କାଲିମେଳାରେ ମାଓ ବର୍ବରତା : ପ୍ରଜାକୋର୍ଟରେ ଗାଁ ମୁଖିଆଙ୍କୁ ହତ୍ୟା

କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ। ବଡ଼ିଗେଟା ପଞ୍ଚାୟତର କୁରୁବୁ ଗ୍ରାମର ମୁଖିଆ ଡମ୍ବରୁ ନାୟକଙ୍କୁ ଘରୁ ଟେକି ନେଇ ପ୍ରଜାକୋର୍ଟରେ ପଥର ଓ ଠେଙ୍ଗାରେ ମାଡ଼ମାରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୧୨ଟାରେ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି। ଦୁର୍ଗମ ଅଞ୍ଚଳ ଓ ସୁରକ୍ଷା କାରଣରୁ ଖବର ଲେଖା ହେବା ସୁଦ୍ଧା ପୁଲିସ ଗାଁରେ ପହଞ୍ଚି ପାରି ନଥିଲା।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟାରେ କୁରୁବୁ ଗାଁକୁ ଚାରିପଟୁ ବନ୍ଧୁକଧାରୀ ମାଓବାଦୀ ଯୋଜନାବଦ୍ଧ ଭାବେ ଘେରି ଯାଇଥିଲେ। ଏହାପରେ ୧୫ରୁ ୨୦ଜଣ ମାଓବାଦୀ ଗାଁର ମୁଖିଆ ଡ଼ମ୍ବରୁ ନାୟକ(୫୦)ଙ୍କ ଘରକୁ ଯାଇଥିଲେ। ସେତେବେଳେ ଡ଼ମ୍ବରୁ ଘରେ ଶୋଇଥିଲେ। କବାଟ ବାଡେଇବାରୁ ଡ଼ମ୍ବରୁଙ୍କ ପୁଅ ରାମ ନାୟକ ପ୍ରଥମେ ବାହାରକୁ ଆସି ଦେଖିବା ବେଳକୁ ଘର ବାହାରେ ୧୫ରୁ ୨୦ଜଣ ବନ୍ଧୁକଧାରୀ ନକ୍ସଲ ରହିଥିଲେ। ବିନା କୌଣସି କଥାବାର୍ତାରେ ମାଓବାଦୀ ଘର ଭିତରୁ ଡମ୍ବରୁଙ୍କୁ ଭିଡି ଆଣିଥିଲେ। ସେତିକି ବେଳେ ବାପାକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିବା ରାମକୁ ମଧ୍ୟ ମାଓବାଦୀ ନିସ୍ତୁକ ପିଟିଥିଲେ। ଡମ୍ବରୁଙ୍କ ହାତଗୋଡ ବାନ୍ଧି ଗାଁ ମଝିକୁ ଘୋଷାରି ନେବା ପରେ ପ୍ରଜାକୋର୍ଟ ବସିଥିଲା। ପକ୍ଷ ରଖିବାକୁ କୌଣସି ସୁଯୋଗ ନଦେଇ ଡମ୍ବରୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଯାଇଥିଲା। ପ୍ରଥମେ ଗାଁ ଲୋକଙ୍କ ସମ୍ମୁଖରେ ମାଡ଼ ମାରି ପୁଣି ଗାଁ ମୁଣ୍ଡକୁ ନେଇ ଯାଇଥିଲେ। ସେଠାରେ ଠେଙ୍ଗାରେ ପିଟିଥିଲେ ଏବଂ ଶେଷରେ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ। ଅମାନବୀୟ କାଣ୍ଡ ଘଟାଇବା ପରେ ମାଓବାଦୀ ଚାଲି ଯାଇଥିଲେ। ଡମ୍ବରୁ ଚିତ୍କାର କରି କୌଣସି ଦୋଷ କରି ନଥିବା କହିଥିଲେ ହେଁ ମାଓବାଦୀ ଆଦୌ ଶୁଣିନଥିବା ପୁଅ ରାମ ନାୟକ ପ୍ରକାଶ କରିଛନ୍ତି।

ଡମ୍ବରୁଙ୍କ ଘର ଠାରୁ ଘଟଣା ସ୍ଥଳ ପର୍ଯ୍ୟନ୍ତ ରକ୍ତଦାଗ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ରକ୍ତଲଗା ପଥର ଓ ଠେଙ୍ଗା ପଡ଼ିଥିବା ମଧ୍ୟ ଦେଖାଯାଇଥିଲା। ବାପା କେବେ ବି ପୁଲିସ ଇନଫର୍ମର ନଥିଲା ବୋଲି ପୁଅ ରାମ ନାୟକ ପ୍ରକାଶ କରିଛି। ମାଓବାଦୀମାନେ ଘଟଣା ସ୍ଥଳରେ ଏକ ହାତଲେଖା ଚିଠି ଛାଡ଼ି ଯାଇଛନ୍ତି। ପୁଲିସ ଇନର୍ଫମର ଯୋଗୁଁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଗଲା ବୋଲି ଚିଠିରେ ଲେଖାଯାଇଛି। ପୂର୍ବରୁ ମଧ୍ୟ ନକ୍ସଲ ଡ଼ମ୍ବରୁଙ୍କୁ କେନ୍ଦୁପତ୍ର ଫଡ଼ିରେ କାମ କରି ଲୋକଙ୍କ ପଇସାପତ୍ର ଖାଇ ଦେଇଥିବା ଅଭିଯୋଗ କରି ଚେତାବନୀ ମଧ୍ୟ ଦେଇଥିଲେ। ତେବେ ଶୁଣିବାକୁ ମିଳିଛି ଯେ ଡମ୍ବରୁ ପୂର୍ବରୁ ମାଓବାଦୀଙ୍କ ପାଇଁ କାମ କରୁଥିଲା। ଗତ କିଛି ବର୍ଷ ହେଲା ସେ ସଂଗଠନରୁ ଦୂରେଇ ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ତତ୍କାଳୀନ ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ଚେଷ୍ଟାରେ କୁରୁବୁ ଗ୍ରାମର ଶତାଧିକ ଗ୍ରାମବାସୀ ମାଓବାଦୀଙ୍କ ହାତ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଗତବର୍ଷ ନକ୍ସଲ କମାଣ୍ଡର ସୁକଦେବ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ବଡ଼ିଗେଟା ଅଞ୍ଚଳରେ ମାଓବାଦୀଙ୍କ ଦବଦବା କିଛି ମାତ୍ରାରେ ହ୍ରାସ ପାଇଥିଲା। ପୁଲିସ ବାରମ୍ବାର ଏହିସବୁ ଅଞ୍ଚଳରେ କମ୍ବିଂ କରିବା ସହିତ ଜନ ସଂପର୍କ ଶିବିର ଆୟୋଜନ କରି ଲୋକଙ୍କ ନିକଟର ହୋଇଥିଲା। ଏହାସତ୍ୱେ ପୁଲିସକୁ ଚ୍ୟାଲେଂଜ ଦେଇ ମାଓବାଦୀ ପୁଣି ନିଜର ସ୍ଥିତି ଜାହିର କରିବାରେ ସଫଳ ହୋଇଛନ୍ତି। ଶୁଣାଯାଉଛି ଯେ ନକ୍ସଲ କମାଣ୍ଡର ରଣଦେବଙ୍କ ନେତୃତ୍ୱରେ ପ୍ରାୟ ୫୦ରୁ ଊଦ୍ଧ୍ଵର୍ ନକ୍ସଲ ଏହି ହିଂସାରେ ସଂପୃକ୍ତ ରହିଛନ୍ତି। ଡମ୍ବରୁଙ୍କ ପରିବାର ଲୋକ ଶବକୁ ଏକ ଟ୍ରାକ୍ଟର ଯୋଗେ କାଲିମେଳା ମେଡ଼ିକାଲକୁ ଆଣିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡ଼ମ୍ବରୁଙ୍କ ୩ ପୁଅ ଓ ୪ ଝିଅ ଥିବା ବେଳେ ସେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ।

ସମ୍ବନ୍ଧିତ ଖବର