ବିଶ୍ରା: ବିଶ୍ରା ବ୍ଲକ୍ ଜରାଇକେଲା ସୀମାନ୍ତରୁ ୧୫ କିଲୋମିଟର ଦୂର ଝାଡ଼ଖଣ୍ଡ ମନୋହରପୁର ଥାନା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର୍ ଓ ବ୍ୟାନର୍ ଲଗାଇ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ମନୋହରପୁର-ଜରାଇକେଲା ମୁଖ୍ୟରାସ୍ତା ସମେତ କମରବେଡ଼ା, ଦୁକାରିଡ଼ିହ, ପଥରଭାସା ଓ ଆଖପାଖ ଅଞ୍ଚଳରେ କାନ୍ଥ, ଗଛ ଏବଂ ସାର୍ବଜନୀନ ସ୍ଥାନରେ ପୋଷ୍ଟର ଲଗାଇ ସୁରକ୍ଷାବାହିନୀ ଦ୍ୱାରା ଚାଲିଥିବା ମାଓ ବିରୋଧୀ ଅଭିଯାନକୁ ବିରୋଧ କରାଯାଇଛି।
ପୋଷ୍ଟରରେ ୨୮ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ଓ ଅଗଷ୍ଟ ୩ରେ ଝାଡ଼ଖଣ୍ଡ ସମେତ ୫ଟି ରାଜ୍ୟରେ ବନ୍ଦ ପାଳନ କରିବାକୁ ମାଓ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ପୋଷ୍ଟର ଓ ବ୍ୟାନର୍ଗୁଡ଼ିକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସର୍ଚ ଅପରେସନ୍କୁ ଜୋରଦାର କରାଯାଇଛି।