ମାଲକାନଗିରି/ଚିତ୍ରକୋଣ୍ଡା : ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ସଚିବ ଜଗବନ୍ଧୁ ଆଜି ପ୍ରେସ ବିବୃତ୍ତିରେ ଅକ୍ଟୋବର ୧୨ ତାରିଖ ଏବଂ ନଭେମ୍ବର ୫ ତାରିଖ ଦିନ ହୋଇଥିବା ପୁଲିସ ଏନକାଉଣ୍ଟରକୁ ନିନ୍ଦା କରିଛନ୍ତି। ଏନକାଉଣ୍ଟରରେ ସଂଗଠନର କ୍ୟାଡର ନକ୍ସଲଙ୍କ ନିହତ ହୋଇଥିବାରୁ ଘଟଣାର ପ୍ରତିବାଦ କରି ଆସନ୍ତା ୨୦ ତାରିଖ ଦିନ ମାଲକାନଗିରି ବନ୍ଦ ପାଇଁ ଡାକରା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମକୁ ତିନି ପୃଷ୍ଠା ସମ୍ବଳିତ ତେଲୁଗୁ ଭାଷାରେ ଦେଇଥିବା ପ୍ରେସ ବିବୃତ୍ତିରେ ପୁଲିସ ବିରୁଦ୍ଧରେ ଜଗବନ୍ଧୁ ବର୍ଷିଛନ୍ତି। ୨୦୧୪ରୁ ବିଜେପି ଶାସନ ଗାଦିରେ ବସିବା ପରଠାରୁ ଦେଶରେ ନିରୀହ ଗରିବଙ୍କ ଉପରେ ଅତ୍ୟାଚାର ହୋଇଚାଲିଛି। ପ୍ରଜା ପରିଚାଳିତ ଦେଶରେ ଏହି ସରକାର କେବଳ କମ୍ପାନି ଗୁଡ଼ିକୁ ସହଯୋଗ କରିବା ସହ ସେମାନଙ୍କ ପାଇଁ ହିଁ କାମ କରୁଛନ୍ତି।। ପ୍ରଜାମାନେ ନିଜର ସମସ୍ୟାକୁ ସମାଧାନ ପାଇଁ ପ୍ରତିବାଦ କଲେ ଓଡ଼ିଶା ଏବଂ ଆନ୍ଧ୍ର ସରକାର ସେମାନଙ୍କ ସ୍ବରକୁ ଦବାଇ ଦେଉଛନ୍ତି। ପୁଣି ମାଓବାଦୀମାନେ ଅତ୍ୟାଚାର କରୁଛନ୍ତି ବୋଲି ସରକାର କହୁଛନ୍ତି। କମ୍ରେଡ ସୁଶୀଲ ଏବଂ ସୁଶୀଳା ଭଉଣୀର ମୃତ୍ୟୁରେ ମାଓ ସଂଗଠନ ଏକ ପ୍ରକାର ଭାଙ୍ଗି ପଡ଼ିଛି। ପୁଲିସର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଶ୍ରୟ ଦେଉଛନ୍ତି। ଅର୍ଦ୍ଧସାମରିକ ବାହିନୀ ଆଣି ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି। ବିକାଶ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ତେଣୁ ଏହାକୁ ଆମେ ବିରୋଧ କରୁଛୁ ବୋଲି ଜଗବନ୍ଧୁ ଲେଖିଛନ୍ତି। ତେଣୁ ୨୦ ତାରିଖ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ତିନି ପୃଷ୍ଠାରେ ସେ ବହୁତ କିଛି ସରକାର ଏବଂ ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ ପ୍ରକାଶ କରିଥିଲେ ମଧ୍ୟ ବନ୍ଦ କେତେ ଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା।