ମାଓବାଦୀଙ୍କ ବନ୍ଦ ପାଳନ : କଟା ଗଛ ହଟାଇବାବେଳେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ବନ କର୍ମଚାରୀ

ଫୁଲବାଣୀ, : ଆଜି ମାଓବାଦୀଙ୍କ ବନ୍ଦ ପାଳନବେଳେ କନ୍ଧମାଳ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ରାସ୍ତା ଅବରୋଧ ପାଇଁ ପକା ଯାଇଥିବା ଗଛ ହଟାଇବାବେଳେ ପ୍ରଚଣ୍ଡ ବିସ୍ଫୋରଣ ଘଟି ରାସ୍ତାର କିଛି ଅଂଶ ଉଡ଼ିଯାଇଛି। ଗଛ ହଟାଇବା କାମରେ ନିୟୋଜିତ ବନ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଫୁଲବାଣୀ-ଗୋଛାପଡା ରାସ୍ତା ନମେରବାଲି ଘାଟି ନିକଟ ରାସ୍ତା ଉପରେ ବଡ଼ ବଡ଼ ଗଛ କାଟି ପକା ଯାଇଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା। ଆଜି ଅପରାହ୍ନରେ ବନ ବିଭାଗର କିଛି କର୍ମଚାରୀ ସେଠାକୁ ଯାଇ ରାସ୍ତାରୁ ଗଛ ହଟାଇବାକୁ ଉଦ୍ୟମ କରୁଥିବାବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଫଳରେ ରାସ୍ତାର କିଛି ଅଂଶ ଗୋଟିଏ ଫୁଟ ଉଡ଼ି ଯାଇଥିଲା। ଏହି ଘଟଣା ହେବା ପରେ ବନବିଭାଗ କର୍ମଚାରୀ ଜୀବନ ଭୟରେ ସେଠାରୁ ପଳାଇ ଯାଇଥିଲେ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ମାଟି ତଳେ ପୋତା ଯାଇଥିବା କଣ୍ଟେନର୍‌ ବୋମା ବିସ୍ଫୋରଣ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି।

ବିସ୍ଥାପନ, ଜଳ-ଜମି ଓ ଜଙ୍ଗଲ ଅଧିକାର, ପୁଲିସର ଦମନଲୀଳା ବନ୍ଦ ଆଦି ଦାବିରେ ସିପିଆଇ ମାଓବାଦୀ ସଂଗଠନ ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ କନ୍ଧମାଳରେ ନଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିବା ସହ ରାସ୍ତାରେ ଗଛ ପକାଇ ନିଜର ଉପସ୍ଥିତି ଜାହିର କରିଛନ୍ତି।

ଘଞ୍ଚ ଜଙ୍ଗଲରେ ଚାଲିଛି ମକ୍‌ଡ୍ରିଲ୍‌

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ଦକ୍ଷିଣ ବସ୍ତର ଜଙ୍ଗଲରେ ବର୍ତ୍ତମାନ ଶତାଧିକ ନକ୍ସଲ ଏକତ୍ରିତ ହୋଇ ସମରାଭ୍ୟାସ କରୁଛନ୍ତି। ନିରନ୍ତର ବ୍ୟାୟାମ ସାଙ୍ଗକୁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିର ତାଲିମ ନେଉଛନ୍ତି। ଏଥିସହ ପୁଲିସ ସହ ଗୁଳି ବିନିମୟରେ କେହି ନକ୍ସଲ ଆହତ ହେଲେ କିପରି ସେମାନଙ୍କୁ ଉଦ୍ଧାର କରାଯାଇପାରିବ ସେନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। କୌଣସି ପରିସ୍ଥିତିରେ ଆହତ ନକ୍ସଲ କିମ୍ବା ମୃତ ନକ୍ସଲଙ୍କ ଶବକୁ ଶତ୍ରୁ ହାତରେ ଦିଆଯିବ ନାହିଁ ବୋଲି ତାଲିମରେ କୁହାଯାଇଛି।

ନକ୍ସଲ ସଙ୍ଗଠନରେ ସାମିଲ୍‌ ହେଉଥିବା ନୂଆ ସଦସ୍ୟଙ୍କୁ ତାଲିମ୍‌ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ସେମାନେ ଜଙ୍ଗଲରେ ଦିନ ଦିନ ଧରି ରହିବା, ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାରେ ଆଦୌ ଅଭ୍ୟସ୍ତ ନୁହନ୍ତି। ହଠାତ୍‌ ଗୁଳି ବିନିମୟ ହେଲେ ସେମାନେ ଛତ୍ରଭଙ୍ଗ ଦେଉଛନ୍ତି। ନଚେତ୍‌ ପୁଲିସ ଗୁଳିରେ ନିହତ ହେଉଛନ୍ତି। ତେଣୁ ସେମାନଙ୍କୁ ପ୍ରଶିକ୍ଷିତ କରି ଦଳକୁ ନୂଆ ଦମ୍‌ ଦେବାକୁ ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି, ଏହା ହେଉଛି ତାହାର ଅଂଶବିଶେଷ। ଏବଂ, ଏଥିରେ ଅତ୍ୟାଧୁନିକ ବନ୍ଧୁକ ଚଳାଇବା ସହ ବୋମା ଖଂଜିବାର ତାଲିମ ଦିଆଯାଉଥିବାର ଜଣାପଡ଼ିଛି। ଏବେ ଏହି ପ୍ରଶିକ୍ଷଣର ଏକ ଭିଡିଓ ଭାଇରାଲ ହୋଇଛି।

ପୋଷ୍ଟର, ବ୍ୟାନର ଓ ୩ଟି ଟିଫିନ ବୋମା ଉଦ୍ଧାର

ନୂଆପଡ଼ା : ମାଓବାଦୀ ଆଜି ବନ୍ଦ ଡାକରା ଦେଇଥିବାବେଳେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ହିନ୍ଦୀ ଏବଂ ଓଡିଆ ଭାଷାରେ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ନୂଆପଡ଼ା ସଦର ବ୍ଳକ୍‌ ଖୁଟବନଭେରା- ଧରମବନ୍ଧା ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଆହୁରି ମଧ୍ୟ, ଖୁଟବନଭେରା- ଧରମବନ୍ଧା ରାସ୍ତା ମଝିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ୩ଟି ଟିଫିନ ବୋମା ଖଞ୍ଜିଥିଲେ। ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରୁ ଏହି ଟିଫିନ ବୋମା ଉଦ୍ଧାର କରିବା ସହିତ ତନ୍ମଧ୍ୟରୁ ୨ଟିକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ସିନାପାଲି ଥାନା ଏବଂ ବୋଡ଼େନ ଥାନା ଅଞ୍ଚଳରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର