କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଛନ୍ତି। ଏହି ଲୁଟ୍ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇ ଦେଇଛି। ବୁଧବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଡିଜି ଶ୍ରୀ ଖୁରାନିଆ କେ. ବଲାଙ୍ଗ ଥାନାରେ ପହଞ୍ଚିଥିଲେ। ତାଙ୍କ ସହିତ ଆଇଜି (ଅପରେସନ୍) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର, ସ୍ପେସାଲ୍
ଇଣ୍ଟେଲିଜେନ୍ସ ଅଧିକାରୀ, ବଣାଇ ଏସ୍ଡିପିଓ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।
୨୦୦୯ ଘଟଣାର ପୁନରାବୃତ୍ତି, ରାଉରକେଲାରୁ ନକ୍ସଲ ଲୁଟିଥିଲେ ବିସ୍ଫୋରକ ଗାଡ଼ି
କୋଇଡ଼ା ଥାନାର ତତ୍କାଳୀନ ଏସ୍ଆଇ ଅଜିତ ବର୍ଦ୍ଧନଙ୍କୁ ହତ୍ୟା କରିଥିଲେ ମାଓବାଦୀ
ସମସ୍ତେ କେ. ବଲାଙ୍ଗ ଥାନାରେ ପହଞ୍ଚିବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ବାଇକ୍ ଯୋଗେ ବାଙ୍କୋ ପଥରଖଣି ଅଭିମୁଖେ ଯାଇଥିଲେ। ସେଠାରେ ମଧ୍ୟାହ୍ନ ପ୍ରାୟ ୨ଟାବେଳେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଗାଡ଼ିଚାଳକ ଦେଓନାଥ ଟପ୍ପୋ, ଖଣି ମାଲିକ ନୀରଜ ପାଣ୍ଡେ, ଖଣି ସୁପରଭାଇଜରଙ୍କଠାରୁ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ। ସେହିପରି ଗାଡ଼ିରେ ବିସ୍ଫୋରକ ଲଦିଥିବା ଶ୍ରମିକମାନଙ୍କୁ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପଚରାଉଚରା କରିଥିଲେ। ବିସ୍ଫୋରକ ଆସିବା ସୂଚନା କିପରି ବାହାରକୁ ଗଲା, ସେ ସଂକ୍ରାନ୍ତରେ ସମସ୍ତଙ୍କୁ ଗୁଡ଼େଇତୁଡ଼େଇ ପଚରା ଯାଇଥିଲା। ପ୍ରାୟ ଦେଢ଼ଘଣ୍ଟା ପଥର ଖଣିରେ ତଦନ୍ତ କରିବା ପରେ ବରିଷ୍ଠ ଅଧିକାରୀମାନେ ସେଠାରୁ ଫେରି ଆସିଥିଲେ। ଏହା ପରେ ଭୁବନେଶ୍ବରରୁ ଆସିଥିବା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି (ଆଇବି)ର ବରିଷ୍ଠ ଅଧିକାରୀମାନେ ସେଠାରେ ରହି ପୁନରାୟ ତଦନ୍ତ କରିଥିଲେ। ସବୁଠାରୁ ଚିନ୍ତାର ବିଷୟ ହେଲା, ଦୀର୍ଘ ୧୫ ବର୍ଷ ଧରି ନିଷ୍କ୍ରିୟ ଥିବା ମାଓବାଦୀ ସଂଗଠନ ଏ ଅଞ୍ଚଳରେ ପୁଣି ସକ୍ରିୟ ହେବା ଜଣାପଡ଼ୁଛି। ୨୦୦୯ ଜୁଲାଇ ୧୮ରେ ରାଉରକେଲାର ଚମ୍ପାଝରନ୍ଠାରେ ମାଓବାଦୀମାନେ ଠିକ୍ ଏହିପରି ଭାବେ ଗୋଟିଏ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ। ଖାଲି ସେତିକି ନୁହେଁ, ଏହି ସମୟରେ ମାଓବାଦୀମାନେ କୋଇଡ଼ା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ସବ୍ଇନ୍ସପେକ୍ଟର ଅଜିତ ବର୍ଦ୍ଧନଙ୍କୁ ନିର୍ମମ ଭାବେ ହତ୍ୟା ମଧ୍ୟ କରିଥିଲେ। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ସୁଦ୍ଧା ମାଓ ଦମନ ସମ୍ପୂର୍ଣ୍ଣ କରିବାକୁ ଘୋଷଣା କରିଥିବାବେଳେ କେ. ବଲାଙ୍ଗ ଥାନା ଅଞ୍ଚଳର ଏହି ଘଟଣା ଉଦ୍ବେଗର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/29/KVWzTZ5Yk7gimIeTbkKI.jpg)