ଫୁଲବାଣୀ: ପଞ୍ଚାୟତ ନିର୍ବାଚନ ଆଗରୁ କନ୍ଧମାଳ ଜିଲ୍ଲାରେ ମାଓବାଦୀ ଆତଙ୍କ ଖେଳାଇ ଉପସ୍ଥିତି ଜାହିର୍ କରିଛନ୍ତି। ଗତ ରବିବାର ଦିନ କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧରେ ପୋଷ୍ଟର୍ ମାରିଥିବା ବେଳେ ଆଜି ଜିଲ୍ଲାର ମାଓପ୍ରବଣ ଫିରିଙ୍ଗିଆ ବ୍ଲକ୍ ସାଡ଼ିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ଗାଁ ନିକଟରେ ଏକ ଜେସିବି ଓ ଟ୍ରାକ୍ଟର୍କୁ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର୍ ଓ ବ୍ୟାନର୍ ଲଗାଇ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଖାଲି ଏତିକି ନୁହେଁ, ବଡ଼ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ସେଠାରେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ। କିନ୍ତୁ ପୁଲିସ ଏହାକୁ ନିଷ୍କ୍ରିୟ କରିଥିବା ଫିରିଙ୍ଗିଆ ଥାନାଧିକାରୀ ପି.ଏସ.ରାଓ ସୂଚନା ଦେଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ କିଆମୁଣ୍ଡା ଗାଁ ନିକଟରେ ପହଞ୍ଚିଥିଲେ। ଆଉ ସେଠାରେ ରାସ୍ତା କାମରେ ନିୟୋଜିତ ‘ତ୍ରିଶକ୍ତି କନ୍ଷ୍ଟ୍ରକ୍ସନ୍’ ନାମକ ଏକ ଠିକାସଂସ୍ଥାର ଜେସିବି ଓ ଟ୍ରାକ୍ଟର୍କୁ ପୋଡ଼ି ଦେଇଥିଲେ। ଫିରିଙ୍ଗିଆ ବ୍ଲକ୍ ସଦରମହକୁମା ନିକଟ ମାଶ୍ରିପଡ଼ାରୁ ଦୁର୍ଗମ ସାଡ଼ିଙ୍ଗିଆ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କାମ ଚାଲିଛି। ତେବେ, ଦୀର୍ଘଦିନ ଧରି ନିରବ ଥିବା ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ଏଠାରେ ପଶି ଟ୍ରାକ୍ଟର୍ ଓ ଜେସିବି ମେସିନ୍କୁ ପୋଡ଼ିଦେଇଥିଲେ। ଏହାସହ ଘଟଣାସ୍ଥଳରେ ବ୍ୟାନର୍ ଓ ପୋଷ୍ଟର୍ ଲଗାଇଛନ୍ତି।
ଉକ୍ତ ପୋଷ୍ଟର୍ରେ ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥା ସମେତ ସାଧାରଣ ଓ ନିରୀହ ଆଦିବାସୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିରୋଧ କରାଯାଇଛି। ମହାମାରୀ କରୋନାର ପ୍ରାଦୁର୍ଭାବ ହେତୁ ଜୀବନଜୀବିକା ହରାଇଥିବା ଜନସାଧାରଣ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରନ୍ତୁ, ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ଫିରିଙ୍ଗିଆ ବ୍ଲକ୍ ସୁମେରବନ୍ଧ ପଞ୍ଚାୟତ ଅନ୍ତର୍ଗତ ରିବିଲଦା ଘାଟି ନିକଟରେ ମାଓବାଦୀମାନେ ଦୁଇଟି ପୋଲିଂ ଗାଡ଼ିକୁ ପୋଡ଼ିଦେବା ସହ କୁଏରମାଣ୍ଡୁ ପଞ୍ଚାୟତ ନିର୍ବାଚନ ଦାୟିତ୍ବରେ ଥିବା ଜଣେ ମହିଳା ଗ୍ରାମରୋଜଗାର ସେବକଙ୍କୁ ହତ୍ୟା କରିଥିଲେ।