ମାଲକାନଗିରି : କିଛି ଦିନର ନିରବତା ପରେ ସୀମାନ୍ତରେ ପୁଣି ନକ୍ସଲଙ୍କ ହିଂସାକାଣ୍ଡ। ଛତିଶଗଡର ରାଜନନ୍ଦଗାଁଓ ଅଞ୍ଚଳର ସାରଦା ଗାଁର ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିସହ ବ୍ୟାନର ଓ ପୋଷ୍ଟର ମାରିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ୪ରୁ ୫ ଜଣ ନକ୍ସଲ ସାରଦା ଗାଁରେ ପଶିଲେ। ତେଜ କୁମାର ମାଣ୍ଡବୀ (୨୨) ନାମକ ଯୁବକଙ୍କୁ ଘରୁ ଡାକିବା ପରେ ରଶିରେ ବାନ୍ଦି ଗାଁ ଦାଣ୍ଡକୁ ନେଇ ଯାଇଥିଲେ। ପୁଲିସ ଇନଫର୍ମର ଦର୍ଶାଇ ପିଟି ପିଟି ହତ୍ୟା କରିଥିଲେ। ଗାଁ ଛାଡ଼ି ଯିବା ପୂର୍ବରୁ ଶବ ନିକଟରେ ବ୍ୟାନର ଓ ପୋଷ୍ଟର ଛାଡ଼ି ଯାଇଛନ୍ତି ନକ୍ସଲ।
ଆଜି ସକାଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏସପି କମଳ ଲୋଚନ କଶ୍ୟପଙ୍କ କହିବା ଅନୁଯାୟୀ ନକ୍ସଲ ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ନକ୍ସଲଙ୍କୁ ଦମନ କରିବାକୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ମୃତ ଯୁବକ ଜଣକ ଗାଁ ଗାଁ ବୁଲି ରୁଟି ବିକ୍ରି କରୁଥିଲା। କିନ୍ତୁ ନକ୍ସଲ ତାଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିଛନ୍ତି। ଯାହାକି ନିନ୍ଦନୀୟ ଘଟଣା ବୋଲି ଏସପି କହିଛନ୍ତି।