କାୟା ବିସ୍ତାରୁୁଛି ମାଓ ସଂଗଠନ

ନୂଆ କମିଟିରେ ୨୦ଦୁର୍ଦ୍ଦାନ୍ତ ନକ୍ସଲ ସାମିଲ

ମାଲକାନଗିରି : ଅର୍ଧସାମରିକ ବଳର ଘନଘନ ଅପରେସନ ଯୋଗୁଁ ଦୋହଲି ଯାଇଛି ନକ୍ସଲ ସଂଗଠନ। ବହୁ କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ ସ୍ଥିତିକୁ ଆହୁରି ସଂଗିନ କରିଛି। ତେଣୁ ପୁରୁଣା ସ୍ଥିତିକୁ ଫେରିବା ପାଇଁ କେନ୍ଦ୍ରୀୟ କମିଟି ଅଣ୍ଟା ଭିଡିଛି। ସଂଗଠନକୁ ନୂଆ ବଳ ଓ ନୂଆ ରୂପ ଦେବାକୁ ମଧ୍ୟ ଇତି ମଧ୍ୟରେ ଉଦ୍ୟମ ଆରମ୍ଭ ହୋଇ ସାରିଲାଣି। ସଂଗଠନର ଏଭଳି ନବୀକରଣକୁ ବିସ୍ତାର ବୋଲି ନାମକରଣ କରାଯାଇଛି। ତାଳମେଳ ରଖିବା ନିମନ୍ତେ ରଣନୀତି ପ୍ରସ୍ତୁତରେ ଅଭିଜ୍ଞ ଓ ନେତୃତ୍ୱ ନେଇ ଆକ୍ରମଣ ତଥା ହିଂସା ଘଟାଇବାରେ ନିପୁଣ ନକ୍ସଲଙ୍କ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ବଛାବଛା ୨୦ଜଣ ଦୁର୍ଦାନ୍ତ ନକ୍ସଲଙ୍କ ନାମ ରହିଛି।

ନୂଆ ସଂଗଠନରେ ୨ଲକ୍ଷ ଟଙ୍କା ପୁରସ୍କାର ରହିଥିବା ପ୍ଲାଟୁନ ନମ୍ବର-୨ର ସଦସ୍ୟ କୋସା ଓରଫ ବାଦଲଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି। ସେହିପରି ସୁନିତା, ଜୋଗି ଓରଫ ଜରିନା, ଦେବେ ଓରଫ ଲକ୍ଷ୍ମୀ, ଉର୍ମିଳା ଓରଫ ସୋମଡୀ, ପାଇକେ ଓରଫ ଜ୍ୟୋତି, ସୋନୀ, ସଂଜିଲା, ସଂତିଲା, କମଲୁ, ରାଧା, ଗଣେଶଙ୍କ ପତ୍ନୀ ସଂଜିତା, ସାରଦା, ହିଡମେ ଓରଫ ରୋସନି ଓରଫ ମେସ୍ସା, ଶର୍ମିଳା ଓରଫ ସୋମେ, ସଂଜତି ଓରଫ କ୍ରାନ୍ତି, ମାନୁ (ରାକେଶର ଅଙ୍ଗରକ୍ଷକ), ଭୀମେ ଓରଫ ପ୍ରତିମା, ଶାନ୍ତି ଓରଫ ପାର୍ବତୀ, ଗଣେଶ। ଉପରୋକ୍ତ ନକ୍ସଲଙ୍କ ନାମରେ ସରକାର ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହାବ୍ୟତୀତ ୮ଲକ୍ଷ ଟଂକା ପୁରସ୍କାର ରହିଥିବା କମାଣ୍ଡର ଦାମା ଓରଫ ରାଜେଶ ଓରଫ ସୁରଜ ସିଂ ଓରଫ ସୁଜାନ ସିଂ, ରାକେଶ ଓରଫ ମାନସିଂ ଏବଂ ରମେଶ ଓରଫ ମେସ୍ସା ପ୍ରମୁଖ ବି ନୂଆ ସଂଗଠନକୁ ଆଗକୁ ନେବା ପାଇଁ ଚୟନ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁର୍ଦାନ୍ତ ନକ୍ସଲଙ୍କ ଏହି ସଂଗଠନକୁ କିଛି ବଡ ଦାୟିତ୍ୱ ଦିଆଯିବ। କେନ୍ଦ୍ରୀୟ କମିଟିର ପୂର୍ଣ୍ଣ ସମର୍ଥନ ରହିଥିବାରୁ ନୂଆ ସଂଗଠନ ଅଧିକ ଆକ୍ରମଣାତ୍ମକ ହେବା ଖବର ବି ମିଳୁଥିବାରୁ ସରକାରଙ୍କ ଚିନ୍ତା ଆଗକୁ ବଢିବାକୁ ଯାଉଛି। ଏଦିଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କେମିତି ସମନ୍ଵୟ ରଖି ଦମନ ଅଭିଯାନକୁ ଆଗେଇ ନେବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର