ବନ୍ତଳା : ପ୍ରେମ ପାଇଁ ଲୋକେ ସବୁକିଛି କରିପାରନ୍ତି। ଏଭଳି ଏକ ବିରଳ ଘଟଣା ଏବେ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଯେଉଁ ହାତ ଦିନେ ଧରିଧିଲା ବନ୍ଧୁକ, ସେହି ହାତରେ ଆଜି ଦେଖିବାକୁ ମିଳିଛି ଲାଲ ରଙ୍ଗର ମେହେନ୍ଦି ଓ ଶଙ୍ଖା। ଆଉ ମଥାରେ ରକ୍ତର ଟିକା ବଦଳରେ ସିନ୍ଦୂର। ପ୍ରେମ ପାଇଁ ମାଓବାଦୀ ସଂଗଠନ ଛାଡ଼ି ଥିବା ପ୍ରେମୀ ଯୁଗଳ ଆଜି ମଝିପଡ଼ା ଚମ୍ପେଶ୍ବର ଶିବ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ନେଇ ଟିକରପଡ଼ା ଅଂଚଳରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଏଭଳି ବିରଳ ବିବାହକୁ ଦେଖିବା ପାଇଁ ମଝିପଡ଼ାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିିଲା।

Advertisment

publive-image

ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗ୍ରାମର ପ୍ରଫୁଲ୍ଲ ଦେହୁରୀ ଓ ଭାବିନୀ ଦେହୁରୀଙ୍କ ୬ ଝିଅ ମଧ୍ୟରୁ ତିନି ନମ୍ବର ଝିଅ ହେଉଛନ୍ତି ଜଲି ଦେହୁରୀ(୧୯)। ୨୦୧୮ ଜାନୁୟାରିରେ ଟିକରପଡ଼ା ଅଂଚଳକୁ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନର ମାଓନେତା କୁନୁ ଦେହୁରୀଙ୍କ ନେତୃତ୍ବରେ ଏକ ମାଓବାଦୀ ଦଳ ଆସିଥିଲେ। କୁନୁ ଦେହୁରୀ ଓ ସଂଗଠନର ଅନ୍ୟ କେତେକ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ ଜଲି ହେଦୁରୀ। ସେମାନଙ୍କ ପ୍ରଲୋଭନରେ ପଡ଼ି ଘର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ ସେ। ତେବେ ସେଠାରେ ପ୍ରଶିକ୍ଷଣ ବେଳେ ମାଓବାଦୀ ଛୋଟୁ ଗଂଜୁ(୨୬)ଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଛୋଟୁଙ୍କ ଘର ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ସିରମ ଗ୍ରାମ‌େର। ତେବେ ସେମାନଙ୍କ ପ୍ରେମ ସଂପର୍କକୁ ମାଓବାଦୀମାନେ ସ୍ୱୀକୃତି ଦେଇନଥିଲେ। ମାତ୍ର ଗୋଟିଏ ମାସ ମଧ୍ୟରେ ସେମାନଙ୍କ ପ୍ରେମ ସଂପର୍କ ନିବିଡ଼ ହୋଇସାରିଥିଲା। ତେଣୁ ସେ ଦୁହେଁ ନିଜ ପ୍ରେମକୁ ସାକାର କରିବା ପାଇଁ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ।

ଏକଦା ସେମାନେ ଲୁଚି ପଳାଇ ଆସି ଅନୁଗୁଳ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନେ ସଂଗଠନ ଛାଡ଼ିବାର କିଛି ମାସ ପରେ କୁନୁ ଦେହୁରୀ ମଧ୍ୟ ସମ୍ବଲପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଛୋଟୁ କହିଛନ୍ତି। ଜଲି ଗାଁରେ ରହୁଥିବା ବେଳେ ଛୋଟୁ ଅନୁଗୁଳରେ ରହୁଛନ୍ତି। ଛୋଟୁଙ୍କ ପିତାମାତା ଆରପାରିକୁ ଚାଲିଗଲେଣି। ତାଙ୍କର ସାନଭାଇ ବିବାହ କରି ଗାଁରେ ରହୁଛନ୍ତି। ସାନଭାଇ ସହିତ ବିବାହ ସଂପର୍କରେ କଥାବାର୍ତ୍ତା କରିଥିଲେ। ଆଉ ଆଜି ମଝିପଡ଼ା ଚମ୍ପେଶ୍ବର ଶିବ ମନ୍ଦିର ପାରଂପରିକ ରୀତିରେ ନିଜ ସ୍ବପ୍ନର ରାଜକୁମାରୀ ଜଲି ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‌ଆଜି ଏହି ବିବାହ ଦେଖିବାକୁ ମନ୍ଦିର ନିକଟରେ ଶହ ଶହ ଲୋକଙ୍କର ଭିଡ଼ ମଧ୍ୟ ଲାଗିଥିଲା। ପୂର୍ବରୁ ଲାଲଗ଼ଡ଼ରେ ଜୀବନ କଟିଥିବା ଦୁଇ ପ୍ରେମୀ ଯୁଗଳଙ୍କ ବିବାହରେ ଗ୍ରାମବାସୀ ଭୋଜିଖାଇ ବେଶ ମସଗୁଲ୍ ହୋଇଥିଲେ।