ସୁନ୍ଦରଗଡ଼/ରାଉରକେଲା/କୋଇଡ଼ା: ବାଙ୍କୋ ଖଣିରୁ ବାରୁଦ ଲୁଟ୍ ଘଟଣା ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସର ନିଦ ହଜାଇ ଦେଇଛି। ଏହି ଘଟଣା ପରେ ଉଭୟ ରାଜ୍ୟର ସୁରକ୍ଷାବଳ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅଭିଯାନକୁ ଜୋରଦାର କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମଧ୍ୟ ଦୁଇଦିନ ଧରି କେ. ବଲାଙ୍ଗ ଓ ରାଉରକେଲାରେ ଡେରା ପକାଇ ସ୍ଥିତି ସମୀକ୍ଷା କରିବା ସହ ତଲାସି ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଡିଜି ଶ୍ରୀ ଖୁରାନିଆ ଆଜି ପୁଲିସ ଉଚ୍ଚାଧିକାରୀଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ବୈଠକରେ ସିଆର୍ପିଏଫ୍ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ସିଆର୍ପିଏଫ୍ କମାଣ୍ଡାଣ୍ଟ ଅସିତ ଚୌଧୁରୀ, ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀଙ୍କ ସହ ଜାତୀୟ ତଦନ୍ତକାରୀ ଦଳ (ଏନ୍ଆଇଏ)ର ଡିଆଇଜି, ଏସ୍ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଏନ୍ଆଇଏ ଏହି ମାମଲାର ତଦନ୍ତଭାର ହାତକୁ ନେଇ ଆଜି ଘଟଣାସ୍ଥଳରେ ତଦନ୍ତ କରିଥିବା ଜଣାପଡ଼ିଛି।
ଅଧିକାରୀଙ୍କ ସହ ଡିଜିପିଙ୍କ ରୁଦ୍ଧଦ୍ବାର ବୈଠକ
ଜଙ୍ଗଲରେ ତଲାସି ଅଭିଯାନ ଜୋରଦାର
ବିନା ଏସ୍ଓପିରେ ପଠାଯାଇଥିଲା ବିସ୍ଫୋରକ!
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି, ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କଣ୍ଟେନର୍ ଡ୍ରାଇଭର ଦେଓନାଥ ଟପ୍ପୋଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଏହି ଲୁଟ୍ ପଛରେ ମାଓବାଦୀଙ୍କ ହାତ ରହିଥିବା ଅନୁମାନ କରାଯାଉଛି। ରାଉରକେଲା ଏସ୍ପି ନୀତେଶ ୱାଧୱାନୀଙ୍କ ସୂଚନା ମୁତାବକ, ଘଟଣାର ତଦନ୍ତ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ‘ଏସ୍ଆଇଟି’ ଗଠନ କରାଯାଇଛି। ଜଣେ ଅତିରିକ୍ତ ଏସ୍ପି, ଡିଏସ୍ପି, ୨ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏସ୍ଆଇଟି ଟିମ୍ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଗୁରୁବାର ପୁଣି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ସିଆର୍ପିଏଫ୍ ଆଇଜି ଶ୍ରୀ ସିହ୍ନା ଓ କମାଣ୍ଡାଣ୍ଟ ଶ୍ରୀ ଚୌଧୁରୀ। ଓଡ଼ିଶା ଓ ଝାଡ଼ଖଣ୍ଡର ଡିଭିଏଫ୍ ଯବାନଙ୍କ ସହିତ ସିଆର୍ପିଏଫ୍ ଯବାନ ବାଙ୍କୋ ଖଣି ଆଖପାଖ ଜଙ୍ଗଲ ସମେତ ସରଣ୍ଡା ଜଙ୍ଗଲରେ ସର୍ଚ ଅପରେସନ୍ ଜାରି ରଖିଛନ୍ତି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି କେ. ବଲାଙ୍ଗ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ଇନ୍ସପେକ୍ଟର କ୍ଷୀତିଶ କୁମାର ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି।
ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଏସ୍ଆଇ ଅଶୋକ କୁମାର ବେହେରା ପୂର୍ବ ଭଳି ଏହି ଥାନାରେ ରହି ଦ୍ୱିତୀୟ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିରେ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ସାରାରାଜ୍ୟ ତଥା ଦେଶରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ୨ ରାଜ୍ୟର ସୀମା ସିଲ୍ କରି ଖାନତଲାସ ଜାରି ରହିଛି। ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ ଜବତ କରିବାକୁ ପୁଲିସ, ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷାବଳ ଦିନରାତି ଏକ କରିଦେଇଛନ୍ତି। ତେବେ ୪୮ ଘଣ୍ଟା ପରେ ବି ପୁଲିସକୁ ଏ ସଂକ୍ରାନ୍ତରେ କିଛି ସୁରାକ ମିଳିପାରିନାହିଁ। ଅନ୍ୟପକ୍ଷରେ ବାରୁଦ ଲୁଟ୍ ଘଟଣା ପଛରେ ନାନା ସନ୍ଦେହ ଉଙ୍କିମାରିଛି। ବିଶେଷକରି ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ାରେ ଥିବା ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମ ଓ କେ. ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ପଥରଖଣି ଏବେ ପ୍ରଶ୍ନ ଘେରକୁ ଚାଲିଆସିଛି। ଏକ ଛୋଟ ପଥରଖଣିକୁ ଏକକାଳୀନ ୫ ଟନ୍ ବିସ୍ଫୋରକ କାହିଁକି ଆବଶ୍ୟକ ହେଲା ଓ ଗୋଦାମ ମାଲିକ ବିସ୍ଫୋରକ ଭଳି ଅତି ସମ୍ବେଦନଶୀଳ, ବିପଜ୍ଜନକ ଦ୍ରବ୍ୟ ପଠାଇଲା ବେଳେ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସ୍ଓପି) ପାଳନ କରି ନଥିଲେ କାହିଁକି, ତାକୁ ନେଇ ପ୍ରଶ୍ନ ଉଠିଛି।