ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ତାଣ୍ଡବ ରଚିଛନ୍ତି ମାଓବାଦୀ। ସମ୍ପର୍କୀୟଙ୍କ ବାହାଘରକୁ ଆସିଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ଜଣେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ବିଜାପୁର ଜିଲ୍ଲା ପରିଷଦ ସଦସ୍ୟ ତଥା ସମବାୟ ସେଲ୍ କମିଟି ସଂଯୋଜକ ତିରୁପତି କଟଲା। ମାଓବାଦୀ ତିରୁପତିଙ୍କୁ ରାସ୍ତାରେ ଅଟକାଇ ଧାରୁଆ ଅସ୍ତ୍ରରେ ବେକ ଓ ଛାତିକୁ ହାଣି ଥିବା ଜଣାପଡ଼ିଛି। ତୋୟନାର ଗାଁକୁ ତିରୁପତି ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିଲେ।

Advertisment

ଫେରିବା ବେଳେ ପ୍ରାୟ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ରାସ୍ତାରେ ଅଟକାଇଥିଲେ। କେହି କିଛି ଭାବିବା ପୂର୍ବରୁ ମାଓବାଦୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବେକ ଓ ଛାତିକୁ ହାଣି ପକାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଛାଡ଼ି ମାଓବାଦୀ ଫେରାର୍‌ ହୋଇ ଯାଇଥିଲେ। ତାଙ୍କ ସମ୍ପର୍କୀୟ ଖବର ପାଇ ତୋୟନାର ଥାନାକୁ ଜଣାଇଥିଲେ। ପୁଲିସ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଜାପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜାପୁର ଜିଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି।