ମାଲକାନଗିରି/ଚିତ୍ରକୋଣ୍ଡା : ନକ୍ସଲଙ୍କୁ ଆଉ ଭୟ କରୁନାହାନ୍ତି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀ। ଦୀର୍ଘଦିନ ହେଲା ଢାଲ ସାଜିଥିବା ନିରୀହ ଲୋକ ଏବେ ନକ୍ସଲଙ୍କ ବିରୋଧରେ ଉଠାଇଛନ୍ତି ଅସ୍ତ୍ର। ଏକତାର ବଳ ଦେଖାଇ ମାଓବାଦୀଙ୍କୁ ଏହି ପ୍ରଥମ ଲଢ଼େଇରେ ପରାସ୍ତ କରିଛନ୍ତି। ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଗଣତନ୍ତ୍ର ଦିବସ ପୂର୍ବ ରାତିର ଏହି ଘଟଣା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଗଣତନ୍ତ୍ର ପ୍ରତି ରହିଥିବା ପ୍ରବଳ ବିଶ୍ବାସକୁ ପ୍ରମାଣିତ କରିଛି। ଯାହାକି ମାଓବାଦୀଙ୍କ ପାଇଁ ହୋଇଛି ଶକ୍ତ ଝଟ୍କା। ତେବେ ପ୍ରତିଶୋଧ ପରାୟଣ ହୋଇ ନକ୍ସଲ କିଛି ଘରେ ନିଆଁ ଲଗାଇବା ସହ ଲୁଟ୍ପାଟ୍ କରିଥିବା ସୂଚନା ମିଳିଛି।
୨୫ତାରିଖ ବିଳମ୍ବିତ ରାତିରେ ୨୦ରୁ ୨୫ ସଶସ୍ତ୍ର ନକ୍ସଲ ଗାଁ ଶେଷ ମୁଣ୍ଡରେ ପହଞ୍ଚିଥିଲେ। ୩ରୁ ୪ଜଣ ମାଓବାଦୀ ଗାଁ ଭିତରେ ପଶିଥିଲେ। ଗାଁ ମୁଖିଆଙ୍କୁ ନିଦରୁ ଉଠାଇ ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ। ମୁଖିଆ ଏହାର ପ୍ରତିବାଦ କରିବା ସହ ସହାୟତା ପାଇଁ ଚିତ୍କାର କରିଥିଲେ। ନିସ୍ତବ୍ଧ ରାତିରେ ଗାଁ ମୁଖିଆଙ୍କ ଆକୁଳ ସ୍ବର ପୂରା ଗାଁକୁ ନିଦରୁ ଉଠାଇ ଦେଇଥିଲା। ଲୋକେ ଘରୁ ବାହାରି ଗାଁ ଦାଣ୍ଡରେ ପହଞ୍ଚିଥିଲେ। ମୁଖିଆଙ୍କୁ ଭିଡ଼ି ନେଉଥିବା ନକ୍ସଲଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ନକ୍ସଲ ଗ୍ରାମବାସୀଙ୍କ କଥା ନଶୁଣି ଓଲଟା ତାଉ ଦେଖାଇଥିଲେ। ଜଣ ଜଣ କରି ସମସ୍ତଙ୍କୁ ମାରି ଦେବେ ବୋଲି ଧମକ ଦେଲେ। ଯାହାକି ଗ୍ରାମବାସୀଙ୍କୁ ଆହୁରି ତତାଇ ଦେଲା। ଆଉ ଏହାପରେ ଯାହା ହେଲେ ତାହା ଥିଲା ସମସ୍ତଙ୍କ ପାଇଁ କଳ୍ପନା ବାହାରେ। ଗ୍ରାମବାସୀ ସଂଘବଦ୍ଧ ହୋଇ ନକ୍ସଲଙ୍କ ଉପରେ ଆକ୍ରମଣ କଲେ। ୨ଜଣ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଜଣ ପଡ଼ି ଯାଇଥିଲେ ଗ୍ରାମବାସୀଙ୍କ ପଞ୍ଝାରେ। ଆଖିବୁଜା ମାଡ଼ ଖାଇଲେ ଏବଂ ସାଥୀ ନକ୍ସଲଙ୍କୁ ସହାୟତା ପାଇଁ ଡାକ ଛାଡ଼ିଲେ। କିନ୍ତୁ କେହି ମଧ୍ୟ ଏହି ଦୁଇ ନକ୍ସଲଙ୍କୁ ବଞ୍ଚାଇବାକୁ ଆସିଲେ ନାହିଁ। ଏମିତି ମାଡ଼ ହେଲା ଯେ, ଗାଁ ଦାଣ୍ଡରେ ଜଣେ ମାଓବାଦୀ ଟଳି ପଡ଼ିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲା। ଜୀବିତ ମାଓବାଦୀକୁ ଲୋକେ ଟାଣି ଟାଣି ନିକଟସ୍ଥ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପକୁ ଆଣି ହସ୍ତାନ୍ତର କରିଥିଲେ।
ଗ୍ରାମବାସୀଙ୍କ ଏମିତି ଆଭିମୁଖ୍ୟ ଗାଁ ବାହାରେ ଥିବା ନକ୍ସଲଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସମ୍ମୁଖୀନ ହେବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା। ବାଧ୍ୟ ହୋଇ ସେମାନେ ସେଠାରୁ ଚାଲି ଆସିଥିଲେ। କିନ୍ତୁ ଏହି ଘଟଣାର ପ୍ରତିଶୋଧ ନେବାକୁ ସେମାନେ ରାତାରାତି ଯୋଜନା କଲେ। ଅପସରି ଯାଉଥିବା ଭୟକୁ ପୁଣି କାଏମ ରଖିବାକୁ ପାହାନ୍ତିଆରେ ଯନ୍ତୁରାଇ ଠାରୁ ୪ରୁ ୫କିଲୋମିଟର ଦୂରରେ ଥିବା ଯଡ଼ାମ୍ବ ଗାଁରେ ପହଞ୍ଚିଥିଲେ। ହଠାତ୍ ବୋମା ଫିଙ୍ଗିବା ସହ ୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ। ଭୟରେ ଲୋକେ ଘର ବାହାରକୁ ଚାଲି ଆସିବାରୁ ନକ୍ସଲ ପଶି ଲୁଟ୍ପାଟ୍ କରିଥିବା ଜଣାପଡ଼ିଛି। ନକ୍ସଲଙ୍କ ଏହି କାଣ୍ଡ ସଂପର୍କରେ ପ୍ରଚାର ହେବାରୁ ଯଡ଼ାମ୍ବ ଆଖପାଖ ୪ଟି ଗାଁରୁ ଶହ ଶହ ଲୋକ ଠେଙ୍ଗାବାଡ଼ି ଏବଂ ପାରଂପରିକ ଅସ୍ତ୍ରଶସ୍ତ୍ର ନେଇ ପହଞ୍ଚି ଯାଇଥିଲେ। ନକ୍ସଲଙ୍କ ଉପରେ ଆକ୍ରମଣ କରିବା ସହ ଟେକାପଥର ଫୋପାଡ଼ିଥିଲେ। ନକ୍ସଲ ମଧ୍ୟ ଟେକାପଥର ଫୋପାଡ଼ିବାରୁ ଏଠାରେ କିଛି ସମୟ ଧରି ସମ୍ମୁଖ ଯୁଦ୍ଧ ଚାଲିଥିଲା। ତେବେ ଗ୍ରାମବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ।
ପୁଲିସ ଗତକାଲି ସକାଳେ ଯଡ଼ାମ୍ବ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ କୁମ୍ବିଂ ଅପରେସନକୁ ଜୋରଦାର କରିଛି। ଆହତ ନକ୍ସଲଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ନକ୍ସଲ ତଥା ବିଚ୍ଛିନ୍ନା଼ଞ୍ଚଳ ଦଲମର ମିଲିସିଆ ସଦସ୍ୟ ଗଂଗା ମାଢ଼ିର ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। କୁଡ଼ୁମୁଲୁଗୁମ୍ମା ଓ ଚିତ୍ରକୋଣ୍ଡା ଅଂଚଳର ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିବା କିରଣ ଅରଫ ଜିପ୍ରୋର ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଯଡ଼ାମ୍ବ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଫୋର୍ସ ମୁତୟନ କରାଯାଇଛି। ମୃତ ଗଂଗା ମାଢ଼ି ମୁଣ୍ଡ ପାଇଁ ୧ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ଜିପ୍ରୋ ନାମରେ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।