍ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରୁ ଜଣାପଡ଼ୁଛି ଯେ ମାଓବାଦୀ ମାନେ ନିଜ ସଂଗଠନକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସୁନାବେଡ଼ା ଅଭୟାରଣ୍ୟର ୫୦ ପ୍ରତିଶତ ଅଞ୍ଚଳ ଓଡ଼ିଶାରେ, ବଳକା ଛତିଶଗଡ଼ ରାଜ୍ୟରେ ରହିଛି। ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଅଞ୍ଚଳ ସୁନାବେଡ଼ା-ମେନପୁର ଡିଭିଜନ୍ର ମୁଖ୍ୟଗଡ଼ ରହିଥିଲା। ଅଭୟାରଣ୍ୟଟି ୨ଟି ରାଜ୍ୟକୁ ସଂଯୋଗ କରୁଛି। ଘଞ୍ଚ ଜଙ୍ଗଲ ହୋଇଥିବାରୁ ମାଓବାଦୀ ମାନେ ଏହାକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି। ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଅଞ୍ଚଳର ମାଓବାଦୀ ମାନେ ଠୁଳ ହୋଇ ଓଡ଼ିଶାକୁ ପ୍ରବେଶ କରିଥାନ୍ତି। ଅଭୟାରଣ୍ୟଟି ବିଭିନ୍ନ ଜିଲ୍ଲା ସହିତ ସଂଲଗ୍ନ ରହିଛି। ଫଳରେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବେଶ କରିଥାନ୍ତି। ସଂଗଠନ ସୁଦୃଢ଼ କରିବା ପାଇଁ ବିଭିନ୍ନ ଉପାୟରେ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆକୃଷ୍ଟ କରୁଛନ୍ତି।
କିଛି ବର୍ଷ ମଧ୍ୟରେ ସୁନାବେଡ଼ା, ସୋସେଙ୍ଗ, ବାରକୋଟ, ଧରମବନ୍ଧା, ଭଇଷାଁଦାନୀ, ସିନାପାଲିରେ ସିଆର୍ପିଏଫ କ୍ୟାମ୍ପ ସ୍ଥାପିତ ହୋଇଛି। ଏଥିପାଇଁ ମାଓ ସଂଗଠନ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ପୂର୍ବ ଭଳି ଅଞ୍ଚଳବାସୀଙ୍କ ସମର୍ଥନ ବି ଆଉ ମିଳୁନାହାନ୍ତି। ମାଓବାଦୀଙ୍କ ପ୍ରରୋଚନାରେ ସ୍ଥାନୀୟ ଲୋକମାନେ କିଭଳି ନ ଆସିବେ ସରକାର ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରସ୍ତୁତି କରୁଛନ୍ତି। ପ୍ରକାଶ ଯେ ଏହି ଅଭୟାରଣ୍ୟରେ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି।