ସ୍ପେସାଲ କ୍ଲାସ୍‌ ଠିକାଦାରଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

 ଭୟରେ ଆସିଲେନି ପୁଲିସ, ପହଞ୍ଚିଲାନି ଆମ୍ବୁଲାନ୍ସ
ନିଜ ବଲେରୋରେ ଶବ ବ୍ୟବଚ୍ଛେଦ ପାଇଁ ନିଆଗଲା

ଭବାନୀପାଟଣା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାରେ ମାଓବାଦୀମାନେ ପୁଣି ଲାଲ ତାଣ୍ଡବ ଭିଆଇଛନ୍ତି। ଶୁକ୍ରବାର ଦିନବେଳେ ସ୍ପେସାଲ କ୍ଲାସ୍‌ ଠିକାଦାର ଟୁନୁ ଦାସ (୫୫)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଓ ଆମ୍ବୁଲାନ୍‌ସକୁ ଖବର ଦିଆ ଯାଇଥିଲେ ମଧ୍ୟ ଭୟରେ କେହି ଘଟଣାସ୍ଥଳକୁ ଆସି ନଥିଲେ। ଅନ୍ୟପକ୍ଷରେ ଠିକାଦାରଙ୍କ ନିଜ ବଲେରୋ ଗାଡ଼ିରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ଏବେ ବି ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ ଏକ ଅଡିଓ ଟେପ୍‌ ଜାରି ବଂଶଧାରା ନାଗାବଳୀ ଘୁମସର ଡିଭିଜନର ଏରିଆ ସଂପାଦକ ଉମାକାନ୍ତ କହିଛନ୍ତି ଆମ ନିର୍ଦେଶ ନ ମାନିବାରୁ ଟୁନୁଙ୍କୁ ହତ୍ୟା କରାଯାଇଛି। ଆହୁରି ଅନେକ ଠିକାଦାର ବି ହିଟ୍‌ ଲିଷ୍ଟ୍‍ରେ ଅଛନ୍ତି ବୋଲି ସେ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପାଜିବାହାଲି ଗାଁର ସାହୁପଡ଼ା ଠାରେ ଏକ ପୁରୁଣା କୋଠାରେ ଭବାନୀପାଟଣା ସହରର ସ୍ପେସାଲ କ୍ଲାସ ଠିକାଦାର ଶିବଶଙ୍କର ଦାସ ଓରଫ ଟୁନୁ ଦାସ(୫୫) କ୍ୟାମ୍ପ କରିଥିଲେ। ବେନଗାଁ ଲାଞ୍ଜିଗଡ଼ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୬ କିଲୋମିଟର ରାସ୍ତା କାମର ଠିକା ନେଇଥିଲେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଠିକାଦାର ଟୁନୁ ଦାସ ଶ୍ରମିକମାନଙ୍କ ସାପ୍ତାହିକ ମଜୁରି ପ୍ରଦାନ ନିମନ୍ତେ (ଓଆର ୦୮ଜି ୫୭୫୮) ବଲେରୋ ଗାଡ଼ିରେ ମୁନସି ଦିଲୀପ ସାହୁ ଓ ଅନ୍ୟ କର୍ମଚାରୀଙ୍କ ସହିତ ପାଜିବାହାଲି କ୍ୟାମ୍ପରେ ପହଞ୍ଚିଥିଲେ। ସେହି ସମୟରେ ୩ଟି ବାଇକରେ ୭ଜଣ ମାଓବାଦୀ ଠିକାଦାର କ୍ୟାମ୍ପରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ କ୍ୟାମ୍ପ ଭିତରକୁ ପଶି ‘ଆମ ମଜୁରି ଦିଅ’ ବୋଲି କହିଥିଲେ। ମୁନ୍‌ସିଙ୍କୁ ଏମାନଙ୍କ କେତେ ଟଙ୍କା ଅଛି ବୋଲି ଟୁନୁ ଦାସ ପଚାରିଥିଲେ। ଏହି ସମୟରେ ମାଓବାଦୀମାନେ ଠିକାଦାରଙ୍କୁ ପ୍ରାୟ ୪ ରାଉଣ୍ଡରୁ ଅଧିକ ଗୁଳି ମାରିଥିବା ପ୍ରତ୍ୟକ୍ଷଦର୍ଶୀ ମୁନସୀ ଦିଲୀପ ସାହୁ ପ୍ରକାଶ କରିଛନ୍ତି। ରକ୍ତ ଜୁଡୁବୁଡୁ ହୋଇ କ୍ୟାମ୍ପ ଭିତରେ ଟୁନୁ ଦାସଙ୍କ ମୃତ୍ୟୁ ହୋଇଥିଲା। ଗୁଳିକରି ହତ୍ୟା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର