ବିଧାୟକଙ୍କ ହତ୍ୟା ମାମଲାରେ ସଂଶ୍ଳିଷ୍ଟ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମାଲକାନଗିରି ପୁଲିସ୍ ନିକଟରେ ଆତ୍ମସମର୍ପଣ

ମାଲକାନଗିରି: ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକା ଆଜି ମାଲକାନଗିରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ୩୦ ବର୍ଷ ବୟସ୍କ ଜିପ୍ରୋ ହବିକା ପ୍ରାୟ ୮ ବର୍ଷ ଧରି ଏରିଆ କମିଟି ମେମ୍ବର୍ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ତାଙ୍କ ଘର କୋରାପୁଟ ଜିଲ୍ଲାର ନାରାୟଣପାଟଣା ଥାନା ଅନ୍ତର୍ଗତ ଖଜାଗୁଡ଼ା ଗ୍ରାମରେ ବୋଲି ଜଣାଯାଇଛି। ଜିପ୍ରୋ ହବିକାଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
ତେବେ ମାଓବାଦୀମାନେ ସ୍ବାଭିମାନ ଅଞ୍ଚଳରେ କୌଣସି ବିକାଶ କାମ କରି ନଥିବା ବେଳେ ସରକାର ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥିବା ଯୋଗୁ ଜିପ୍ରୋ ହବିକା ମାଓ ସଙ୍ଗଠନ ଛାଡ଼ି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହାଛଡ଼ା ପୁଲିସର କମ୍ବିଂ ଅପରେସନରେ ଭୟଭୀତ ହୋଇ ବି ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ପୁଲିସ୍ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଜିପ୍ରୋ ହବିକାଙ୍କ ନାଆଁରେ ବହୁ ମାମଲା ରହିଛି। ଏଥିମଧ୍ୟରେ ୨୦୧୮ ମସିହା ସେପ୍ଟେମ୍ବର ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ୍ ଜିଲ୍ଲାରେ ବିଧାୟକ କେ ଏସ୍ ରାଓ ଏବଂ ପୂର୍ବତନ ବିଧାୟକ ସିବେରୀ ସୋମାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ହେଉଛନ୍ତି ଜିପ୍ରୋ ହବିକା । ତାଙ୍କ ନାଆଁରେ ୨୦୧୬ରେ ପଣସପୁଟ ଗାଁର ନାଏବ ସରପଞ୍ଚ ଜି ସୁନ୍ଦର ରାଓଙ୍କୁ ହତ୍ୟା ଏବଂ ବାହନ ପୋଡ଼ି ଭଳି ଅଭିଯୋଗ ଥିଲା। ଏହାଛଡ଼ା ସେ ଛତିଶଗଡ଼ର ଇନ୍ଦ୍ରାବତୀ ଜଙ୍ଗଲ ଏବଂ ପଟାଙ୍ଗି ଥାନା ଅଞ୍ଚଳରେ ପୁଲିସ୍ ସହ ଗୁଳି ବିନିମୟରେ ବି ସଂଶ୍ଳିଷ୍ଟ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର