ଭବାନୀପାଟଣା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଜାମକନା ଗାଁରେ ଥିବା ଏକ ଠିକାଦାର କ୍ୟାମ୍ପରେ ମଙ୍ଗଳବାର ସନ୍ଧ୍ୟାରେ ତାଣ୍ଡବ ଭିଆଇଛନ୍ତି। ମଙ୍ଗଳବାର ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡ଼ି ଜାଳି ଦେବା ସହିତ ମାଓ ପୋଷ୍ଟର ଛାଡ଼ି ଯାଇଛନ୍ତି। ଲାଞ୍ଜିଗଡ଼ ବ୍ଲକର ଗୁଣ୍ଡରୀ ଠାରୁ କାଡମ ୧୩.୨୦ କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୬କୋଟି ୫୦ ଲକ୍ଷ ୮୦ ହଜାର ଟଙ୍କାର ରାସ୍ତା କାମ ଠାକୁର ବିଲ୍ଡଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ କରାଯାଉଛି।
ଜାମକନା ଗାଁରେ ଥିବା ରାଜେଶ ଠାକୁରଙ୍କ ଠିକାଦାର କ୍ୟାମ୍ପକୁ ମଙ୍ଗଳବାର ସନ୍ଧ୍ୟା ସାଢ଼େ ଛଅଟାରେ ୫୦ରୁ ୬୦ ଜଣ ସଶସ୍ତ୍ର ମାଓବାଦୀ ଆସିଥିଲେ। ସେଠାରେ ଥିବା ଶ୍ରମିକମାନଙ୍କୁ ଏକାଠି ହେବା ପାଇଁ କହିଥିଲେ। ଅଗାମୀ ଦିନରେ ରାସ୍ତା କାମ ବନ୍ଦ କରା ନ ଗଲେ ଠିକାଦାରଙ୍କ ସମସ୍ତ କ୍ୟାମ୍ପକୁ ପୋଡ଼ି ଦିଆଯିବ ବୋଲି ମାଓବାଦୀମାନେ ଧମକ ଦେଇଥିଲେ। ଶ୍ରମିକମାନେ ଭୟଭୀତ ହୋଇ ଏକାଠି ହୋଇ ଯାଇଥିଲେ। ୨ ଘଣ୍ଟା ଧରି ମାଓବାଦୀମାନେ ଲଙ୍କାକାଣ୍ଡ ଭିଆଇଥିଲେ। କ୍ୟାମ୍ପରେ ଥିବା ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ଟିପର ଗାଡ଼ିକୁ କ୍ୟାମ୍ପରୁ ଡିଜେଲ ନେଇ ନିଆଁ ଲଗାଇ ଦେଇ ପୋଡ଼ି ଦେଇଥିଲେ।
ଯିବା ସମୟରେ ୧୫ରୁ ଅଧିକ ହାତଲେଖା ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ପରେ ସେଠାରୁ ଶୋଷପଦର ଗ୍ରାମକୁ ଯାଇ ସେଠାରେ ସଂପୃକ୍ତ ଠିକାଦାରଙ୍କ ଏକ୍ସାଭେଟର ରୋଲର ଗାଡ଼ିକୁ ଜାଳି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରୁ ଘଟଣା ଘଟିଥିଲେ ମଧ୍ୟ ଭୟରେ ପୁଲିସ ଘଟଣାସ୍ଥଳକୁ ଯାଇପାରି ନଥିଲା। ବୁଧବାର ସକାଳେ ଖବର ପାଇ ସଦରଥାନାର ପୁଲିସ କର୍ମଚାରୀ ସାଦା ପୋଷାକରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/SBPHO10-Kld-mao-4.jpg)