ଲାଞ୍ଜିଗଡ଼ରେ ଯବାନ- ମାଓବାଦୀ ମୁହାଁମୁହିଁ : ଏନ୍‌କାଉଣ୍ଟରରେ ମାଓବାଦୀ ସୁରେଶ ମୃତ, ମାଓ ସାମଗ୍ରୀ ଓ ‌ଗୋଟିଏ ରାଇଫଲ ଜବତ

ଭବନୀପାଟଣା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବୁଧବାର କମ୍ବିଂ ବେଳେ ଏନ୍‌କାଉଣ୍ଟରେ ପ୍ରାଣ ହରାଇଛି ମାଓବାଦୀ ଦିଖିସା ଓରଫ ସୁରେଶ। ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଏବଂ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ମୃତ ମାଓବାଦୀ ସୁରେଶ ଇନ୍ଦ୍ରାବତୀ ଏରିଆ ଦଲମ୍‌ ଗ୍ରୁପ୍‌ର ଓ ସେ ୨୦୧୫ ମସିହାରେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ସଙ୍ଗୀତାର ସ୍ବାମୀ ବୋଲି ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ଏ ସଂପର୍କରେ ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀ‌ରେ ପ୍ରକାଶ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁଲାଇ ୨୧ତାରିଖ ଦିନ ମଧ୍ୟାହ୍ନ ସମୟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ପାହାଡ଼ପଦର ନିକଟ ମାଲିପଡ଼ା ସାପ୍ତାହିକ ହାଟରେ ପରିବା କିଣୁଥିବା ବେଳେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ସେହିଦିନ ରାତି ୧୦ଟାରେ ବାବୁପଦର ଗ୍ରାମର ଭୀମ ଦୋରାଙ୍କୁ ଘରୁ ଡାକିନେଇ ମାଓବାଦୀମାନେ ହତ୍ୟା କରିଥିଲେ। ଏ ଦୁଇଟି ଘଟଣା ପରେ ଗୁଇନ୍ଦା ସୂଚନା ମୁତାବକ ପୁଲିସ ଏସଓଜି ଯବାନ ପକ୍ଷରୁ ଝିମିରି ରାଉଳ ସଂରକ୍ଷତି ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ବୁଧବାର ସକାଳ ସାଢ଼େ ୭ଟାରେ ବିଜେପୁର ଥାନା ଅନ୍ତର୍ଗତ ବନ୍ଧଖାଲି ନିକଟରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଯବାନମାନେ ମାଓବାଦୀଙ୍କ ସହ ସାମ୍ନାସାମ୍ନି ହୋଇଥିଲେ। ଉଭୟ ପକ୍ଷରୁ ପ୍ରାୟ ୧୦ରୁ ୧୫ ମିନିଟ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ସୁରେଶର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ୩୦୩ ରାଇଫଲ ଓ ପାଣି ଆଣିବା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର