ଯବାନଙ୍କ ଖାଦ୍ୟ ଲୁଟିନେଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଏକ ଘରୋଇ ପାଓ୍ଵାର ବୋଟ୍‌ (ଭୁଟୁଭୁଟି)ରେ ଯବାନଙ୍କ ପାଇଁ ରାସନ୍‌ ସାମଗ୍ରୀ ନିଆଯାଉଥିବା ବେଳେ ଏହାକୁ ଅପହରଣ କରି ନେଇଛନ୍ତି ନକ୍ସଲ। ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ପ୍ରଘଟ ହୋଇଛି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳରେ ଥିବା କୁନ୍ତରପଦରରେ ଆଇଆରବି ବାଟାଲିୟନ୍‌ର ଏକ କ୍ୟାମ୍ପ ରହିଛି।ଏହି କ୍ୟାମ୍ପକୁ ପ୍ରତି ରବିବାର ଦିନ ଚିତ୍ରକୋଣ୍ଡାରୁ ରାସନ ସାମଗ୍ରୀ ପଠାଯାଇଥାଏ। ରବିବାର ଦିନ ଚିତ୍ରକୋଣ୍ଡା ଠାରେ ସାପ୍ତାହିକ ହାଟ ଥିବାରୁ ଏଠାରୁ ସଉଦା ଏବଂ ପନିପରିବା କିଣି ବୋଟ୍‌ରେ ପଠାଯାଉଛି। ଗତକାଲି ସଂଧ୍ୟାରେ ଏକ ଘରୋଇ ପାଓ୍ଵାର ବୋଟ୍‌ରେ ଖାଦ୍ୟ ସାମଗ୍ରୀ ନିଆଯାଉଥିବା ବେଳେ ତୋଟାପଦର ଠାରେ ନକ୍ସଲ ଏହାକୁ ଅଟକାଇଥିଲେ। ବୋଟ୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ରାସନ୍‌ ସାମଗ୍ରୀ ସହ ବୋଟ୍‌କୁ ଅପହରଣ କରି ନେଇଥିଲେ। ମାଡ଼ ଖାଇ ଆହତ ବୋଟ୍‌ ଚାଳକ ଜଣକ ଭୟରେ ନିଜ ଗ୍ରାମକୁ ଚାଲିଯାଇଛି। ଖବର ପାଇ ପୁଲିସ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରିଛି।

ଘଟଣା ସଂପର୍କରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି ଯେ ଗୋଟିଏ ବୋଟ୍‌ରେ ଯବାନଙ୍କ ପାଇଁ ରାସନ୍‌ ଯାଉଥିଲା। ତେବେ ଏହାକୁ ଅପହରଣ କରାଯାଇଥିବା ଖବର ମିଳିବା ପରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ଏହା ଏକ ଘରୋଇ ବୋଟ୍‌। ଏହାକୁ ଠାବ କରିବାକୁ ଉଦ୍ୟମ ଚାଲିଛି। ଏଭଳି ଲୁଟ୍‌ପାଟ କରି ନକ୍ସଲ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ଏଭଳି କେବେ ହୋଇ ନଥିଲା। ୨୦୦୮ରେ ବାଲିମେଳା ଜଳଭଣ୍ଡାରରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଉପରେ ଆକ୍ରମଣ ପରେ ଯବାନଙ୍କୁ ଜଳପଥରେ ସ୍ଥାନାନ୍ତର କରାନଯାଇ ହେଲିକପ୍‌ଟର ଯୋଗେ ନିଆଯାଉଛି। ଖାଦ୍ୟ ସାମଗ୍ରୀ ବୋଟ୍‌ ଏବଂ ଲଞ୍ଚରେ ଯାଉଥିବା ବେଳେ ଏହି ଘଟଣା ପରେ ରାସନ୍‌ ମଧ୍ୟ ହେଲିକପ୍ଟରରେ କ୍ୟାମ୍ପକୁ ନେବାକୁ ଯୋଜନା କରାଯାଉଥିବା ଜଣାପଡିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନକ୍ସଲଙ୍କ କେନ୍ଦ୍ରୀୟ କମିଟି ଟାର୍ଗେଟରେ ମାଲକାନଗିରି ରହିଛି। ତେଣୁ ନିକଟରେ ଲାଲ୍‌ ବାହିନୀ କାଲିମେଳା ଏବଂ ଚିତ୍ରକୋଣ୍ଡା ଅଞ୍ଚଳରେ ହିଂସାକାଣ୍ଡ ଘଟାଇବା ସହ ପୋଷ୍ଟର ଏବଂ ଚିଠି ଛାଡ଼ି ଲୋକଙ୍କୁ ଡରାଇବାରେ ଲାଗିଛି।

ସମ୍ବନ୍ଧିତ ଖବର