ବିଶ୍ରା: ଦିନିକିଆ ବନ୍ଦ ପାଳନବେଳେ ସିପିଆଇ ମାଓବାଦୀ ରେଳବାଇକୁ ଟାର୍ଗେଟ୍ କରିଛନ୍ତି। ଚକ୍ରଧରପୁର ରେଳମଣ୍ଡଳର ହାୱଡା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ଟ୍ରାକ୍ରେ ବୋମା ଖଞ୍ଜି ଟ୍ରେନ୍ ଉଡ଼ାଇବାର ଏକ ବଡ଼ ଷଡ଼୍ଯନ୍ତ୍ର କରିଥିଲେ ମାଓବାଦୀ। ସୌଭାଗ୍ୟବଶତଃ ତାହା ଫେଲ୍ ମାରିଛି। ରେଳ ପାଟ୍ରୋଲିଂ ଟିମ୍ର ସମୟୋଚିତ ପଦକ୍ଷେପ ଯୋଗୁ ରେଳ ଚଳାଚଳ ବନ୍ଦ କରାଯାଇ ବଡ଼ଧରଣର ଅଘଟଣକୁ ରୋକାଯାଇ ପାରିଛି।
ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ଦୁଇଟାବେଳେ ମାଓବାଦୀମାନେ ମନୋହରପୁର-ଜରେଇକେଲା ତୃତୀୟ ରେଳଲାଇନ୍ର ପୋଲ ସଂଖ୍ୟା ୩୭୮/୩୫ଏ ନିକଟରେ ରେଳ ଟ୍ରାକ୍ରେ ଗୋଟିଏ ମାଓ ବ୍ୟାନର୍ ଲଗାଇ ଦେଇଥିଲେ। ଏଥିସହିତ, ଟ୍ରାକ୍ର ଫିସ୍ପ୍ଲେଟ୍ କାଢ଼ିନେବା ସହ ବୋମା ଲଗାଇବା ପାଇଁ ଗାତ ମଧ୍ୟ ଖୋଳି ସାରିଥିଲେ। ଏହିସମୟରେ ରେଳ ପାଟ୍ରୋଲିଂ ଟିମ୍ ସେହି ସ୍ଥାନରେ ପହଞ୍ଚିବା ଯୋଗୁ ମାଓବାଦୀମାନେ ଗାତରେ ବୋମା ଲଗାଇ ନ ପାରି ପଳାଇ ଯାଇଥିଲେ। ପାଟ୍ରୋଲିଂ ଟିମ୍ଠାରୁ ସୂଚନା ପାଇବା ପରେ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷାବାହିନୀ ଘଟଣାସ୍ଥଳରେ ତଦନ୍ତ କରିବା ସହ ମାଓବ୍ୟାନର ଜବତ କରିଥିଲେ। ଏଥିସହିତ, ସଙ୍ଗେସଙ୍ଗେ ଏ ବିଷୟରେ ରେଳ ଡିଭିଜନ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଫଳରେ ରାତି ଦୁଇଟାଠାରୁ ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା।
ଟ୍ରେନ୍ ଚଳାଚଳ ବନ୍ଦ ହେବା ଯୋଗୁ ଜରେଇକେଲା ଷ୍ଟେସନରେ ଏର୍ଣ୍ଣାକୁଲମ୍-ଟାଟାନଗର ଏକ୍ସପ୍ରେସ୍, ଗୋଇଲକେରା ଷ୍ଟେସନରେ ଓଖା-ଶାଲିମାର ସୁପରଫାଷ୍ଟ ଏକ୍ସପ୍ରେସ, ସୋନୁଆ ଷ୍ଟେସନରେ ହାୱଡ଼ା-ମୁମ୍ବାଇ ମେଲ, ଚକ୍ରଧରପୁର ଷ୍ଟେସନରେ ଆଜାଦ ହିନ୍ଦ୍ ଏକ୍ସପ୍ରେସ୍କୁ ଅଟକାଇ ଦିଆଯାଇଥିଲା। ପରେ ସୁରକ୍ଷାବାହିନୀ, ବୋମା ନିଷ୍କ୍ରିୟ ସ୍କ୍ବାଡ୍, ମେଟାଲ ଡିଟେକ୍ଟର ଓ ସ୍ନିଫର କୁକୁର ସାହାଯ୍ୟରେ ଟ୍ରାକ୍ର ଯାଞ୍ଚ କରାଯାଇଥିଲା। କାଢ଼ି ଦିଆଯାଇଥିବା ଫିସ୍ପ୍ଲେଟ୍ ଓ ଟ୍ରାକ୍ର ମରାମତି କରାଯାଇଥିଲା। ଟ୍ରାକ୍ ଯାଞ୍ଚ କରି ସୁରକ୍ଷାବାହିନୀ ସବୁଜସଂକେତ ଦେବାପରେ ବୁଧବାର ସକାଳ ୬ଟାରୁ ସେହି ରୁଟ୍ରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଅପରପକ୍ଷେ ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିଶ୍ରା ବ୍ଲକ୍ର ଜରେଇକେଳା ବଜାର, ବ୍ୟାଙ୍କ, ରାଉରକେଲା-ମନୋହରପୁର ବସ୍ ଚଳାଚଳ ବନ୍ଦ ଥିଲା। ଜରେଇକେଳା ଅଞ୍ଚଳରେ ମାଓବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିଲା।