କୋଇଡ଼ା/ ବନ୍ଧମୁଣ୍ଡା: କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍ ହୋଇଛି। ଗାଡ଼ିରେ ପ୍ରାୟ ୪ ଟନ୍ ବିସ୍ଫୋରକ ରହିଥିଲା। ଯାହାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ। ଗାଡ଼ିକୁ ୩୦ରୁ ୪୦ ଜଣ ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସିଆର୍ପିଏଫ୍ର ମିଳିତ ଅଭିଯାନ ଯୋଗୁଁ ପ୍ରାୟ ୭ ଘଣ୍ଟା ପରେ ସରଣ୍ଡା ଜଙ୍ଗଲରେ ଗାଡ଼ି ଠାବ ହୋଇଥିବା ବେଳେ ବିସ୍ଫୋରକ ଲୁଟି ନେଇଛନ୍ତି।
ପଥର ଖଣିକୁ ଆସୁଥିଲା ୪ଟନ୍ ବିସ୍ଫୋରକ
ସରଣ୍ଡା ଜଙ୍ଗଲରେ ଖାଲି ଗାଡ଼ି, ଡ୍ରାଇଭର ଉଦ୍ଧାର
ସୀମାନ୍ତରେ ହାଇଆଲର୍ଟ
ଆଜି ବଡ଼ଗାଁରୁ ବିସ୍ଫୋରକ ବୋଝେଇ ହୋଇ ଏକ ୪୦୭ ଗାଡ଼ି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣି ଅଭିମୁଖେ ବାହାରିଥିଲା। ଖଣିରେ ପହଞ୍ଚିବାକୁ ଆଉ ଅଳ୍ପଦୂର ଥିବାବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ପାଖାପାଖି ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି ଗାଡ଼ିକୁ ଘେରି ଯାଇଥିଲେ। ଏହାପରେ ସେମାନେ ଗାଡ଼ି ସହ ବିସ୍ଫୋରକକୁ ଲୁଟି ନେଇଥିଲେ। ଖଣି କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୁଲିସ ଗୋଟିଏ ଟିମ୍ ଗଠନ କରି ଛାନ୍ଭିନ୍ ଆରମ୍ଭ କରିଥିଲା। ଏହାପରେ ପୁଲିସ ଓ ସିଆର୍ପିଏଫ୍ ଟିମ୍ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ସରଣ୍ଡା ଜଙ୍ଗଲରେ ଗାଡ଼ିର ସନ୍ଧାନ ମିଳିଥିଲା। ତେବେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିଲା।
ଘଟଣାସ୍ଥଳରୁ ୪୦୭ ଗାଡ଼ି (ଓଡି୧୪ଡି-୧୯୮୭)ର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରକ ଥିବା ପେଟିଗୁଡ଼ିକୁ ଦୁର୍ବୃତ୍ତମାନେ ବୋହି ନେଇଥିବା ଜଣାପଡ଼ିଛି। କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲରେ କିଛିଦିନ ଧରି ମାଓବାଦୀ ବିରୋଧୀ ଅପରେସନ୍ ଜାରି ରହିଛି। ତେଣୁ ମାଓବାଦୀମାନେ ବିସ୍ଫୋରକ ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ଣରେ ବିସ୍ଫୋରକ ବୋଝେଇ ଗାଡ଼ିକୁ ଲୁଟ୍ ପରେ ଜରେଇକେଲା ସୀମାନ୍ତରେ ଝାଡ଼ଖଣ୍ଡ ପୁଲିସ ତରଫରୁ ହାଇଆଲର୍ଟ ଜାରି ହୋଇଛି। ସରଣ୍ଡା ଜଙ୍ଗଲରେ ଥିବା ଦୀଘା, ଥାଲକୋବାଦ, ଛୋଟାନାଗରା, ବରାଇବୁରୁ ସିଆର୍ପିଏଫ୍ କ୍ୟାମ୍ପ ତରଫରୁ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି। ମାଓ ନେତା ମିଶିର୍ ବେସରାଙ୍କ ନେତୃତ୍ୱରେ ମାଓବାଦୀମାନେ ଏହି ବିସ୍ଫୋରକ ଗାଡ଼ି ଲୁଟ୍ କରିଥିବା ସନ୍ଦେହ ପରେ ହାଇଆଲର୍ଟ ଜାରି କରାଯାଇଥିଲା। ଉଲ୍ଳେଖଯୋଗ୍ୟ ଯେ ୨୦୦୯ ଜୁଲାଇ ୧୮ରେ ରାଉରକେଲାର ଚମ୍ପାଝରନ୍ ଠାରେ ମଧ୍ୟ ମାଓବାଦୀମାନେ ଠିକ୍ ଏହିପରି ଭାବେ ଗୋଟିଏ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ। ଏହି ସମୟରେ ମାଓବାଦୀମାନେ ଓଡ଼ିଶା ପୁଲିସର ଜଣେ ସବ୍ ଇନ୍ସ୍ପେକ୍ଟରଙ୍କୁ ହତ୍ୟା କରିଥିଲେ।