ଫୁଲବାଣୀ/ ତୁମୁଡିବନ୍ଧ/ କୋଟଗଡ : କନ୍ଧମାଳରେ ଛାଇଗଲେଣି ମାଓବାଦୀ। ବାଲିଗୁଡ଼ାରେ କମ୍ବିଂ ସାରି ଫେରୁଥିବା ଯବାନଙ୍କୁ ଗୁଳି, ପୁଲିସ-ମାଓବାଦୀ ମୁହାମୁହିଁରେ ମହିଳା କ୍ୟାଡରଙ୍କ ମୃତ୍ୟୁ ପରେ କନ୍ଧମାଳ ପୁଲିସକୁ ପୁଣି ବଡ଼ ଚ୍ୟାଲେଞ୍ଜ୍ ଦେଇଛନ୍ତି ମାଓବାଦୀ। କୋଟଗଡ଼ ଥାନା ଦୁର୍ଗାପାଙ୍ଗାରୁ ଜଣେ ଗାଁ ସାଥୀଙ୍କୁ ରାତି ଅଧରେ ଘରୁ ଅପହରଣ କରି ନେଇଛନ୍ତି। ପୁଲିସକୁ ଚେତାବନୀ ଦେଇ ଏକାଧିକ ପୋଷ୍ଟର୍ ଛାଡ଼ି ଯାଇଛନ୍ତି। ପୁଲିସ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ୍ ଚାଲିଛି। ହେଲେ ମାଓବାଦୀଙ୍କ ଧମକ ଯୋଗୁଁ ପରିବାର ଲୋକେ ପାଟି ଖୋଲୁ ନାହାନ୍ତି।
ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏରୁ ୨ ମଧ୍ୟରେ କୋଟଗଡ଼ ଥାନା ଦୁର୍ଗାପଙ୍ଗାର ଓଡ଼ିଆ ସାହିରେ ରହୁଥିବା ଗାଁ ସାଥୀ ବସନ୍ତ ଭଟ୍ଟ(୩୮)ଙ୍କ ଘରେ ୨୦ରୁ ୨୫ ଜଣ ମାଓବାଦୀ କବାଟ ଭାଙ୍ଗି ପଶିଥିଲେ। ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରି ନେଇଥିଲେ। ସେଠାରୁ ଯିବା ବେଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଯାଇଥିଲେ। ସେଥିରେ ନିଜକୁ ବିଜିଏନ୍ ଡିଭିଜନ ସିପିଆଇ(ମାଓବାଦୀ) ସଂଗଠନ ବୋଲି ସୂଚିତ କରିଛନ୍ତି। ଏଥିରେ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଯବାନ ସଂପୃକ୍ତ, ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା, ମହାନଦୀ ପାଣି କମ୍ପାନିଙ୍କୁ ନୁହେଁ ଚାଷୀଙ୍କୁ ଦେବାକୁ ଦାବି କରିବା ସହ ୨୧ ଅକ୍ଟୋବର ବନ୍ଦ ଡାକରାକୁ ସମର୍ଥନ ଜଣାଇବା ନିମନ୍ତେ ମାଓବାଦୀ ଆହ୍ଵାନ ଦେଇଛନ୍ତି। ଦୁର୍ଗାପାଙ୍ଗା ଚେକ୍ ଗେଟ୍ ଠାରୁ ଆରମ୍ଭ କରି ମେଡିକାଲ, ବିଦ୍ୟାଳୟ, ହନୁମାନ ମଣ୍ଡପ, ମନ୍ଦିର, ରାସ୍ତାପାଖ ଗଛରେ ଏଭଳି ବ୍ୟାନର, ପୋଷ୍ଟର, ହାତ ଲେଖା ଲିଫଲେଟ୍ ଲଗାଯାଇଛି।
ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ହେଲେ ଗାଁ ସାଥୀ ବସନ୍ତଙ୍କ ଆଜି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା କୌଣସି ଖୋଜଖବର ମିଳି ପାରି ନାହିଁ। ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାକୁ ଯାଇଛି। ଅନୁଧ୍ୟାନ କରି ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କନ୍ଧମାଳ ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/mao-poster1.jpg)