ମାଓବାଦୀଙ୍କ ଓଡ଼ିଶା, ପୂର୍ବ ଛତିଶଗଡ଼ ବନ୍ଦ ଡାକରା କମ୍ବିଂରେ ୧୦ କଂପାନି ଫୋର୍ସ, ୧୭ ରୁଟରେ ଗାଡି ଚଳାଚଳ ଠପ୍

ରାୟଗଡା: ମାଓବାଦୀଙ୍କ ଓଡ଼ିଶା, ପୂର୍ବ ଛତିଶଗଡ଼ ବନ୍ଦ ଡାକରାର ପ୍ରଭାବ ରାୟଗଡା ଜିଲାରେ ପଡ଼ିଛି। ରାୟଗଡା-ବ୍ରହ୍ମପୁର, ରାୟଗଡା-ଫୁଲବାଣୀ-ଭଂଜନଗର ରାସ୍ତାକୁ ମାଓବାଦୀ ଗଛ ପକାଇ ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇପଡିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗର ୧୭ଟି ରୁଟରେ ଗାଡି ଚଳାଚଳ ବନ୍ଦ ରହିଛି। କମ୍ବିଂ ଅପରେସନରେ ସିଆରପିଏଫ୍, ବିଏସ୍ଏଫର ୧୦ କଂପାନି ଫୋର୍ସ ସହ ଡିଭିଏଫ୍ ଯବାନ ସାମିଲ୍ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ସରକାରଙ୍କ ଫାଶୀବାଦ ଶାସନ, ମାଓ ଦମନ ଅଭିଯାନକୁ ବିରୋଧ କରି ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍ ଏହି ବନ୍ଦ ଡାକରା ଦେଇଛି। ରାୟଗଡା, କଳାହାଣ୍ଡି ଜିଲ୍ଲାରେ ପୁଲିସ୍ ବିକାଶ ନାଁରେ ଆଦିବାସୀଙ୍କୁ ହଇରାଣ ହରକତ କରୁଛି। ଏଥି ସହ ନିୟମଗିରି ସମେତ ଗଚ୍ଛିତ ଥିବା ଖଣିଜ ସଂପଦକୁ ବହୁ ରାଷ୍ଟୀୟ କଂପାନି ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଥିବା ମାଓ ସଂଗଠନ ଅଭିଯୋଗ ଆଣିଛି। ଖଣି ମାଫିଆଙ୍କୁ ସୁହାଇବା ପାଇଁ ତ୍ରିଲୋଚନପୁରରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି, ଯାହାକୁ ମାଓ ସଂଗଠନ ସହ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ।
ବନ୍ଦ ଡାକରାକୁ ସଫଳ କରିବା ପାଇଁ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍ ସଂପାଦିକ ମାଓ ନେତ୍ରୀ ମିତାଙ୍କ ନେତୃତ୍ବରେ ରାୟଗଡା, କଳାହାଣ୍ଡି, କନ୍ଧମାଳରେ ମାଓବାଦୀ ବିଭିନ୍ନ ହିଂସା ଘଟାଇବାର ଯୋଜନା ରଖିଛନ୍ତି।

ଗତକାଲି ସଂଧ୍ୟାରେ ମାଓବାଦୀ ରାୟଗଡା-ବ୍ରହ୍ମପୁର ରାସ୍ତାର ମୁନିଗୁଡା-ତୁମୁଡିବନ୍ଧ, ବାଲିଗୁଡା-ଦାରିଙ୍ଗିବାଡି ରାସ୍ତାରେ ଗଛ କାଟି ପକାଇବା ସହ ଲ୍ୟାଣ୍ଡମାଇନ୍ ଖଞ୍ଜିଛନ୍ତି। ଫଳରେ ଜୟପୁରରୁ ଫୁଲବାଣୀ ଯାଉଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ ବିଭାଗ ବସ୍ ବିଷମକଟକରୁ ଫେରି ଆସି ରାୟଗଡାରେ ଅଟକିଛି। ପୁଲିସ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସିଲ୍ କରିବା ସହ କୋରାପୁଟ, କନ୍ଧମାଳ, କଳାହାଣ୍ଡି ମାଓ ପ୍ରବଣ ଅଞ୍ଚଳରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍ ଯବାନଙ୍କ ଦ୍ବାରା କମ୍ବିଂ ଓ ସର୍ଚ ଅପରେସନକୁ ଜୋରଦାର୍ କରିଛି। ଗୁଇନ୍ଦା ସୂଚନା ମୁତାବକ ପୁଲିସ୍ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ଘେରିବାକୁ ଉଦ୍ୟମ ଜାରି ରଖିଛି। ଗତ ୩ ଦିନ ଧରି ସମଗ୍ର ଜିଲ୍ଲାକୁ ପୁଲିସ୍ ନାକାବନ୍ଦୀ କରିବା ସହ କଲ୍ୟାଣସିଂହପୁର, ମୁନିଗୁଡା, ବିଷମ କଟକ, ଚନ୍ଦ୍ରପୁର, ଗୁଡାରି, ରାୟଗଡା, କାଶୀପୁର, କୋଲନରାରେ ଥିବା କେନ୍ଦ୍ରୀୟ ଯବାନଙ୍କୁ ଅପରେସନରେ ସାମିଲ୍ କରାଯାଇଛି। ଜିଲ୍ଲାର ଏହି ସମସ୍ତ ମାଓ ପ୍ରବଣ ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ ରହିଥିବା ଜଣା ପଡିଛି।

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ମାଓ ପ୍ରବଣ ଅଞ୍ଚଳକୁ ଯାତାୟତ କରୁଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମର ୧୭ଟି ବସ ଚଳାଚଳକୁ ବାତିଲ୍ କରାଯାଇଛି। ଜୟପୁର ଡିଭିଜିଓନାଲ୍ ଟ୍ରାନସପୋର୍ଟ ମ୍ୟାନେଜର୍ ଶ୍ରୀନିବାସ ପାଣିଗ୍ରାହୀଙ୍କ ସୂଚନାନୁଯାୟୀ, ଗୁଣପୁର-ଜୟପୁର, କାଶୀପୁର-ଜୟପୁର ଭାୟା ଦଶମନ୍ତପୁର, କାଶୀପୁର-ଜୟପୁର ଭାୟା ଓଡ଼ିଆପେଣ୍ଠ, ରାୟଗଡା-ନାରାୟଣପାଟଣା, ରାୟଗଡା-ଚନ୍ଦ୍ରପୁର, ଜୟପୁର-ଫୁଲବାଣୀ, ପାରଳାଖେମୁଣ୍ଡି-ଜୟପୁର, ଜୟପୁର-ମାଲକାନଗିରି, ଜୟପୁର-ମୋଟୁ (୧ ଓ ୨), ଭବାନୀପାଟଣା-ମୋଟୁ, କୋଟିଆ-ଜୟପୁର, ଜୟପୁର-ଭଦ୍ରାଞ୍ଚଳମ ଭାୟା ଚିତ୍ରକୋଣ୍ଡା, କୋରାପୁଟ-ଗୁପ୍ତେଶ୍ବର, ଇନ୍ଦ୍ରାବତୀ-ଚିତ୍ରକୋଣ୍ଡା, ନୀଳାଦ୍ରିନଗର-ଇନ୍ଦ୍ରାବତୀ, ଜୟପୁର-ପାର୍ବତୀପୁରମ୍, ଜୟପୁର-କଟାଗାଁ (ନବରଂଗପୁର) ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି। ଗତକାଲି ରାତିରେ ଭୁବନେଶ୍ବରରୁ ମୋଟୁ ଅଭିମୁଖେ ଆସିଥିବା ବସ୍ ରାୟଗଡାରେ ଅଟକି ରହିଛି।

ସମ୍ବନ୍ଧିତ ଖବର