ଯାଜପୁର: ୧୨ ବର୍ଷ ପରେ ସକ୍ରିୟ ହୋଇଛି କଳିଙ୍ଗନଗର ମାଓବାଦୀ ଡିଭିଜନ୍। ପୁଲିସ ସୁରକ୍ଷା କବଚକୁ ଭେଦ କରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବରେଇଗୋଡ଼ାର ରେବଣା ଘଞ୍ଚ ଜଙ୍ଗଲରେ ମାଓବାଦୀ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଏପରିକି ଦୁଇ ଦୁର୍ଗମ ଗ୍ରାମ ବଡ଼ଝାର ଓ ବଡ଼ଜିମେଇଁରେ ନକ୍ସଲ କ୍ୟାମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଗୁଇନ୍ଦା ବିଫଳତାକୁ ଲୁଚାଉଛି ପୁଲିସ। କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ ପୁଲିସର ଘନଘନ ପଇଁତରା, ହରିଚନ୍ଦନପୁର ଥାନାରେ ଜିଲ୍ଲାର ବଛାବଛା ପୁଲିସ ଅଧିକାରୀ ଏକାଠି ହେବା ଏବଂ ମହାବଳ ବାଘକୁ ଠାବ କରିବା ପାଇଁ ଜଙ୍ଗଲରେ ବନ ବିଭାଗ ଲଗାଇଥିବା ଟ୍ରାପ୍ କ୍ୟାମେରା ଭଙ୍ଗାଯିବା ଏହି ଚର୍ଚ୍ଚା ପଛରେ ସତ୍ୟତା ଥିବା ଆଶଙ୍କା କରାଯାଉଛି।
ଗତ ରବିବାର ଦୈତାରି ଥାନା ଅନ୍ତର୍ଗତ ବଣିଟାଙ୍ଗର-ପଥରଗଡ଼ା ରାସ୍ତାରେ ସ୍ଥାନୀୟ ଲୋକେ ତିନିଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ। ସମସ୍ତଙ୍କ ହାତରେ ଥିଲା ଅତ୍ୟାଧୁନିକ ମାରଣାସ୍ତ୍ର। ସମସ୍ତେ ଚାଲିଚାଲି ବଡ଼ଜିମେଇଁ ଗାଁ ଆଡ଼କୁ ଯାଇଥିବା ଲୋକେ ଦେଖିଥିଲେ। ଅନ୍ୟପକ୍ଷରେ ରେବଣା ସଂରକ୍ଷିତ ଜଙ୍ଗଲର ବଡ଼ଝାର ଗାଁ ନିକଟରେ ଏକ ମହାବଳକୁ ଶିକାର କରାଯିବା ପରେ ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯିବା ସହ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇଛି। କିଛିଦିନ ତଳେ ବନ ବିଭାଗ କର୍ମଚାରୀମାନେ ବଡ଼ଝାର ନିକଟରେ ପାଟ୍ରୋଲିଂ କରିବା ସମୟରେ ଟ୍ରାପ୍ କ୍ୟାମେରାଗୁଡ଼ିକ ଭଙ୍ଗା ଯାଇଥିବା
ଦେଖିବାକୁ ପାଇଥିଲେ। ତେଣୁ ଉଭୟ ବଡ଼ଝାର ଓ ବଡ଼ଜିମେଇଁ ଦୁଇଟି ସ୍ଥାନରେ ମାଓ ଶିବିର ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଏହାକୁ ଲୁଚାଉଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସଶସ୍ତ୍ର ପୁଲିସ ଟିମ୍ ଘନଘନ ପଇଁତରା ମାରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଗୁଇନ୍ଦା ଫେଲ୍, ଲୁଚାଉଛି ପୁଲିସ
ଜଙ୍ଗଲ ପରିବେଷ୍ଟିତ ଦୁର୍ଗମ ଗାଁରେ ଶିବିର!
ସୂଚନାଯୋଗ୍ୟ, ୨୦୦୬ରେ କେନ୍ଦୁଝର ଓ ଯାଜପୁର ଜିଲ୍ଲା ସୀମାନ୍ତ ଦୈତାରି ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ହୋଇଥିଲା। କଳିଙ୍ଗନଗର ଡିଭିଜନ୍ ଭାବେ ଏହା ଜଣାଶୁଣା ଥିଲା। ୨୦୦୯ରେ ଦୈତାରି ଥାନାର ଜଣେ ଏସ୍ଆଇ ଓ ଜଣେ ଗୃହରକ୍ଷୀଙ୍କୁ ହତ୍ୟା କରି ମାଓବାଦୀ ନିଜ ଉପସ୍ଥିତି ଜାହିର କରିଥିଲେ। ୨୦୧୦ରେ ପୁଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ରେବଣାପଳାଶପାଳରେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ଜଣେ ଏଏସ୍ଆଇଙ୍କୁ ଅପହରଣ କରି ୮ ଦିନ ପରେ ମୁକ୍ତ କରିଥିଲେ। ୨୦୧୧ ପଞ୍ଚମ ଓ ପିଠାଗୋଳା ନିକଟରେ ପୁଲିସ ଏନ୍କାଉଣ୍ଟରରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।
ପ୍ରଥମେ ଏସ୍ଓଜି ଓ ପରେ ସିଆର୍ପିଏଫ୍ ଯବାନଙ୍କ ଘନଘନ ଅପରେସନ୍ ଯୋଗୁଁ ଧୀରେ ଧୀରେ ଏହି ଅଞ୍ଚଳରେ ମାଓ ଗତିବିଧି ହ୍ରାସ ପାଇଥିଲା। ୨୦୧୩-୧୪ ପରଠାରୁ ଏହି ଅଞ୍ଚଳ ଏକପ୍ରକାର ମାଓମୁକ୍ତ ହୋଇଥିଲା। ଏହା ପରେ ଦୈତାରି, ହରିଚନ୍ଦନପୁର, ପଣ୍ଡାପଡ଼ା ଓ ତେଲକୋଇ ଅଞ୍ଚଳରେ ମୁତୟନ ହୋଇଥିବା ସିଆର୍ପିଏଫ୍ ଯବାନଙ୍କୁ ପର୍ଯ୍ୟାୟକ୍ରମେ ଅପସାରଣ କରାଯାଇଥିଲା। ୧୨ ବର୍ଷର ବ୍ୟବଧାନ ପରେ ପୁଣି ଏହି ଅଞ୍ଚଳରେ ମାଓ ଗତିବିଧି ନଜରକୁ ଆସିଛି। ଛତିଶଗଡ଼ରେ ଘନଘନ କମ୍ବିଂ ଅପରେସନ୍ ଯୋଗୁଁ ମାଓବାଦୀମାନେ ନିଜର ସୁରକ୍ଷିତ ଜୋନ୍ ଭାବେ ଏହି ପୁରୁଣା ସ୍ଥାନକୁ ବାଛିଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ କେନ୍ଦୁଝର ଏସ୍ପି ନୀତିନ କୁଶଲକରଙ୍କୁ ପଚାରିବାରୁ, ମାଓ ଗତିବିଧି ନେଇ ପୁଲିସ ପାଖରେ କୌଣସି ସୂଚନା ନଥିବା କହିଛନ୍ତି।