‘ଅପରେସନ ସ୍ବାଭିମାନ’ରେ ପୁଲିସକୁ ବଡ଼ ସଫଳତା : ମାଲକାନଗିରିରୁ ମିଳିଲା ମାଓ ଅସ୍ତ୍ରଭଣ୍ଡାର

ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ

ଦୁଇଟି ସ୍ଥାନରେ ମାଟି ତଳେ ପୋତି ରଖିଥିଲେ ଅସ୍ତ୍ରଶସ୍ତ୍ର
ଓଡ଼ିଶା ଇତିହାସରେ ପ୍ରଥମ, ଦେଶରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ବର/ମାଲକାନଗିରି : ମାଓ ଅପରେସନରେ ରାଜ୍ୟ ପୁଲିସକୁ ବଡ଼ ସଫଳତା ମିଳିଛି। ମାଲାକାନାଗିରିର ସ୍ବାଭିମାନ ଅଞ୍ଚଳରେ ଥିବା ମାଓବାଦୀଙ୍କ ବିରାଟ ଅସ୍ତ୍ର ଭଣ୍ଡାରକୁ ଠାବ କରିଛି ପୁଲିସ। ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିବା ଓଡ଼ିଶା ପୁଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏପରିକି ଦେଶରେ ମଧ୍ୟ ଏହା ଏକ ସର୍ବକାଳୀନ ରେକର୍ଡ ବୋଲି ରାଜ୍ୟ ପୁଲିସ ଡିଜି ଅଭୟ କହିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ସିପିଆଇ (ମାଓବାଦୀ) ସଂଗଠନର ଆନ୍ଧ୍ର-ଓଡ଼ିଶା ବର୍ଡ଼ର ସ୍ପେସାଲ ଜୋନାଲ କମିଟି ପକ୍ଷରୁ ଲୁଚାଇ ରଖାଯାଇଥିଲା ବୋଲି ପୁଲିସ ସନ୍ଦେହ କରୁଛି।

ଆଜି ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅଭୟ କହିଛନ୍ତି, ଚଳିତ ବର୍ଷ ଆରମ୍ଭରେ ଓଡ଼ିଶା ପୁଲିସ ପକ୍ଷରୁ ମାଲାକାନାଗିରି ସ୍ବାଭିମାନ ଅଞ୍ଚଳରେ ‘ଅପରେସନ୍ ସ୍ବାଭିମାନ’ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶା ପୁଲିସ, ବିଏସ୍‌ଏଫ, ସିଆରପିଏଫ୍‌ର କୋବ୍ରା ୟୁନିଟ, ଆନ୍ଧ୍ର ପୁଲିସର ଗ୍ରେ ହାଉଣ୍ଡ, ଏସ୍‌ଓଜି, ଜିଲ୍ଲା ପୁଲିସ ଓ ଗୁଇନ୍ଦା ବିଭାଗ ସାମିଲ ହୋଇଥିଲେ। ଜାନୁଆରି ମାସ ୮ ତାରିଖରୁ ୧୩ ତାରିଖ ମଧ୍ୟରେ ବିଚ୍ଛିନ୍ନାଞ୍ଚଳରେ ଏହି ଅପରେସନ ହୋଇଥିଲା। ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବାଳେ ଓଡ଼ିଶା ପୁଲିସ ଏହି ଅପରେସନକୁ ଜୋରଦାର କରିଥିଲା। ଏହି ସମୟରେ ଅର୍ଥାତ ଜାନୁଆରି ମାସ ୧୫ ତାରିଖରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ବି ହୋଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ସତ, କିନ୍ତୁ ମାଓବାଦୀମାନଙ୍କ ଏକ ବିରାଟ ଅସ୍ତ୍ର ଭଣ୍ଡାର ସଂପର୍କରେ ଗୁଇନ୍ଦା ସୂତ୍ରରୁ ବିଶେଷ ସୂଚନା ମିଳିଥିଲା।

ମାଓବାଦୀମାନେ ସ୍ବାଭିମାନ ଅଞ୍ଚଳରେ ଦୁଇଟି ସ୍ଥାନରେ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଡମ୍ପ କରି ଅର୍ଥାତ ମାଟି ତଳେ ପୋତି ରଖିଥିଲେ। ଏହାକୁ ଅତ୍ୟନ୍ତ ସତର୍କତାର ସହିତ ପୁଲିସ ଓ ସିଆରପିଏଫ୍ ଖୋଳିବା ପରେ ଏଥିରୁ ଗୋଟିଏ ଇନାସାସ୍‌ ଲାଇଟ୍‌ ମେସିନଗନ୍‌, ୩ଟି ଇନସାସ୍‌ ରାଇଫଲ, ୩ଟି କାରବାଇନ୍‌ ଷ୍ଟେନଗନ୍, ଗୋଟିଏ ଏସ୍‌ଏଲ୍‌ଆର୍‌ ରାଇଫଲ, ଗୋଟିଏ ୩୦୩ ରାଇଫଲ, ଗୋଟିଏ ପିସ୍ତଲ, ୨୦୨ଟି ୫.୫୬ ଏମ୍‌ଏମ୍‌ ଗୁଳି, ୫୯ଟି ୭.୬୨ଏମ୍‌ଏମ୍‌ ଗୁଳି, ୪୨ଟି ୯ ଏମ୍‌ଏମ୍‌ ଗୁଳି, ୪ଟି ଏଲଏମଜି ମାଗାଜିନ, ୮ଟି ଇନସାସ୍‌ ମାଗାଜିନ, ୨ଟି ଏସଏଲଆର୍‌ ମାଗିଜିନ, ଗୋଟିଏ ୩୦୩ ମାଗାଜିନ୍, ଭିଏଚଏଫ୍ ସେଟ୍‌, ଅପଟିକାଲ ସାଇଟ୍‌, ଟିଫିନ ବୋମା, ଏକ କେଜି ବିସ୍ଫୋରକ, ୧୦୦ ଗ୍ରାମର ଗନ୍‌ ପାଉଡର, କୋରଡେକ୍ସ ଓ ଫ୍ଲେକ୍ସି ତାର, ୪ଟି ମାଗାଗିନ୍ ପାଉଚ୍‌, ଫ୍ଲାସ୍‌ ଲାଇଟ୍‌, ମାଓବାଦୀଙ୍କ ପୋଷାକ ଆଦି ଠାବ କରାଯାଇଥିଲା।

ଏଥିରୁ ମାଓବାଦୀମାନେ ମେସିନ ଗନ୍ ବ୍ୟବହାର କରୁଥିବା କଥା ଏଥିରୁ ପ୍ରଥମ ଥର ପାଇଁ ପଦାକୁ ଆସିଛି; ଯାହାକି ଅତ୍ୟନ୍ତ ଉଦ୍‌ବେଗଜନକ। ଏହି ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମାଧ୍ୟମରେ ମାଓବାଦୀମାନେ ପୁଲିସ ସହିତ ଢ଼େର କିଛି ଦିନ ମୁହାଁମୁହିଁ ହୋଇ ପାରିଥାନ୍ତେ। ଜବତ ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଦେଶରେ ବେଆଇନ ଅଟେ। ବିଭିନ୍ନ ସମୟରେ ପୁଲିସ ସହିତ ହେଉଥିବା ଗୁଳି ବିନିମୟରେ ମାଓବାଦୀମାନେ ପୁଲିସଠାରୁ ଏହିସବୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା କୁହାଯାଉଛି। ପୁଲିସର ଏହି ସଫଳତା ମାଓବାଦୀଙ୍କ ଦେଶ ବିରୋଧୀ ତଥା ଧ୍ବଂସାତ୍ମକ କାର୍ଯ୍ୟକଳାପ ପ୍ରତି ଏକ ଶକ୍ତ ଧକ୍‌କା ବୋଲି ପୁଲିସ ଡିଜି ଅଭୟ କହିଛନ୍ତି। ଏହି ଅସ୍ତ୍ର ଭଣ୍ଡାର ଠାବ ହେବା ପରେ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଗଚ୍ଛିତ ଥିବା ଅଧିକ ଅସ୍ତ୍ରଶସ୍ତ୍ର ଉଦ୍ଧାର ପାଇଁ ପୟାସ ଜାରି ରହିଛି। କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି।

ବଡ଼ କଥା ହେଉଛି ମାଓବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଅତ୍ୟନ୍ତ ଚତୁରତାର ସହିତ ଡମ୍ପିଂ କରିଥିଲେ। ଏଥିପାଇଁ ଏମାନେ ଜିପିଆର୍‌ଏସ୍‌ ବ୍ୟବହାର କରୁଥିଲେ। ଏପରିକି ବିଭିନ୍ନ ଗଛ ଓ ସ୍ଥାନକୁ ଚିହ୍ନଟ ରଖି ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖିଥିଲେ। କୋର୍ଡ ୱାର୍ଡରେ କଥା ହୋଇ ମାଟି ଖୋଳି ଅସ୍ତ୍ରଶସ୍ତ୍ର ବାହାର କରୁଥିଲେ। ତେବେ ଗତ କିଛି ଦିନ ତଳେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟରେ ୭ କିମି ପାହାଡ଼ କଟା ହୋଇ ହେନ୍ତାଳଗୁଡ଼ା ପର୍ଯ୍ୟନ୍ତ ୨୦ ଫୁଟ ଚଉଡ଼ାରେ ରାସ୍ତା ହେବା ପରେ ପୁଲିସ ମାଓବାଦୀଙ୍କ ଗଡ଼ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛି। ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏବେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ମାଓବାଦୀମାନଙ୍କୁ ବିରୋଧ କରି ପୁଲିସକୁ ସହଯୋଗ କରୁଛନ୍ତି। ଯେଉଁ କାରଣରୁ ପୁଲିସକୁ ଏତେ ବଡ଼ ସଫଳତା ମିଳିଲା ବୋଲି ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଚ୍ଛିନ୍ନାଞ୍ଚଳରେ ଏବେ ବି ୩ଶହ ମାଓବାଦୀ ସକ୍ରିୟ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ୨ଶହ ଜଣ ଛତିଶଗଡ଼ର ହୋଇଥିବାବେଳେ ଓଡ଼ିଶାର ମାତ୍ର ୩୦ ଜଣ ଅଛନ୍ତି। ଅବଶିଷ୍ଟ ୭୦ ଜଣ ଆନ୍ଧ୍ର ପ୍ରଦେଶର। ସେମାନଙ୍କୁ ନିପାତ କରିବା ଲାଗି ଓଡ଼ିଶା ଓ ଆନ୍ଧ୍ର ପୁଲିସ ବିଭିନ୍ନ ସମୟରେ ମିଳିତ ଅପରେସନ ଚଳାଇଛି। ଖୁବ ଶୀଘ୍ର ଲାଲଗଡ଼ କେମିତି ଧ୍ବଂସ ହେବ ସେଥିପାଇଁ ପୁଲିସ ପକ୍ଷରୁ ନିର୍ଦ୍ଦିଷ୍ଟ ରଣନୀତି ସହିତ ଅଭିଯାନ ଆରମ୍ଭ ହୋଇଛି। ମାଲାକାନାଗିରିରେ ଥିବା ମାଓବାଦୀଙ୍କ ଗଡ଼ ପେପର ମେଟଲା ପରେ ଏବେ ଜୋଡ଼ାମ୍ବରେ ଖୁବ୍ ଶୀଘ୍ର ନୂଆ ଥାନା ପ୍ରତିଷ୍ଠା ହେବାକୁ ଯାଉଛି। ୨ କୋଟି ବିନିମୟରେ ହେବାକୁ ଥିବା ଏହି ଥାନା ଏକ ଅତ୍ୟାଧୁନିକ ଥାନା ହେବ ବୋଲି ଗୁଇନ୍ଦା ଡିଜି ଶ୍ରୀ ମହାନ୍ତି କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ଆର୍‌କେ ଶର୍ମା, ଅନିରୁଦ୍ଧ ସିଂହ, ବିଏସ୍‌ଏଫ୍‌ ଓ ସିଆରପିଏଫ୍ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସ୍‌ପି ଋଷିକେଶ ଖିଲାରୀ, ବିଏସ୍‌ଏଫ ଡିଆଇଜି ଏସ୍‌ପିଏସ୍‌ ସାନ୍ଧୁ, କମାଣ୍ଡାଣ୍ଟ ଏକେ ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର