ଓଡ଼ିଶା ସୀମାରେ ୪ ଗାଡ଼ି ଜାଳିଦେଲେ ମାଓବାଦୀ

ରାଉରକେଲା : ପୁଣି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସୀମାକୁ ଲାଗିଥିବା ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା ଅନ୍ତର୍ଗତ ବାନୋ ଗୋରା ଗାଁରେ ମାଓବାଦୀ ବାଲି ବୋଝେଇ ୪ଟି ଗାଡ଼ିକୁ ଜାଳି ଦେଇଛନ୍ତି। ଜଳି ଯାଇଥିବା ୪ଟି ଗାଡ଼ି ମଧ୍ୟରେ ଦୁଇଟି ହାଇୱା, ଗୋଟିଏ ଡମ୍ପର ଓ ଗୋଟିଏ ଜେସିବି ରହିଛି। ଏହା ଭିତରୁ ଗୋଟିଏ ଗାଡ଼ି ଓଡ଼ିଶାର। ମାଓବାଦୀମାନେ କୌଣସି ସାମୂହିକ କଲ୍ୟାଣ ଅଥବା ତଥାକଥିତ ଅନ୍ୟାୟର ବିରୋଧ ପାଇଁ ନୁହେଁ; ମାମୁଲି ଛୋଟକାଟିଆ ଅପରାଧୀଙ୍କ ଭଳି ବଟି ଆଦାୟ କରିବା ଲାଗି ହିଁ ଏହା କରିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ୧୨ରୁ ଅଧିକ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ କରିବା ଲାଗି ଆଖିବୁଝା ଫାଙ୍କା ଗୁଳି ଚାଳନା କରିଥିଲେ। ଜୀବନ ବଞ୍ଚାଇବାକୁ ଠିକାଦାର ଓ ୪ଟି ଗାଡ଼ିର ଚାଳକମାନଙ୍କ ସମେତ ୬ଜଣ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତା’ପରେ ମାଓବାଦୀମାନେ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ବାନୋ ଥାନା ପୁଲିସ ପହଞ୍ଚି ଜଳିଯାଇଥିବା ଗାଡ଼ିକୁ ଜବତ କରିବା ସହ ଘଟଣା ତଦନ୍ତ ଚଳାଇଛି। ବାଲିଘାଟ ମାଲିକ ଦାବି ମୁତବାକ ବଟି ନ ଦେବାରୁ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର