ସୁରକ୍ଷା କ୍ୟାମ୍ପକୁ ବିରୋଧ : ରାସ୍ତା ଖୋଳିଦେଲେ ମାଓବାଦୀ

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ ମହୁପଦର ଓ ଟେମୁରୁପାଲୀ ପଞ୍ଚାୟତ ସଦରରେ ସ୍ଥାପନ ହେବାକୁ ଥିବା ସୁରକ୍ଷା କ୍ୟାମ୍ପକୁ ବିରୋଧ କରିଛନ୍ତି ମାଓବାଦୀ। ଗତକାଲି ରାତିରେ ଶତାଧିକ ମାଓବାଦୀ ଓ ମିଲିସିଆ ଉଭୟ ପଞ୍ଚାୟତର ଲାଇଫ୍‌ ଲାଇନ୍‌ ଭାବେ ପରିଚିତ ଦୁର୍ମାଗୁଡା-ଗୋଲିଆଗୁଡା ମୁଖ୍ୟ ରାସ୍ତାର ମାଢିମୁଣ୍ଡା ବି୍ରଜ୍‌ର ଉଭୟ ପାର୍ଶ୍ୱ ରାସ୍ତାକୁ ଖୋଳି ଦେଇଛନ୍ତି। ମାଓବାଦୀ ବ୍ରିଜ୍‌ ପିଲର ଓ ବିଭିନ୍ନ ସ୍ଥାନକୁ ଖୋଳିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହେବାରୁ ବ୍ରିଜ୍‌ର ଉଭୟ ପାର୍ଶ୍ୱ ରାସ୍ତାକୁ ଖୋଳି ଦେଇଥିଲେ। ଏଥିପୂର୍ବରୁ ଦୁର୍ମାଗୁଡା ଠାରୁ ଗୋଟିଏ କିଲୋମିଟର ଦୂରରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ମାଓବାଦୀ ରାସ୍ତା ଖୋଳି ଦେବା ପରେ ଉଭୟ ପଞ୍ଚାୟତକୁ ଯାତାୟାତ ଠପ୍‌ ହୋଇଯାଇଛି। ଏଥିଯୋଗୁଁ ଏହି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ସ୍ୱାସ୍ଥ୍ୟ କମଚାରୀ, ୨ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ବନ୍ୟା ବିପନ୍ନଙ୍କ କ୍ଷୟକ୍ଷତି ଆକଳନ ପାଇଁ ଯାଉଥିବା ମହୁପଦର ଆରଆଇ ପୁଣି ଥରେ ମାଥିଲି ସଦରକୁ ଫେରି ଆସିଛନ୍ତି। ଏହି ରାସ୍ତା ଦେଇ ଆଜି ଶିକ୍ଷକ ମାନେ ଯାଇପାରିନଥିବାରୁ ଉଭୟ ପଞ୍ଚାୟତର ବିଭିନ୍ନ ସ୍କୁଲ ବନ୍ଦ ରହିଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି, ମହୁପଦର ଓ ଟେମୁରୁପାଲୀ ପଞ୍ଚାୟତରେ ସୁରକ୍ଷା କ୍ୟାମ୍ପ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା ରହିଛି। ଏଥିପୂର୍ବରୁ ମହୁପଦରରେ ଏକ ଅସ୍ଥାୟୀ ପୁଲିସ କ୍ୟାମ୍ପ ରହିଛି। ସ୍ଥାୟୀ ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା ହେଲେ ମାଓବାଦୀଙ୍କ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହେବାକୁ ଥିବାରୁ ଗତକାଲି ରାତିରେ ମାଓବାଦୀ ଏଭଳି କାଣ୍ଡ ଘଟାଇଛନ୍ତି। ପୂର୍ବରୁ ମଧ୍ୟ ଉଭୟ ପଞ୍ଚାୟତର ୮ଜଣ ଗାଁ ମୁଖିଆଙ୍କୁ ମାଓବାଦୀ ଉଠାଇ ନେଇ ଗ୍ରାମରେ ସୁରକ୍ଷା କ୍ୟାମ୍ପ କରାଇ ନଦେବାକୁ ଧମକ ଦେଇ ଛାଡି ଦେଇଥିଲେ। ଯଦି ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା ହୁଏ ତେବେ ଗାଁ ମୁଖିଆଙ୍କ ମୁଣ୍ଡ ଗଡିବ ବୋଲି ମଧ୍ୟ ମାଓବାଦୀ ମାନେ ଚେତାବନୀ ଦେଇଥିଲେ। ଅନ୍ୟପଟେ ଲଗାଣ ବର୍ଷା ପରେ ଅନେକ ରାସ୍ତା ଧୋଇ ହୋଇଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ରାସ୍ତା ଖୋଳାଯିବା ପରେ ଅଞ୍ଚଳବାସୀ ଯାତାୟାତ ସମୟରେ ବିିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ଅତି ଶୀଘ୍ର କରାଯିବ ବୋଲି ମାଥିଲି ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର